ବନ୍ୟାଞ୍ଚଳ ଅନୁଧ୍ୟାନ: ୫ ଜିଲ୍ଲାରେ ୧୫ ଦିନ ରିଲିଫ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ଆକାଶ ମାର୍ଗରେ ବନ୍ୟାଂଚଳର ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ରିଲିଫ ସହାୟତା ଘୋଷଣା କରିଛନ୍ତି। ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବନ୍ୟା ବିପନ୍ନ ଲୋକଙ୍କୁ ୧୫ ଦିନ ରିଲିଫ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ସେହିପରି ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାର ବନ୍ୟା ପ୍ରଭାବିତଙ୍କ ପାଇଁ ସାତ ଦିନ ରିଲିଫ ଦିଆଯିବ। ତାସହ ପାଣି ଛାଡିବାର ସାତ ଦିନ ମଧ୍ୟ୍ୟରେ କ୍ଷୟକ୍ଷତି ଆକଳନ କରିବା ସହ ୧୫ ଦିନ ଭିତରେ ଘରଭଙ୍ଗା ଓ ଫସଲ କ୍ଷତି ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ, ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ଚାଲିଥିବା ରିଲିଫ୍ ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟସେବା, ପାନୀୟଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ସହିତ ପ୍ରଭାବିତ ଗୋରୁଗାଈମାନଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଓ ପଶୁ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ବନ୍ୟାରେ ବ୍ୟାପକ ଅଞ୍ଚଳ, ଜଳମଗ୍ନ ହେଵା ସହ ଅନେକ ଚାଷ ଜମି ଓ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ।