(ନବନୀତା ବ୍ୟୁରୋ) କୋଭିଦ୍ ଯୋଦ୍ଧା ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କରୋନା। ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ହେଲେ କରୋନାର କୌଣସି ଲକ୍ଷଣ ନାହିଁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ହୋମ୍ କ୍ୱାରେନଟିନରେ ଅଛନ୍ତି। ସେ ସୁସ୍ଥ ଥିବା ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି। ତେବେ ନିକଟରେ ତାଙ୍କ ସହ ଯେଉଁ ମାନେ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଂଗରୋଧରେ ରହିବା ସହ କରୋନା ପରୀକ୍ଷା କରାଇବାକୁ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ଦିନକ ପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂ ବାଲେଶ୍ଵରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ହୋଇ ଅଭିବାଦନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ତାଙ୍କ ସହିତ ଜିଲ୍ଲାର ଜିଲ୍ଲାପାଳ, ଏସପିଙ୍କ ସହ ଅନେକ ଲୋକ ସାମିଲ ହୋଇଥିଲେ। ଏଣୁ ଖୋଦ୍ ମନ୍ତ୍ରୀ କହିଛନ୍ତି ଯେ, ଯେଉଁ ମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ସଂଗରୋଧରେ ରହିବା ପାଇଁ।

ତେବେ କୋଭିଦ୍ ମହାମାରୀରେ ଆଗ ଧାଡ଼ିର କରୋନା ଯୋଦ୍ଧା ସାଜିଥିବା ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ଏପରିକି ହଜାର ହଜାର ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ସମୟରେ ଖାଦ୍ୟପେୟର ବ୍ୟବସ୍ଥା କରିବା ସହ ଘରକୁ ପଠାଇବାର ମଧ୍ୟ ବନ୍ଦୋବସ୍ତ କରିଥିଲେ। ନିଜେ ଗାଡ଼ି ଚଳାଇ ରାସନ୍ ସାମଗ୍ରୀ ଲୋକଙ୍କ ନିକଟକୁ ପହଞ୍ଚାଇ ଥିଲେ। ଗରିବ ଓ ନିରୀହ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ମଧ୍ୟ କରିଥିଲେ।

ଏପରିକି ଘର ବାହୁଡ଼ା ଶ୍ରମିକଙ୍କୁ ଛାଡିବାରେ ଗାଡି ଡ୍ରାଇଭର୍ ଅମଙ୍ଗ ହେବାରୁ ନିଜେ ପିକ୍ ଅପ ଭ୍ୟାନ୍ ଚଳାଇ ସେମାନଙ୍କୁ ଗନ୍ତବ୍ୟ ସ୍ଥଳରେ ଛାଡ଼ି ଜଣେ ଦରଦୀ ବନ୍ଧୁର ପରିଚୟ ସୃଷ୍ଟି କରିପାରିଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ କିଛି କରୋନା ଆକ୍ରାନ୍ତ ରୋଗୀଙ୍କୁ ଗାଡ଼ିରେ ଆଣି ସଂଗରୋଧ କେନ୍ଦ୍ରରେ ରଖିଥିଲେ। ଏବେ କିନ୍ତୁ ସେହି କରୋନା ଯୋଦ୍ଧାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ତେଣୁ ତାଙ୍କ ଆଶୁ ଆରୋଗ୍ୟ ପାଇଁ ମା ସମଲେଶ୍ଵରୀଙ୍କ ନିକଟରେ ନବନୀତା ପରିବାର ପକ୍ଷରୁ ଏତିକି କାମନା।
