ନବନୀତା ବ୍ୟୁରୋ। ପୁଣି ୨୨୯ ରୋଗୀ ଚିହ୍ନଟ। ତାସହ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଚିହ୍ନଟ ୨୨୯ ମଧ୍ୟରୁ ୧୯୩ ସଂଗରୋଧ କେନ୍ଦ୍ର ଓ ୩୬ ଲୋକାଲ କେସ ବୋଲି କୁହାଯାଇଛି। ଏଥିସହ ମୋଟ ରୋଗୀ ସଂଖ୍ୟା ୭୫୪୫କୁ ବୃଦ୍ଧି ପାଇଥିବା ବେଳେ ୨୭କୁ ଛୁଇଁଛି ମୃତ୍ୟୁ ସଂଖ୍ୟା।

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆଜି ରାଜ୍ୟର ୧୯ ଜିଲ୍ଲାରୁ ୨୨୯ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୧୯୩ କ୍ୱାରେଣ୍ଟିନରେ ଥିବା ବେଳେ ୩୬ ଲୋକାଲ୍ କେସ୍ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସବୁଠାରୁ ଅଧିକ ରୋଗୀ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ୯୫ ଚିହ୍ନଟ ସହ ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୧୫୬୭କୁ ବୃଦ୍ଧି ପାଇଛି।

ସେହିପରି ବାଲେଶ୍ଵରରୁ ୨୪, ଯାଜପୁର ୨୨, ଖର୍ଦ୍ଧା ୨୧, ସୁନ୍ଦରଗଡ଼ ୧୭, କଟକ ୧୨, ଝାରସୁଗୁଡ଼ା ୧୦ ଓ ବଲାଙ୍ଗୀରରୁ ୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ନୟାଗଡ଼ ୫, ପୁରୀ ୪, ବୌଦ୍ଧ ୩ ଓ ମୟୂରଭଞ୍ଜରୁ ୨ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଅନୁଗୋଳ, ବରଗଡ଼, ଦେବଗଡ଼, ଗଜପତି, ଜଗତସିଂହପୁର, କେନ୍ଦୁଝର ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇ ଥିବା ସୂଚନା ଦିଆଯାଇଛି। ହେଲେ ଦୁଃଖର କଥା ଗଞ୍ଜାମରେ ପୁଣି ଜଣଙ୍କ ମୃତ୍ୟୁ ହେବା ସହ ଜିଲ୍ଲାରେ ମୋଟ ମୃତକ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ତେବେ ଅନୁଗୋଳ ଜିଲ୍ଲାରେ ପ୍ରଥମ କରି କରୋନାରେ ଜଣଙ୍କ ମୃତ୍ୟୁ ଘଟିଛି।
