(ନବନୀତା ବ୍ୟୁରୋ): ଦାନା ପାଇଁ ଦାଦନ । ପେଟଳୁ ଦିମୁଠା ଦାନା ଯୋଗାଡ଼ କରିବା ପାଇଁ ଏଠି ଦାଦନ ସାଜେ ମଣିଷ । କିନ୍ତୁ ଏମାନଙ୍କ ପ୍ରତି କାହାର ଦରଦ ନଥାଏ । ମଣିଷକୁ ନେଇ ଆଉ ଜଣେ ମଣିଷ ବେପାର କରିଥାଏ । ବେଆଇନ ଚାଲାଣ କରିଥାଏ । ମାନବିକତା କଥା ଭୁଲି ଯାଏ ଏହି ମଣିଷ ବେପାରୀ । କାରଣ ମୋଟା ରକମର ଟଙ୍କା ରୋଜଗାର ପାଇଁ ଦାଦନ ଶ୍ରମିକଙ୍କୁ ଭାଟି ମାଲିକଙ୍କ ହାତରେ ଟେକି ଦିଏ ନିର୍ଦ୍ଦୟ ସର୍ଦ୍ଦାର । ସର୍ଦ୍ଦାର ଭଲ ଦି’ ପଇସା ରୋଜଗାର ବି କରେ । ଘରେ ଆରାମରେ ସୁଖସାଛନ୍ଦ୍ୟରେ ଜୀବନଯାପନ କରେ । ସେପଟେ କିନ୍ତୁ ଦୁଃଖ ଯନ୍ତ୍ରଣାରେ ଛଟପଟ ହେଉଥାଏ ବିଚରା ଶ୍ରମିକ । ମାଲିକଙ୍କ ଅକଥନୀୟ ଅତ୍ୟାଚାର ଓ ନିର୍ଯାତନା ସବୁ ସହ୍ୟ କରି ଜୀବନକୁ ପଥର କରି ଦିଏ । ଘରକୁ ଫେରିବାକୁ ଇଚ୍ଛା ଥିଲେ ମଧ୍ୟ ପରିସ୍ଥିତି ସେମାନଙ୍କ ସାଥ ଦିଏନି । ଏଥିପାଇଁ ବହୁ କାକୁତି ମିନତି କରିଥାନ୍ତ ମାଲିକଙ୍କୁ । ହେଲେ ସେ ନିର୍ଦ୍ଦୟ ମାଲିକ ଏମାନଙ୍କ କଥାକୁ ଶୁଣିନଥାଏ । ବିନା ପାରିଶ୍ରମିକରେ ଆହୁରି ଅଧିକ ନିର୍ଯାତନା ଦେଇ କାମ କରାଏ । ବିଚରା ଶ୍ରମିକ ଏହାକୁ ମୁଣ୍ଡପାତି ସହିଯାଏ । ତେବେ ପ୍ରତିବର୍ଷ ଏଭଳି ଅମାନବୀୟ ଘଟଣା ଘଟୁଥିଲେ ସୁଦ୍ଧା ଶ୍ରମିକ ଦାଦନ ଖଟି ଯିବାକୁ ପଛଘୁଂଚା ଦେଉନି । ବରଂ ବେଆଇନ ଦାଦନ ଚାଲାଣ କମିବା ପରିବର୍ତ୍ତେ ଆହୁରି ଅଧିକ ସଂଖ୍ୟାରେ ଲକ୍ଷ ଲକ୍ଷ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ନଜିର ରହିଛି ।
ଦାଦନପ୍ରବଣ ଜିଲ୍ଲା ଭାବେ ବେଶ ଜଣାଶୁଣା ପଛୁଆ ଜିଲ୍ଲା ବଲାଙ୍ଗିର । ଏଥିରେ ଖପ୍ରାଖୋଲ ବ୍ଲକ ଅଂଚଳର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ପ୍ରତି ବର୍ଷ ହଜାର ହଜାର ଶ୍ରମିକ ପରିବାର ପେଟପାଟଣା ପାଇଁ ଦାଦନ ସାଜି ପଡୋଶୀ ରାଜ୍ୟକୁ ଯାଇଥାନ୍ତି । ସେଠାରେ ଅନେକ ନିର୍ଯାତନାର ଶିକାର ହେବା ସହ କେହି କେହି ଶବ ହୋଇ ବି ଫେରିବାର ନଜିର ରହିଛି । ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଦେଶାନ୍ତର ଯାଇ ଶ୍ରମିକଙ୍କ ଦୁଃଖ ଦ୍ୱିଗୁଣିତ ପରିଲକ୍ଷିତ ହୋଇଥିଲା । ବାହାର ରାଜ୍ୟରେ ଲକ୍ ଡାଉନ୍ ଯୋଗୁଁ ଶ୍ରମିକମାନେ ଭିଟା ମାଟିକୁ ଫେରିବା ପାଇଁ ଅଣନିଶ୍ୱାସୀ ହୋଇଥିଲେ । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଦାଦନ ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ଫେରାଇ ଆଣିବା ପାଇଁ ପ୍ରୟାସ କରିଥିଲେ ବି ଦାଦନଙ୍କ ଘର ବାହୁଡା ଦୁଃଖ କାହାଣୀ ସରିନଥଲା ।

ଏମିତି ଏକ ଦୁଃଖଭରା ଘର ବାହୁଡା କାହାଣୀ ଭିତରେ ସବୁଠି ଚର୍ଚ୍ଚାରେ ରହିଛନ୍ତି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମଟିଆଭଟା ଗାଁର ମାନସୀ ବରିହା(୧୯) । ତାଙ୍କର ଉପସ୍ଥିତି ବୁଦ୍ଧି ଏବଂ ଅଦମ୍ୟ ସାହାସ ଯୋଗୁଁ ହଜାର ହଜାର ଶ୍ରମିକ ଉଦ୍ଧାର ହୋଇଥିଲେ । ତାମିଲନାଡୁର ଚେନ୍ନାଇ ନିକଟ କୁଡୁକୁପନ୍ ଜିଡିଏମ୍ ଇଟା କାରଖାନାରେ ୩ ଶହ ୫୦ ଶ୍ରମିକ ନିର୍ଯାତନାର ଶିକାର ହେଉଥିବା ନେଇ ମାନସୀ ଗାଁକୁ ଫୋନ କରିଥିଲେ । ଏପରିକି ଲୁଚିକି ନିର୍ଯାତନାର ଭିଡିଓ ମଧ୍ୟ ସୁଟିଂ କରି ଗାଁକୁ ପଠାଇଥିଲେ । ଏହି ଖବର ଜାଣିବା ପରେ ଖପ୍ରାଖୋଲ ପୋଲିସ୍, ବଲାଙ୍ଗିର ପ୍ରଶାସନ ଓ ଶ୍ରମ ବିଭାଗ ତାମିଲନାଡୁକୁ ଯୋଗାଯୋଗ କରି ସମସ୍ତ ନିର୍ଯାତିତ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ।
