ଏନ୍ଏନ୍ ବ୍ୟୁରୋ। ହତ୍ୟା ଘଟଣାର ମାସକ ପରେ ଧରାପଡିଲା ହତ୍ୟାକାରୀ। ବଲାଙ୍ଗିର ସହର ନିକଟ ଖୁଜେନପାଲି ଗାଁ ଦାଣ୍ଡରେ ସୁରେଶ ଭୁଏର ହତ୍ୟାକାରୀକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ପ୍ରଦୀପ ପଟ୍ଟନାୟକ। ସୁରେଶ ମଦ ପିଇ ବାରମ୍ବାର ଝଗଡ଼ା କରୁଥିବାରୁ ତାକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛି ଅଭିଯୁକ୍ତ। ଡାକ୍ତରୀ ମାଇନା କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ବଲାଙ୍ଗିର ଏସଡିପିଓ ତୁଫାନ୍ ବାଗ।
ପୋଲିସ ସୂଚନା ଅନୁସାରେ, ଗତ ମାସ ୧୧ ତାରିଖରେ ଖୁଜେନପାଲି ଗାଁ ଦାଣ୍ଡରୁ ସୁରେଶ ଭୁଏଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ୍ ସ୍ପଷ୍ଟ ହେବା ପରେ ତଦନ୍ତ ଜାରି ରଖିଥିଲା। ଏବଂ ଘଟଣାର ମାସେ ପରେ ସଦର ପୋଲିସ୍ ସେହି ଗ୍ରାମର ପ୍ରଦୀପ ପଟ୍ଟନାୟକକୁ ଗିରଫ କରିଛି। ମୃତ ସୁରେଶ ଭୁଏ ସବୁବେଳେ ମଦ ପିଇ ଗାଁରେ ଗଣ୍ଡଗୋଳ କରୁଥିଲା। ହେଲେ ଘଟଣା ଦିନ ରାତି ଅଭିଯୁକ୍ତ ପ୍ରଦୀପ ପଟ୍ଟନାୟକ ଙ୍କୁ ମଧ୍ୟ ସେ ଗାଳି ଗୁଲଜ କରିଥିଲା। ଏଥିରେ ରାଗି ଯାଇ ପ୍ରଦୀପ ତାକୁ ମାଡ଼ ମାରିବା ଦ୍ଵାରା ସେ ତଳେ ପଡ଼ି ଯାଇଥିଲା। ଏହାପରେ ତା ଉପରେ ଛପର, ବାଉଁଶ ଓ ପଥର ଲଦି ଦେଇଥିଲା। ଫଳରେ ସୁରେଶ ଭୁଏଙ୍କ ମୃତ୍ୟୁ ହୋଇଥିବାର ପୋଲିସ୍ କହିଛି।
