ଲେଖିକା ମମତାରାଣୀ ଦାଶଙ୍କ ଗପ ନିଷ୍ଠୁର ସମୁଦ୍ର, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ଦିନ ସରି ବେଳ ବୁଡିବା ସମୟ ହୋଇଯାଇଛି, ପଶ୍ଚିମ ଆକାଶରେ ସୂର୍ଯ୍ୟ ନାଲି ରଙ୍ଗ ଧାରଣ କଲେଣି ମା କୋଳକୁ ଫେରିବେ ବୋଲି, ପକ୍ଷୀମାନେ ବି ବସାକୁ ଲେଉଟିବା ଆରମ୍ଭ କଲେଣି, ଠିକ ସେହି ସମୟରେ ସବୁଦିନ ପରି ଶର୍ମିଷ୍ଠା ପହଞ୍ଚିଛି ସମୁଦ୍ର କୂଳରେ।(ଏବେ ଏବେ ନୁହଁ ଦୀର୍ଘ ୧୭ ବର୍ଷ ହେବ ଏମିତି ଆସୁଛି ସେ, ବେଳ ବୁଡିବା ଠାରୁ ରାତି ଘଡ଼ିଏ ଯାଏ କୂଳରେ ବସେ, ଦେଖିଲେ ଲାଗେ ଯେମିତି ସେ ଢେଉକୁ ଗଣୁଛି, ସେଥିରୁ କିଛି ଖୋଜୁଛି।”ସୁମି ଆସେ ମା ଏବେ ଯିବା” ହଠାତ ଏହି ଡାକରେ ସେ ଉତ୍ତର ଦିଏ ଆସୁଛି ବାବା। ତା ପରେ ନିତ୍ୟାନନ୍ଦ ସୁମି ସାଙ୍ଗ ହୋଇ ଘରକୁ ଫେରିଯାନ୍ତି।) ବେଳାଭୂମିରେ ବସି ସେମିତି ଚାହିଁ ରହିଛି ସମୁଦ୍ରର ଢେଉକୁ, ଢେଉ ଗୁଡିକ କେତେବେଳେ କିଛି ଦୁରରୁ ଚାଲିଯାଉଛନ୍ତି ତ ପୁଣି କେତେବେଳେ ତାର ପାଦକୁ ଛୁଇଁଦେଇ।ହଠାତ ଢେଉ ପାଣିରେ କଣ ଗୋଟେ ଆସି ତା ପାଦରେ ଲାଗିଗଲା, ସେ ଦେଖେତ ଗୋଟେ ଛୋଟ ପାଉଜିଟେ। ଯାହାକୁ ହାତରେ ଧରି ନେଇ ସେ ଭାବନାରେ ଫେରିଯାଇଛି ତାର ସତର ବର୍ଷ ତଳର ଅତୀତକୁ। ସେଦିନ ଏମିତି ଗୋଟେ ଦିନ ସେ ତା ବାପା ଆଉ ମାଆ ସହ ଆସିଥିଲା ସମୁଦ୍ର ଦେଖିବାକୁ।

