ନବନୀତା ବ୍ୟୁରୋ। ତୁମେ ! ଏଇ ତୁମେ ଶବ୍ଦଟା ମୋତେ ଏବେବି, ଏ ବୟସରେ ବାସ୍ନାଇତ କରେ। ମୋ ଭିତରେ ହଲଚଲ ସୃଷ୍ଟି କରେ। ଏକ ଅଜଣା ଶିହରଣ ମୋତେ ପୁଲକିତ କରେ। ତୁମେ ମାନେ କେବଳ ତୁମେ। ମୋର ଅତି ନିଜର। ଏମିତି କେଉଁ ମୁହୂର୍ତ୍ତ ନଥିଲା ତୁମେ ଆସିନଥିଲ ମୋ ମନକୁ। ବେଳେ ବେଳେ ତୁମେ ଅତି ବ୍ୟସ୍ତ କରି ପକାଇଲେ ଭାବେ ଭଗବାନ କଣ ମନ ଯନ୍ତଟା କେବଳ ଏକ ତରଫା ଭାବେ ମୋ ପାଖରେ ଖଞ୍ଜି ଦେଇଛନ୍ତି, ସାରା ଜୀବନ ଜଳି ଜଳି ହା ହୁତାଶ ଦେବାକୁ! ହେଲେ ଏମିତି କାହିଁକି ହୁଏଯେ, ଯାହା ଭଲ ଲାଗେ ତାହା ମିଳେନି ଆଉ ଯାହା ମିଳେ ତାହା ଭଲ ଲାଗେନି।
ମୁଁ ଜାଣେ ସବୁ ମିଛ, ଅବାସ୍ତବ। ତଥାପି ଏତେ ଲୋକଙ୍କ ଭିଡ ଭିତରେ ଏ ମନ ଜଣକୁ ଖୋଜେ। ଏତେ କୋଳାହଳ ଭିତରେ ତୁମ ଅନୁପସ୍ଥିତି ମୋତେ ଏକୁଟିଆ କରିଦିଏ। ତୁମ ଅଜଣା ସ୍ପର୍ଶ ମୁଁ ଏକାନ୍ତରେ ଅନୁଭବ କରେ। ଖାଲି ଟିକେ ଥରେ ତୁମକୁ ଦେଖିଦେଲେ, ପଦେ ତୁମଠୁ ଶୁଣି ଦେଲେ ବୋଧେ ଖୁସିର କୁଳ ଲଙ୍ଘି ଯାଆନ୍ତା ମୋର। ହେଲେ ସେମିତି କେବେ ହୁଏନି।
ମୁଁ ଜାଣେ ତୁମେ ମୋର ଲକ୍ଷ୍ୟ ନୁହେଁ। ମୁଁ ମୋ ଛୋଟ ସଂସାର ସକାଳୁ ରାତି ଯାଏ ବ୍ୟସ୍ତ। ତଥାପି ନିରୋଳାରେ, କେବେ ରୋଷେଇ କଲା ବେଳେ ତୁମେ ଆସି ମୋ ମନ ଦରଜାରେ ହାତ ମାରି ଦିଅ। ମୁଁ ତୁମ ପଛରେ ଧାଁଏ। କଣ୍ଟା ଝଣ୍ଟା ନାମାନି ଧାଏଁ।କେଜାଣି କେଉଁ ସୁଖ ପାଏ ସେଥିରୁ।
ଯେତେବେଳେ ଫେସବୁକ ଖୋଲେ ମୁଁ ତୁମ ନାଁ ଖୋଜି ଚାଲେ। କେଉଁ ନାଁ ତୁମ ଫେସବୂକ ଆଇଡିରେ ଅଛି? ଡାକ ନାଁ, ତୁମ ପୁରା ନାଁ ! କି ତୁମର ଫେସବୂକ ଆଇଡି ଜମା ନଥିବ ଏମିତି ତ କେବେ ହୋଇ ନଥିବ ! ସମୟ ପାଇଲେ ମୁଁ କେବେ ତୁମକୁ ଫେସବୁକରେ ଖୋଜିବା ବନ୍ଦ କରେନି। ଜାଣ! ତୁମ ନାଁଟା ଲେଖିବାରେ ବି ବିଜୁଳିର ତଡ଼ିତ ଖେଳାଇ ଦିଏ ମୋ ମନରେ। ଯେମିତି କିଛି ନୂତନତା, ଅଶେଷ ଚିରନ୍ତନ ଭାବ।