ସୂଚନା ଅନୁସାରେ ଗତ ଜୁନ ମାସରେ ଇଟା ଭାଟିରେ କାମ କରୁଥିବା ଶ୍ରମିକମାନେ ନିଜ ଗାଁକୁ ଫେରିବାକୁ ଚାହୁଁଥିଲେ । ହେଲେ ଜୁନ ୧୫ ତାରିଖରେ ଇଟା ଭାଟି ମାଳିକ ଶ୍ରମିକମାନଙ୍କୁ ଜୋରଜବରଦସ୍ତ କାମ କରାଇବା ସହ ପ୍ରବଳ ମାଡ ମାରିଥିଲା । ଏହି ଘଟଣା ନେଇ ମାନସୀ ଗାଁର ସଂପର୍କୀୟ ସମାଜସେବୀ ପାଣ୍ଡବ ବରିହାଙ୍କୁ ଫୋନ କରି ଜଚ୍ଚାଇଥିଲା । ଏହା ପରେ ପରିବାରର ସମ୍ପର୍କୀୟ ଖପ୍ରାଖୋଲ ଥାନା, ପ୍ରଶାସନ ଓ ଶ୍ରମ ବିଭାଗକୁ ଅବଗତ କରାଇଥିଲେ । ଘଟଣା ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା । ତାମିଲନାଡୁର ଶ୍ରମ ବିଭାଗ ଓ ପ୍ରଶାସନ ସହିତ ମିଶି ଜୁନ ୧୭ ତାରିଖରେ ପ୍ରଥମେ ନିର୍ଯାତିତ ୩୫୦ ଜଣଙ୍କୁ କୁଡୁକୁପନରୁ ଉଦ୍ଧାର କରିଥିଲେ । ଏବଂ ବସ୍ ଯୋଗେ ତିରୁଭେଲମ୍ ଟ୍ରେନ ଷ୍ଟେସନ୍ ଯାଏଁ ଛାଡିଲା ପରେ ସେଠାରୁ ଟ୍ରେନ ଯୋଗେ ବଲାଙ୍ଗିର ପଠାଇଥିଲା । ୨୧ ତାରିଖ ତାଙ୍କୁ ବସ୍ ଯୋଗେ ନିଜ ପଂଚାୟତ କ୍ୱାରେନଟାଇନ୍ ସେଂଟରକୁ ନିଆଯାଇଥିଲା । ଏସବୁ ଉଦ୍ଧାର ଘଟଣାର ପଛରେ ମାନସୀର ସାହସିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି ।
ଗତ ଜାନୁୟାରୀ ମାସରେ ମାନସୀ ଏବଂ ତାଙ୍କ ବାପା ଟିକନୁ ବରିହା (୫୫) ଏବଂ ଛୋଟ ଭଉଣୀ ଦହନା(୧୦) ତିନି ଜଣ ଯାକ ଦାଦନ ସର୍ଦ୍ଦାର ମାଧ୍ୟମରେ ଅଗ୍ରୀମ ଟଙ୍କା ନେଇ ଇଟା ବୁହା କାମ ପାଇଁ କୁଡୁକୁପନକୁ ଦାଦନ ଖଟି ଯାଇଥିଲେ । ଏନେଇ ଏବେ ଗାଁର କିଛି ଯୁବକ ସୋସାଲ ମିଡ଼ିଆ ଫେସବୁକରେ ମାନସୀର ସାହସିକତା ନେଇ ଲେଖିବା ପରେ ଶ୍ରମ ବିଭାଗ ଘରେ ପହଂଚି ଥିଲା । ତେବେ ତଥ୍ୟ ସଂଗ୍ରହ କରିବା ପରେ ଜଣା ପଡିଥିଲା ଯେ, ମାନସୀ ଯୋଗୁଁ କେବଳ ୩୫୦ ନୁହଁନ୍ତି ବରଂ ଆଖପାଖର ୬ ହଜାର ଶ୍ରମିକ ଉଦ୍ଧାର ହୋଇଥିବା ଜଣାଯାଇଛି । ଏ ସଂପର୍କରେ ଗ୍ରାମୀଣ ଶ୍ରମ ଅଧିକାରୀ ଦିବ୍ୟଶଙ୍କର ଧରୁଆଙ୍କୁ ପଚାରିବାରୁ ମାନସୀଙ୍କ ସାହସିକତାକୁ ଧନ୍ୟବାଦ ଦେବା ସହ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିର୍ଦ୍ଦେଶରେ ଏନେଇ ତଥ୍ୟ ସଂଗ୍ରହ କରାଯାଇଥିବା କହିଛନ୍ତି ।
