ପଶ୍ଚିମ ଓଡ଼ିଶାର ଜଣାଶୁଣା ଲେଖିକା ଲିପ୍ସା ପଟେଲଙ୍କ ଗପ ଭୟ, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ନୂଆ ଘର। ନୂଆ ଘରର ପ୍ରଶସ୍ତ ବାଲକୋନୀ।
ନୂଆ ଘର….. ଘରଟିଏ ହେଉ କି ନାଇଁ କିନ୍ତୁ ଏକ ଆଖିଦୃଶିଆ ସୁଉଚ୍ଚ ଅଟ୍ଟାଳିକା। ମାସଟାଏ ନ ପୂରୁଣୁ ସାଉଁଟିଛି କେତେ ପ୍ରଶଂସା, କେତେ ଟିପ୍ପଣୀ।
ପ୍ରଶସ୍ତ ବାଲକୋନୀର ଆରାମ ଚୌକିରେ ବସି ଦୁଇଟି ଆଖି ବନ୍ଦକରି କେତେ କଣ ଭାବୁଥିଲେ ନିଶିକାନ୍ତ। ଆଉ ଆଠ ମାସ ରହିଲା ଚାକିରି। ବିଗତ ପଇଁତିରିଶ ବର୍ଷର ଚାକିରି, ସହଯୋଗୀ, ଅଫିସ୍ କାମ,ଦିନଚର୍ଯ୍ୟା ସବୁ ତ ବଦଳିଯିବ।
ବଦଳିଯିବ ଜୀବନ। କୋଉ ସରକାରୀ ଚାକିରି ଯେ ପେନସନ୍ ମିଳିବ। ଅବସର ପରେ ସମୟ ହିଁ ସମୟ; କିନ୍ତୁ ନ ଥିବ ଯଥେଷ୍ଟ ଅର୍ଥ ଅବା ପ୍ରତିଷ୍ଠା।
ପ୍ରାତଃ ଭ୍ରମଣରେ ବରାବର ପାର୍କକୁ ଯାଇ ଯାଇ ସେଠାରେ ଠୁଳ କରିଛନ୍ତି କିଛି ସାଙ୍ଗସାଥି।ଅନ୍ତତଃ ଏତିକି ଭରସା।
ହଠାତ୍ ତାଙ୍କ ଚିନ୍ତାରେ ବିଭ୍ରାଟ କରି ଶୁଣାଗଲା ଏକ ଚିତ୍କାର।
-ହେଇଟି, କାଲି ଆମ ଘରେ କିଟିପାର୍ଟି ରଖିଛି। ତୁମେ ଯାଇ ଏଇ ଚିଠାର ସବୁ ଜିନିଷ ନେଇ ଆଣ। ମୋ ସାଙ୍ଗମାନେ ଆମ ନୂଆ ଘରେ କିଟିପାର୍ଟି ରଖିବାକୁ ଅନୁରୋଧ କରିଛନ୍ତି। ମୁଁ କେମିତି ନିରାଶ କରିବି କହିଲ?
– ହଁ, କେମିତି ନିରାଶ କରିବ? ନିରାଶ ତ କେବଳ ମୋତେ ହିଁ କରିଜାଣିଛ। ପାଣି ଗ୍ଲାସ ମାଗିବାର ଅଧଘଣ୍ଟାଏ ପରେ ବି ମିଳିବ କି ନାଇଁ କିଏ କହିପାରେ। ମୋ ଚଷମା, ପଢା ବହି ସବୁବେଳେ ତୁମ କାମରେ ବାଧା ଦିଏ। ଦି’ଥରରୁ ତିନିଥର ଚା ବରାଦ କରିଦେଲେ କେତେ କଲବଲ କରିଦେବ ତୁମେ ମଣିଷକୁ।
ଛାଡ! ମନେ ମନେ ଏସବୁ ଭାବି ବାହାରିଗଲେ ନିଶିକାନ୍ତ। ବାଟରେ ଚିଠାଟି ଖୋଲି ଦେଖିଲାରୁ ଅନୁମାନ କରିପାରିଲେ ଏକ ଭବ୍ୟ ଭୋଜିର ଆୟୋଜନ ହେବ। କାଲି ପାଇଁ ତାଙ୍କୁ ପୁଣି କିଛି ବ୍ୟବସ୍ଥା କରିବାକୁ ପଡ଼ିବ। କିଟିପାର୍ଟି ଚାଲିଲା ବେଳେ ସେ ଆଉ ଘରେ ରହିପାରେ କି! ନିଜ କୋଠରୀରେ ରହିଲେ ହୁଅନ୍ତା; ମାତ୍ର ସରିତାଙ୍କୁ ଏହା ପସନ୍ଦ ନୁହେଁ।
ଦୋକାନୀକୁ ଚିଠାଟା ବଢାଇ ଦେଲା କ୍ଷଣି ତା ପଟୁ କହିଲା, ହୋମ୍ ଡେଲିଭରି କରିଦେବି,ସାର୍।ଆଶ୍ଚର୍ଯ୍ୟ! ଏତେ ବର୍ଷ ନିଜେ ଜିନିଷ ବୋହି ବୋହି ନେଉଥିଲେ ଆଉ ଆଜି ହଠାତ୍ ଏ ବ୍ୟତିକ୍ରମ?