ହଠାତ ସେଦିନ ମୁଁ ତୁମ ନାଁ ପାଇଗଲି, ଆଉ ସଙ୍ଗେ ସଙ୍ଗେ ବନ୍ଧୁତ୍ୱର ଅନୁଗ୍ରହ ପାଇଁ ଆବେଦନ ମଧ୍ୟ କରିଦେଲି। ଯେଉଁଦିନ ତୁମେ ଫେସବୁକରେ ମୋ ବନ୍ଧୁତ୍ୱର ଆବେଦନ ଗ୍ରହଣ କରିନେଲ, ମୁଁ ଭାବିନେଲି ତୁମେ ମୋ ପାଖରେ ଅଛ। ମୋ ପାଦ ଆଉ ତଳେ ପଡୁ ନଥିଲା। ସବୁବେଳେ ଟିକେ ଟିକେ କଥାରେ ଚିଡି ଚିଡି ହେଉଥିବା, ସବୁ ଥିରେ ଖୁଣ ଦେଖୁଥିବା ମଣିଷରୁ ଦିବ୍ୟ ଗୁଣ ଧାରୀ ଦେବୀ ହେବାକୁ ଚେଷ୍ଟା କଲି। ମୋ କଥାବାର୍ତ୍ତା, ହାବ ଭାବ ଖୁଵ ବଦଳି ଗଲା। ଯେମିତି ତୁମେ ମୋତେ କେଉଁଠି ଦେଖୁଛ ।
କଲେଜ ଦିନରୁ ଅଜାଣତରେ ଅଙ୍କୁରିତ ହୋଇଥିବା ତୁମ ପ୍ରତି ସେ ଭାବାବେଶ ଯେ ଆଜି ଏତେ ବଡ଼ ଦ୍ରୁମ ହୋଇ ମୋ ମନରେ ଶାଖା ମେଲି ସାରିଛି ସେକଥା କେବଳ ମୁଁ ଜାଣେ। କେବେ କଣ ତାର ସୁରାକ ତୁମେ ପାଇନ? କେବେ କଣ ମୋ ମନର ଏତେ ଉଦବେଳନ ତୁମକୁ ଅସ୍ଥିର କରିନି? କେବେ କଣ କେଉଁ ନିରୋଳା ମୁହୂର୍ତ୍ତରେ ତୁମେ ମୋ କଥା ଭାବିନ? ଏତେ ସବୁ ଉତ୍ତୁଙ୍ଗ ଲହଡି, ଏତେ ଅସ୍ଥିରତା କେବଳ ମୋରି ଭିତରେ ହିଁ ଚାଲି ଥିଲା? ମନେ ପଡେ ନିଉଟନଙ୍କ ସେ ତୃତୀୟ ନିୟମ, “ସବୁ କ୍ରିୟାର ସମାନ ପ୍ରତିକ୍ରିୟା ଅଛି।” କେବେ କିଛି ବି ପ୍ରତିକ୍ରିୟା ସୃଷ୍ଟି କରି ନଥିଲା ମୋ ଭାବର ତୁମ ମନରେ?
ଏମିତି କେତେକଣ ଅଡୁଆ ତଡୁଆ ପ୍ରଶ୍ନ ସବୁ ଶୋଇ ରହିଥିଲା ମୋ ମନ ଭିତରେ ଆଜିଯାଏ। ବୋଧେ ପନ୍ଦର ବର୍ଷ କି ତାଠୁ ଅଧିକା ସମୟ ଏଭିତରେ ବିତି ଗଲାଣି। ତୁମେ କିନ୍ତୁ ସେମିତି ମୋ ମନକୁ କବଜା କରି ରହିଛ। କୌଣସି ମାଧ୍ୟମ ନଥିଲା ତୁମ ସହ କଥା ହେବାକୁ। ହେଲେ ଏବେବି ତୁମେ ସେମିତି ନିରବ।
ମୁଁ ପଚାରିଲି, ” କେମିତି ଅଛ? କେଉଁଠି ଏଵେ? ଘରେ ମଉସା, ମାଉସୀ, ମାଡାମ ଆଉ ପିଲାମାନେ କେମିତି ଅଛନ୍ତି? ” ମୁଁ ହିଁ ଉପରେ ପଡି ପଚାରିବାରେ ଲାଗିଥିଲି। ବୋଧେ ମୋତେ ଖୁସି ଲାଗୁଥିଲା। ହେଲେ ନା’ ତୁମ ଠାରୁ ଉତ୍ତର କମ ଆସୁଥିଲା। ଖୁବ କମ, କିଛି ଜାଣିବାକୁ ମୋ ବିଷୟରେ ତୁମର ବୋଧେ ଇଛା ନଥିଲା।
କଣ ଉତ୍ତର ନ ଦେବାଟା ନିଜର ବଡ଼ ପଣ ଦେଖାଇବା ନା କାର୍ଯ୍ୟ ବ୍ୟସ୍ତତା ନା ଉପେକ୍ଷା ?