ସନ୍ଧ୍ୟା ହୋଇ ଆସୁଥାଏ ମାଆର ବାରଣ ସତ୍ତ୍ୱେ ସେ ଢେଉ ପାଣି ଓ ବାଲିରେ ଖେଳି ଚାଲିଥାଏ, ହଠାତ ବାଲିରେ ତାର ପାଉଜିଟି ହଜିଗଲା, ବାପା ତାର ପାଣି ଆଉ ବାଲିରେ ପାଉଁଜିଟି ଖୋଜୁ ଖୋଜୁ ସମୁଦ୍ର ଢେଉରେ ଟାଣି ହୋଇ ଗଭୀରକୁ ଚାଲିଗଲେ ଯେ, ସମସ୍ତ ପ୍ରକାର ସରକାରୀ ବେସରକାରୀ ଚେଷ୍ଟା ପରେ ବି ସେ ଆଉ ଫେରିଲେନି।ସେହିଦିନ ଠାରୁ ମାଆ ପାଗେଳି ହୋଇଗଲା । ୪/୫ ବର୍ଷର କୁନି ଝିଅଟି ବସି କାନ୍ଦୁଥାଏ, ସନ୍ଧ୍ୟା ଯାଇ ରାତି ହୋଇଯାଇଥିଲା ବେଳା ଭୂମିରେ ଶହ ଶହ ଲୋକ, ଧିରେ ଧିରେ ସବୁ ଚାଲିଗଲେ। ବେଳାଭୂମିରେ ଡ଼ାବ ବିକୁ ଥିବା ସେହି ଲୋକ ଜଣକ ସେଦିନ ତାକୁ ତା ସହ ଘରକୁ ନେଇ ଯାଇଥିଲା, ସେବେଠାରୁ ସେ ତାକୁ ବାବା ବୋଲି ଡାକୁଛି। ପାଉଁଜି ପିନ୍ଧିବା ଛାଡ଼ି ଦେଇଛି ସେବେଠାରୁ, ସେ ପଟିଏ ପାଉଁଜିକୁ ଆଜିଯାଏ ସାଇତି ରଖିଛି।

ପିଲାଦିନୁ ସେ ଶୁଣି ଆସିଛି ସମୁଦ୍ର ଯାହା ନିଏ ଫେରେଇ ଦିଏ, ସେଥିପାଇଁ ସବୁଦିନ ସେହି ସମୟରେ କୂଳକୁ ଆସି ଚାହିଁ ବସେ ସମୁଦ୍ର ଦିନେ ତା ବାପାଙ୍କୁ ଫେରେଇ ଦେବ। ଏ ତିକି ବେଳେ ହଠାତ ୪/୫ ବର୍ଷର ଝିଅ ଟିଏ ଆସି କହିଲା ଦିଦି ମୋ ପାଉଁଜି।ଅତୀତ ଭାବନାରୁ ଫେରି ଆସିଲା ଶର୍ମିଷ୍ଠା, ପାଉଁଜିଟି ବଢ଼େଇ ଦେଲା ଝିଅଟିର ହାତକୁ। ପାଉଁଜିଟି ନେଇ ସାରି ଝିଅଟି କହିଲା ଦିଦି ମୋ ବାପାଙ୍କୁ ଟିକେ ଡାକି ଦିଅନା, ସେ ମୋ ପାଉଁଜି ଖୋଜୁ ଖୋଜୁ କେତେ ଦୁରକୁ ଚଳିଗଲେଣି ଡାକିଲେ ଶୁଣୁନାହାନ୍ତି। ଶର୍ମିଷ୍ଠା ଯେତେବେଳେ ସେ ଲୋକଟିକୁ ଦେଖେତ ସେ କଣ କରିବ ଭାବି ପାରିଲା ନାହିଁ, କାହିଁକି ନା ସେ ଲୋକ ସେଇ ଜାଗା ଆଡକୁ ମାଡି ଯାଉଥିଲା ଯେଉଁଠି କି ଯାଇ ତା ବାପା ସବୁଦିନ ପାଇଁ ହଜି ଯାଇଥିଲେ। ସେ ଆଗକୁ କିଛି ନ ଭାବି ଗୋଟିଏ ପରେ ଗୋଟିଏ ଢେଉକୁ ଅତିକ୍ରମ କରି ଯାଇ ଧରି ନେଇଥିଲା ସେ ଲୋକର ହାତକୁ, ସେତେବେଳେ ତାର ମୁଣ୍ଡକୁ ଗୋଟିଏ କଥା ଆସିଥିଲା ଅତୀତର ପୁନରାବୃତ୍ତି ପୁଣି ଥରେ ନ ହେଉ, ଏ ନିଷ୍ଠୁର ସମୁଦ୍ର ଆଉ ଗୋଟେ ଶର୍ମିଷ୍ଠାକୁ ବାପା ଛେଉଣ୍ଡ କରି ନଦେଉ ।

– ଭଦ୍ରକ