ଏନ୍ଏନ୍ ବ୍ୟୁରୋ। ଭିଜିଲାନ୍ସ ଜାଲରେ ପୁଣି ଜଣେ ଅଧିକାରୀ। ଲାଞ୍ଚୁଆ ବିଇଓକୁ ଗିରଫ କଲା ଭିଜିଲାନ୍ସ। ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀ। ସୂଚନା ଅନୁସାରେ କୌଣସି ଏକ ଅଭିଯୋଗକୁ ନେଇ ପାଟଣାଗଡ ରମାଇ ହାଇସ୍କୁଲର ସହକାରୀ ଶିକ୍ଷକ ସୁରେଶ ମେହେରଙ୍କ ନାଁରେ ବିଭାଗୀୟ ତଦନ୍ତ ଚାଲିଥିଲା । ତଦନ୍ତ ଅଧିକାରୀ ଭାବେ ବଲାଙ୍ଗିର ବିଇଓ ରାଘବ ପାଣିଗ୍ରାହୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ତଦନ୍ତ ସମୟରେ ସପକ୍ଷରେ ରିପୋର୍ଟ ଦେବା ପାଇଁ ବ୍ଲକ ଶିକ୍ଷା ଅଧିକାରୀ ଦଶ ହଜାର ଟଙ୍କା ଲାଂଚ ମାଗିଥିଲେ।
ଏନେଇ ବଲାଙ୍ଗିର ଭିଜିଲାନସ ବିଭାଗକୁ ଖବର ଦେଇଥିଲେ ଅଭିଯୋଗକାରୀ ଶିକ୍ଷକ। ଏବଂ ପୂର୍ବ ଯୋଜନା ଅନୁସାରେ ଆଜି ଅଫିସ ଭିତରେ ଲାଂଚ ନେଉଥିବା ସମୟରେ ମାଡି ବସିଥିଲା ବଲାଙ୍ଗିର ଭିଜିଲାନସ ଟିମ। ଲାଂଚ ଟଙ୍କା ଜବତ କରିବା ସହିତ ବିଇଓ ରାଘବଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ତାସହ ବିଇଓ ରାଘବ ପାଣିଗ୍ରାହୀଙ୍କ ରାଜେନ୍ଦ୍ର ପଡା ସ୍ଥିତ ଘର ଏବଂ ଅଫିସରେ ଚଢଉ କରିଥିଲା ଭିଜିଲାନସ ବିଭାଗ। ଚଢ଼ାଉ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଠାବ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ଭିଜିଲାନ୍ସ।

ଏହା ପୂର୍ବରୁ ପେନସନ ଟଙ୍କା ଅନିୟମିତତା ଅଭିଯୋଗରେ ପୂର୍ବତନ ବିଇଓ ରିଚପାଲ୍ ସାଗର ସସ୍ପେଣ୍ଡ ହୋଇଥିଲେ। ହେଲେ ହାଇକୋର୍ଟରୁ ଆଗୁଆ ଜାମିନ ଆଣିଥିବାରୁ ତାଙ୍କୁ ଗିରଫ କରି ପାରିନଥିଲା ଭିଜିଲାନ୍ସ। ତେବେ ଘଟଣାରେ ସଂପୃକ୍ତି ଅଭିଯୋଗରେ ଅଫିସର ଜଣେ କିରାଣୀକୁ ଗିରଫ କରିଥିଲା ଭିଜିଲାନ୍ସ। ସେ ସମୟରୁ ଏହି ଅଫିସରେ ବ୍ୟାପକ ଦୁର୍ନୀତି କାରବାର ଚାଲିଥିବା ଜଣା ପଡ଼ିଥିଲା। ଏବଂ ଆଜି ବିଭାଗର ମୁଖ୍ୟ ତଥା ବିଇଓ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି।