କଲେଜ ସାଙ୍ଗ, ଏତେ ଦିନ ପରେ କଥା ହେଉଛେ। କଥା ମାନେ ଚାର୍ଟ। ଅନ୍ତତଃ ସାଙ୍ଗ ହିସାବରେ ଥରେ ପଚାରି ପାରିଥାନ୍ତ, “କେମିତି ଅଛ? ବାହା ହୋଇଛ କି ନାହିଁ? ଘରେ କେମିତି ଅଛନ୍ତି?”
ଯେମିତି ଇଣ୍ଟରଭିଉ ପରି ମୁଁ ଯାହା ପଚାରିଲି ସେସବୁ ଅଳ୍ପ କିଛି ଉତ୍ତର ଦେଇ ନିରବ ହୋଇଗଲ। ମୁଁ ଉତ୍ତର ଅପେକ୍ଷା ରେ ରହି ରହି ନିଜକୁ ବୁଝେଇଲି ବୋଧେ କାମ ଥିବ। ମାତ୍ର ତାହା ତ କେବଳ ନିଜକୁ ବୁଝାଇବା ପାଇଁ ଥିଲା। ଜାଣେନି କଣ ପାଇଁ ମଣିଷ ଏତେ ନିଜ ଭିତରେ ନିଜ ପାଇଁ ବାଡବତା ଦେଇଥାଏ। କାହାକୁ ଡରେ ସମାଜକୁ ନା ନିଜକୁ?
ମନ ଭିତରେ ତୁମ ବନ୍ଧନରୁ ବାହାରି ପାରିଲିନି ବୋଲି ଅନ୍ୟ କାହାକୁ ନିଜର କରି ପାରିଲିନି। ବାପା ମୋ ଜିଦି ଦେଖି ପ୍ରସ୍ତାବ ପଠାଇ ଥିଲେ ତୁମ ଘରକୁ ହେଲେ ରୋକ ଠୋକ ମନା କରି ଦେଇଥିଲେ ତୁମ ବାପା। ଉଚ୍ଚ ପଦବୀର ଅହଂ ବା ଆଉ କିଛି ଜାଣେନା। ତଥାପି ମୁଁ ଆହତ ହୋଇ ନଥିଲି। ସ୍ବପ୍ନ ଦେଖିବାରୁ ବିରତ ହୋଇନଥିଲି। ସେଇ… ଏକତରଫା ସ୍ବପ୍ନ ଦେଖିବାର ନିଶା। ଯେଉଁଠି ମୁହିଁ ରଚନା କରି ଚାଲିଥିଲି ଆମ ଜୀବନର ନାଟକ, ଯେଉଁଥିରେ ତୁମେହିଁ ନାୟକ ଥିଲ।
ମଣିଷ ତ ସେମିତି। ଜାଣେନି ସକାଳେ ଉଠିବ କି ନାହିଁ ହେଲେ ସେ ସ୍ବପ୍ନ ଦେଖିବା ଛାଡେନି। ସ୍ବପ୍ନ ପଛରେ ଦଉଡିଲେ ଆଞ୍ଜୁଳା ଆଞ୍ଜୁଳା ଲୁହ ଛଡା ଆଉ କିଛି ପାରେନା। ହେଲେ ତଥାପି ସେ ସ୍ବପ୍ନକୁ ସାଥି କରି ବଞ୍ଚିବାକୁ ଭଲପାଏ।
ଆରେ ଏକଣ ମୁଁ ପୁଣି ଥରେ ସେ ଭୁଲ କରିବା ଆରମ୍ଭ କଲିଣି। ଯେଉଁ ଆଖି ତୁମକୁ ଖୋଜି ଖୋଜି, ସ୍ବପ୍ନ ଦେଖି ଦେଖି ଥକି ଯାଇଥିଲା ପୁଣି ସେ ଅବାସ୍ତବ ସ୍ବପ୍ନ ଦେଖିବାକୁ ଆରମ୍ଭ କରିଛି। ଜାଣିବି ସେ ସମୟ ଗଡିଯାଇଛି। ମୁଁ ତ ସେମିତି ଜଣଙ୍କୁ ଖୋଜୁଥିଲି ଯେ ସବୁ ଅଭିମାନର ବନ୍ଦ ଡେଇଁ ମୋ ପାଖକୁ ଆସିବ। ମୋତେ ନିଜର କରିବ। ହେଲେ ଆମ ଭିତରେ ତ ମରୁର ଶୂନ୍ୟତା, ପାହାଡର ନୀରବତା।