ନିଶିକାନ୍ତଙ୍କ ମୁହଁର ଭ୍ରୁକୁଞ୍ଚନ ଦେଖି ଦୋକାନୀ କହିଲା, ଆପଣଙ୍କ ନୂଆ ଘରର ଚର୍ଚ୍ଚା ସାରା ସହରରେ ହେଉଛି। ଜିନିଷ ଦେବା ପାଇଁ ଗଲେ ଟିକିଏ ଦେଖି ଆସିବି ତ ସାର୍।
ହାତ ଯୋଡି ଅତି ଚତୁରତାର ସହିତ ତାପଟୁ ବିଦାୟର ସୂଚନା ଦେଇଦେଲା ଦୋକାନୀ।ନିଶିକାନ୍ତ ଫେରିଆସିଲେ। ବାଟରେ ଦେଖାହୋଇଗଲା ଜଣେ ଭଦ୍ରବ୍ୟକ୍ତିଙ୍କ ସହ। ପୁଣି ସେଇ ଘର ବିଷୟରେ ଚର୍ଚ୍ଚା। ଏତେ ପଇସା କୋଉଠି ରଖିଥିଲେ? ପାଖାପାଖି କୋଟିଏ ଟଙ୍କାର ଘର।
ଅବସର ପୂର୍ବରୁ ଘରଟିଏ କଲେ ହିଁ ଭବିଷ୍ୟତ ସୁରକ୍ଷିତ ବୋଲି ବାରମ୍ବାର କହୁଥିଲେ ସରିତା। ତାଙ୍କୁ କେବେ ସେ ବିରୋଧ କରିପାରନ୍ତି କି? ନିଜ ଅନିଚ୍ଛାରେ ସେ ଗାଁର ପୈତୃକ ସମ୍ପତ୍ତି ବିକିଦେଲେ। ତାଙ୍କ କେତେ ପୁରୁଷର ଘର ଓ ଜମି। ଏକଥା ତାଙ୍କ ମନରେ ଆତ୍ମଗ୍ଳାନି ଭରିଦେଉଥିଲା। କେମିତି ଦାୟଦ ସେ? ନିଜ ପୂର୍ବପୁରୁଷଙ୍କ ସନ୍ତକକୁ ସମ୍ଭାଳି ରଖିପାରିଲେନି। ଏବେ ଆଉ ଫେରି ହେବନି ଗାଁକୁ।
ଅବସର ପରେ ଭବିଷ୍ୟନିଧି ପାଣ୍ଠିରୁ ମିଳିବ କିଛି ଅର୍ଥ ଓ କିଛି ଜମାପୁଞ୍ଜି। କେମିତି ଶୁଣିବେ ଋଣ? ପୁଅ ଅବଶ୍ୟ ଚାକିରି କଲାଣି। ଭଲ ରୋଜଗାର ମଧ୍ୟ କରୁଛି। ଝିଅ ବାହାଘର ବି ସରିଛି। ଯାହା ରହିଲା ପୁଅ ବାହାଘର। ଅନେକ ମତ ଦିଅନ୍ତି, ଅବସର ପୂର୍ବରୁ ସବୁ ଦାୟିତ୍ବ ତୁଲାଇଦେବା ଉଚିତ। ଏକଥାକୁ ନିଶିକାନ୍ତ ଏବେ ଉପଲବ୍ଧି କରୁଛନ୍ତି।
ପାର୍କରେ ବନ୍ଧୁମେଳରେ ସେ ମନ କଥା କହି ହାଲୁକା ଅନୁଭବ କରନ୍ତି। ଦିନେ ପରାସରବାବୁ କହିଲେ, ତୁମେ ସୋସିଆଲ୍ ମିଡିଆରେ ଗୋଟିଏ ଆକାଉଣ୍ଟ ଖୋଲ। ଭଲରେ ସମୟ କଟିଯିବ। ନିଶିକାନ୍ତଙ୍କୁ ଏସବୁ ଅଜଣା। ତେଣୁ ପରାସରବାବୁ ଆକାଉଣ୍ଟ ଖୋଲି ଶିଖେଇ ଦେଲେ, ଏମିତି ଫଟୋ ପଠେଇବ, ଏମିତି ଟ୍ୟାଗ୍ କରିବ, କେମିତି ଲଗ୍ ଇନ୍ ଓ ଆଉଟ୍…….ଇତ୍ୟାଦି ଇତ୍ୟାଦି।
ନିଶିକାନ୍ତଙ୍କ କୌତୁହଳତା ବଢିବାକୁ ଲାଗିଲା। ମିଛମାୟା ଦୁନିଆର ଲୋକ ଖୁବ୍ ନିଜର ଲାଗି ବସିଲେ। ଏବେ ସେ ଆଉ ଏକଲାପଣରେ ଛଟପଟ ହେଉନାହାନ୍ତି। ତାଙ୍କ ଜୀବନ ରୋମାଞ୍ଚକର ହୋଇ ଯାଇଛି।
