ଭାଇ ସାଜିଲା ଭଗାରି: ପୂର୍ବ ଶତ୍ରୁତାକୁ ନେଇ ସୁପାରୀ କିଲର ଦ୍ବାରା ହତ୍ୟା

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ପରିସରରେ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ। ଘଟଣାରେ ୪ ଜଣଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ତାସହ ଗୋଟିଏ ପଲସର ବାଇକ, ୫ଟି ମୋବାଇଲ, ଗୋଟିଏ ଗାମୁଛା ଏବଂ ନଗଦ ୯, ୫୦୦ ଟଙ୍କା ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ସୁଦପଡ଼ାର ମୁନା ଦୋରା, ଲଳିତ ନଗରର ରାହୁଲ ପାଣିଗ୍ରାହୀ, ବ୍ରାହ୍ମଣପଡାର ଚନ୍ଦ୍ର ପଧାନ ଓ ନୂଆପଡ଼ାର ସୋମ ପୁଞ୍ଜି। ହେଲେ ମୁନା ଓ ଚନ୍ଦ୍ର ହତ୍ୟା ଷଡଯନ୍ତ୍ର ରଚିଥିବା ବେଳେ ରାହୁଲ ଓ ସୋମ ସୁପାରୀ ନେଇ ଅଜୁ ଦୋରାକୁ ହତ୍ୟା କରି ଫେରାର ହୋଇ ଯାଇଥିଲେ। ହେଲେ ଘଟଣାର ୩ ଦିନ ପରେ ପୋଲିସ ସମସ୍ତ ଅପରାଧୀକୁ ଗିରଫ କରିବାରେ ସଫଳ ହୋଇଛି। ଏନେଇ ଜିଲ୍ଲା ପୋଲିସ ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ଏସପି ନୀତିନ କୁଶଳକର।

ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ରକ୍ତ ମୁଖା ଭାଇ ହିଁ ନିଜ ଭାଇକୁ ହତ୍ୟା କରିବା ପାଇଁ ସୂପାରୀ ଦେବା ସହ ଏହି ଷଡ଼ଯନ୍ତ୍ର ରଚିଥିବା ପୋଲିସ୍ ସ୍ପଷ୍ଟ କରିଛି। ଏପରିକି ମୃତ ଅଜୁ ଦୋରାର ସମ୍ପର୍କୀୟ ଭାଇ ମୁନା ଦୋରାଙ୍କ ପରିବାର ମଧ୍ୟରେ ଜମି ବାଡ଼ିକୁ ନେଇ ଶତ୍ରୁତା ଲାଗି ରହିଥିଲା। ତେବେ ମୁନା ଦୋରା ନିଜ ଭାଇକୁ ହତ୍ୟା କରିବା ପାଇଁ ବଲାଙ୍ଗିରର ରାହୁଲ ପାଣିଗ୍ରାହୀ ଓ ସୋମ ପୁଞ୍ଜିକୁ ଏକ ଲକ୍ଷ ଟଙ୍କା ସୁପାରୀ ଦେଇଥିଲା। ଏମାନେ ଅନେକ ଥର ଅଜୁ ଦୋରାକୁ ହତ୍ୟା କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ହେଲେ ଗତ ୧୬ ତାରିଖରେ ଏମାନେ ଅଜୁ ଦୋରାକୁ ହତ୍ୟା କରିବାରେ ସଫଳ ହୋଇଥିଲେ। ଏମାନଙ୍କୁ ଚନ୍ଦ୍ର ପ୍ରଧାନ ସାହାଯ୍ୟ କରିଥିବା ପୋଲିସ କହିଛି।

ପୋଲିସ ସୂଚନା ଅନୁସାରେ, ଗତ ୧୬ ତାରିଖରେ ଇଡିଲି ବିକ୍ରି କରିବା ପାଇଁ ଆସୁଥିବା ବେଳେ ମେଡ଼ିକାଲ ପରିସରରେ ମା ପୁଅଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ହେଲେ ଘଟଣାସ୍ଥଳରେ ଅଜୁ ଦୋରାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା ଜୟନ୍ତୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିଲା। ଏନେଇ ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣାକୁ ଗୁରୁତର ଭାବେ ନେବା ସହ ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇଥିଲା। ସଦର ଏଡିପିଓ ତୁଫାନ ବାଗଙ୍କ ନେତୃତ୍ୱରେ ଟାଉନ ଆଇଆଇସି କେ ପ୍ରିୟଙ୍କା ରାଉତରାୟ, ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ, ଇନ୍ସପେକ୍ଟର ରାଜେନ୍ଦ୍ର ବେହେରା, ଏସଆଇ ଅଭିନାଶ ନାୟକ, ଏସଆଇ ପୂର୍ଣ୍ଣମୀ ଓରାମ, ଏଏସଆଇ ବୈକୁଣ୍ଠ ଦେହୁରୀ ଓ ମମତା ପ୍ରଧାନ ଟିମରେ ସାମିଲ ହୋଇ ଘଟଣାର ପର୍ଦ୍ଦାଫାଶ କରିଥିଲେ।

ହତ୍ୟାକାଣ୍ଡରେ ସଂପୃକ୍ତ ୪ ଅଭିଯୁକ୍ତକୁ ଗିରଫ କରିବା ସହ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି। ହେଲେ ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳ ନେଇ କ୍ରାଇମ୍ ସିନ ରୀ କ୍ରିଏସନ କରିଥିଲା ପୋଲିସ। କେମିତି କିଭଳି କାହା ସହାୟତାରେ ହତ୍ୟା କରିଥିଲେ ସେନେଇ ପୋଲିସ ଆଗରେ ଟିକନିକ୍ ବଖାଣିଥିଲେ ହତ୍ୟାକାରୀ। ପରେ ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଏସପି ନୀତିନ କୁଶଳକର ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସହ ଏଡ଼ିପିଓ ତୁଫାନ ବାଗ ମଧ୍ୟ ଉପସ୍ଥିତ ରହିଥିଲେ।