ଥରେ ସେ ଅଶ୍ରୁର ବନ୍ୟାରେ ଭାସି ଯାଇ ନିଜକୁ ଉଦ୍ଧାର କରି ସାଷ୍ଟାମ ହେବା କେତେ ଯେ କଠିନ ସେ କଥା ମୋ ଛଡା ଆଉ କିଏ ଜାଣେ। ମୁଁ ପୁଣି ଅନ୍ଧ ପରି ତାକୁ ଚାହିଁବା ଆରମ୍ଭ କରିଛି। ଯାହା ଅସମ୍ଭବ। ମୋ କଥା ବାର୍ତ୍ତାରେ ଅହେତୁକ ପରିବର୍ତ୍ତନ ଆସିଛି। ମୁଁ ବଦଳି ଯାଇଛି। ମୁଁ ଖୁବ ଭଲ ମଣିଷ ହୋଇ ଯାଇଛି। ତୁମ ସହ ଚାଟ କରି ସାରିବା ପରେବି। ଯେମିତି ତୁମେ କେବେ ନଭାବ ତୁମ ଜୀବନରେ ଥିଲେ ତୁମେ ପଶ୍ଚାତାପ କରୁ ନଥାନ୍ତ ମୋ ପରି ଝିଅକୁ ବାହା ହେଲ ବୋଲି।
ପ୍ରଥମ ଥର ପରେ, ଥରେ ଦିଥର ନିଜକୁ ଖୁଵ ସଂଜତ କରି, କେବେ ତୁମ ଜନ୍ମଦିନ ପାଇଁ ଅଭିନନ୍ଦନ ଜଣାଇବାକୁ ତ କେବେ ତୁମ ବିବାହ ବାର୍ଷିକୀ ପାଇଁ ଶୁଭେଚ୍ଛା ଦେବାକୁ କଥା ହୋଇଥିଲି। ହେଲେ କାମର ବାହାନା ଦେଖାଇ ତୁମେ କଥା ହେବାକୁ ଟାଳି ଦେଇଥିଲ। ଶେଷ ଥର ମୋତେ ତୁମ ନମ୍ବର ବି ଦେଇଥିଲ। ମୋର ଅଭିମାନ ହେଲା କାହିଁ କେବେ ତ ଦିନେ ତୁମେ ମୋତେ ଫୋନ କରି ନଥିଲ, ମୁଁ ବି ସେଦିନ ମୋ ନମ୍ବର ଲେଖିଥିଲି।
ସବୁବେଳେ କଣ ଜଣେ ବ୍ୟସ୍ତ ରୁହେ। ନା ତୁମେ ମୋ ମୋବାଇଲ ନମ୍ବରଟି ଷ୍ଟୋର କରି ନଥିଲ? କାହିଁ ମୁଁ ତ ସଙ୍ଗେ ସଙ୍ଗେ କରିବାକୁ ଭୁଲି ନଥିଲି !ଭୁଲି ଯାଇଥିଲି କେବଳ ମୁଁ ତୁମ ନାଁ ଲେଖିବାରେ ପୁଲକିତ ହୁଏ ତୁମେ ନୁହଁ।
କଣ ଭାବୁଛ ତୁମେ, ଯଦି ଭଲରେ ଟିକେ କଥା ହୋଇଯାଅ ତେବେ ମୁଁ ମୋର ସଂସାର ଛାଡି ତୁମ କୁ ପ୍ରେମ ନିବେଦନ କରିବି। ମୋ ଅସମ୍ପୂର୍ଣ ହୃଦୟରେ ମଲମ ଲଗାଇବାକୁ ଅନୁରୋଧ କରିବି ! ଯେତେ ଅସଜଡା ମୋ ସଂସାର ହେଲେବି ତାକୁ ଛାଡି ଦେଇ ତୁମ ପ୍ରେମରେ ପାଗଳୀ ହୋଇଯିବି, ଏତ ଉଚିତ ନୁହେଁ କି ମୋ ମନ ପକ୍ଷରେ ସମ୍ଭବ ନୁହେଁ !