ପୁଅ ଆସିଲା ଛୁଟିରେ। ମା, ପୁଅର ଗପ ଜମିଲା। ସରିତା କିଛି କହିବାକୁ ଚାହୁଁଥିଲେ।ପୁଅ ବାହାଘର ଛଡା ସବୁ ଶୁଣିବାକୁ ରାଜି ଥିଲା। ସରିତା ମଧ୍ୟ ପୁଅକୁ ଶୀଘ୍ର ବାହା କରାଇବା ସପକ୍ଷରେ ନଥିଲେ। ଘରକୁ ବୋହୂ ଆସିଲେ ସେ ବୁଢୀ ହୋଇଯିବେ ବୋଲି ତାଙ୍କର ଧାରଣା।
-ସରିତା ଆରମ୍ଭ କଲେ, ମୋ ମନର ଭ୍ରମ କି ସତ ମୁଁ ଜାଣିପାରୁନି। ତୋ ବାପାଙ୍କ ମୁହଁ ତ ବହି ଓ ମୋବାଇଲରୁ ହଟୁନି।ତୁ ମୋର ସୁନାପୁଅଟା ବୁଝିବୁ ବୋଲି କହୁଛି।
ପୁଅର ଜିଜ୍ଞାସା ବଢିଗଲା।
-ଏ ଘରେ ସବୁ ରାତିରେ ମୁଁ ବାଲକୋନୀ ପାଖରେ ଗୋଟିଏ ଛାଇ ଦେଖୁଛି। ଭୂତପ୍ରେତର ଭୟ ଓ ଆଶଙ୍କା ମୋତେ ଇତସ୍ତତଃ କରୁଛି। ତୁ ବି ଟିକିଏ ଧ୍ୟାନ ଦେବୁ।
ପୁଅ ହସିଲା; କିନ୍ତୁ ମା ମନର ଭୟ ଦୂର କରିବା ପାଇଁ ଆଶ୍ଵସ୍ତ କଲା।ହଉ, ଦେଖିବା, ଭୂତକୁ ଧରିବା। ସରିତା କିନ୍ତୁ ଥଟ୍ଟା କରିବା ମନୋସ୍ଥିତିରେ ନଥିଲେ।
– ତେବେ ଆଜି ରାତିରେ ହିଁ ଏଇ କାମଟା କରିବା,ହେଲା? ସରିତା ବ୍ୟଗ୍ର ହୋଇ କହୁଥିଲେ।
– ପୁଅ ଉତ୍ତର ରଖିଲା, ଭୂତ କଣ ତୁମକୁ ସମୟ, ନିର୍ଘଣ୍ଟ ଜଣାଇ ଆସିବ କି? ତଥାପି ଦେଖିବା, ସତର୍କ ରହିବା।
ଅଧରାତିରେ ମା, ପୁଅର ଭୂତଧରା ଅଭିଯାନ ଆରମ୍ଭ ହେଲା। ପୁଅ ମଧ୍ୟ ଦେଖିଲା ବାଲକୋନୀରେ ଏକ ଲମ୍ବା ଛାଇ। ମା’ର ସନ୍ଦେହ ଠିକ୍ ତେବେ! ଭୂତ ନହେଉ ପଛକେ ଚୋର ହୋଇଥାଇପାରେ।
ସରିତା ହନୁମାନ ଚାଳିଶା ପଢିଚାଲିଥିଲେ। ପୁଅ ହାତରେ ହକିଷ୍ଟିକ୍ ଓ ଚାଦର ଧରିଥିଲା। ମା, ପୁଅ ପାଦ ଚିପି ଚିପି ଆଗକୁ ବଢୁଥିଲେ। ପୁଅ ଦୌଡି ଯାଇ ଚାଦରଟା ସେ ଲୋକ ଉପରେ ଫିଙ୍ଗିଦେବା ପାଇଁ ଉଦ୍ୟତ ହେଲା ବେଳେ ମା, ପୁଅ ଆଶ୍ଚର୍ଯ୍ୟ ହୋଇ ମୁହଁ ଦେଖାଦେଖି ହେଲେ।
– ଆରେ! ଇଏ କଣ? ତୋ ବାପା ଏଇଠି? କଣ କରୁଛ ଏତେ ରାତିରେ?
-ସେପଟୁ ଭିଡିଓ କଲରେ କାହାର ଶବ୍ଦ ଶୁଭୁଥିଲା, ହ୍ୟାଲୋ ….. ହ୍ୟାଲୋ।

ଭବାନୀପାଟଣା