କେଜାଣି ମୋତେ ବହୁତ ସମୟରେ ଅପମାନିତ ଲାଗେ। ଗତଥର କଥା ହେଲା ବେଳେ ଯେମିତି ଲାଗିଲା ମୁଁ ତୁମକୁ ନିଜ ଆଡୁ ଜୋର କରୁଛି ମୋ ସହ କଥା ହେବାକୁ। ତୁମ ସମୟ ନଷ୍ଟ କରୁଛି ତୁମ ଅନିଚ୍ଛା ସତ୍ୱେ। ବହୁ ଦିନରୁ ମନ ଫରୁଆରେ ଗୋପନରେ ବନ୍ଦ ପଡି ଥିବା ଇଚ୍ଛା, “ତୁମକୁ ମୁଁ କେବେ ଭଲ ଲାଗିଥିଲି? ତୁମେ ମୋତେ ଭଲପାଅ? ” ଏଇ କଥାଟି ଜାଣିବାକୁ ସେ ଭାଵଦ୍ରୁମଟି ଆଜି ଏତେ ବଡ ହୋଇଥିଲା ମୋ ଭିତରେ। ଏଵେ ତ ଇଣ୍ଟରନେଟ ଯୁଗ। “ଆଇ ଲଭ ୟୁ ” କହିବା ବହୁତ ସହଜ ହୋଇ ଗଲାଣି। ସତରେ କିଏ ଭଲ ପାଇବାର ମାନେ ଜାଣନ୍ତି କି ନାହିଁ ତଥାପି ଏଇ ତିନୋଟି ଶବ୍ଦ କହିବା ବହୁତ ଶୁଣାଯାଉଛି। ଆଗ ପରି ଏ ଶବ୍ଦ ତିନୋଟି ଏତେ ରୋମାଞ୍ଚ ଆଣୁନି। ମୁଁ ବି ଭାବି ଥିଲି ଦବି ଯାଇ ଥିବା ଇଚ୍ଛାକୁ ପରି ପ୍ରକାଶ କରିଦେବି। ଅନ୍ତତଃ ସବୁବେଳେ ପଶ୍ଚାତାପ ତ’ କରିବିନି।
ହେଲେ ଏ ବୟସରେ ବି ତୁମର ବିମୁଖତା ଦେଖି ବୁଝିନେଲି, ଥାଉ ପଛେ ସେ ଆବେଗ ମୋ ଭିତରେ ମୁଁ ଆଉ ଥରେ ହରିବାକୁ ଚାହୁଁ ନଥିଲି। ସତ ଜାଣିଲେ କଣ ଓଲଟ ପାଲଟ ହୋଇଯିବ? ସ୍ବପ୍ନର ତାଜମହଲ ତ ମୁଁ ମୋ ମନରେ ଗଢି ଥିଲି। ତୁମେ କେବେ ଦେଖାଇ ନଥିଲ। ଏ ସବୁ ପଚାରିବା, ଜାଣିବା ମୁଁ ଆଉ ଆବଶ୍ୟକ ମନେ କଲିନି। ମୁଁ ଯେମିତି ଅଛି ମୋ ସ୍ୱାଧୀନତାରେ ଅଛି, ଖୁସିରେ ଅଛି।
ଅମାନିଆ ମନଟା ମୋରଭଲ ଭାବେ ସବୁଦିନ ପାଇଁ ବୁଝିଗଲା ଆବେଗ ହୀନ ସମ୍ପର୍କ ହିଁ ତ କେବଳ ସ୍ବପ୍ନର ମରୀଚିକା ଦେଖାଇପରେ ଯେଉଁଠି ମରୁ ତରୀ ନଥାଏ କୁଳ କିନାରାରେ ପହଞ୍ଚାଇବାକୁ। ଖାଲି ତତଲା ବାଲିରେ ଚାଲି ଚାଲି କ୍ଷତାକ୍ତ ହେବା ଛଡା ଆଉ କିଛି ରାହା ନଥାଏ।
କାର୍ଡଗୁଡି, ବାଙ୍ଗାଲୋର
9840706140
