ନବନୀତା ବ୍ୟୁରୋ, ଭୁବନେଶ୍ୱର। – ମୋର କାର୍ଟୁନ୍ ଚେନାଲ୍ ଟିକେ ଲଗାଇଦେଉନ ମୁଁ ଦେଖିବି।
– ଯା’ ରେ ବାବା , ବାହାରେ ଖେଳୁନୁ? ସନ୍ଧ୍ୟା ପରେ ଏ ବି ସି ଡି ପଢ଼ି ସାରି, ଟିଭି ଦେଖିବା ,ଓକେ !!
– ନାଇଁ , ମୁଁ କାହା ସହ ଖେଳିବିନି …
-କାହିଁକିରେ ବାବା ! କ’ଣ ହେଲା ? କିଏ କିଛି କହିଲା କି ମୋ ଗୁଡ୍ ବୟ ଟା କୁ !
– ସେମାନେ ମୋ ସହ ଝଗଡ଼ା ହେଉଛନ୍ତି ।
– ଆଚ୍ଛା, ହଉ ଆସେ, ମୁଁ ଖେଳିବି ତୋ ସହ …
– ତୁମେ ବଲ୍ ଫିଙ୍ଗ , ମୁଁ ବ୍ୟାଟିଂ କରିବି ।
*****
– ବାବାରେ , କାଲି କ’ଣ ଅଛି ?
– ସାହିତ୍ୟ ଅଛି ବାପା । ଆସିଲ ,ଟିକେ ପଚାରିଲ !! ତୁମେ ଯାହା ପଚାରିବ, ସେଇଟା ନିଶ୍ଚୟ ପରୀକ୍ଷାରେ ଆସିବ ।
– (ମନେ ମନେ ହସି ଦେଲେ) ଆଚ୍ଛା ହଉ ଦେ , ପାଗଳାଟା ….( କିଛି ପ୍ରଶ୍ନୋତ୍ତର ସରିଲା )…ବାଃ , ଭେରି ଗୁଡ୍ । ହଉ ବାବା ଚାଲ୍ ଶୋଇବା ଏବେ ।
– ବାପା, ଆଉ ଟିକେ ବସ ନା , ଆଉ ଦି ଚାରି ଟା ପ୍ରଶ୍ନ ପଚାରି ଦିଅନା !!
– ବାବାରେ , ରାତି ୧୧ଟା ହେଲାଣି ପା ! କାଲି ସକାଳେ ପୁଣି ତୋର ସ୍କୁଲ ଟିଉସନ୍ ଅଛି। ମୁଁ ପୁଣି ୧୦ ଟାରେ ଅଫିସରେ ପହଞ୍ଚିବାକୁ ଅଛି । ଚାଲ୍ ବାବା ଶୋଇବା । ଆଜି ଏତିକି ଥାଉ ।
– ଆଚ୍ଛା, ହଉ ଚାଲ ।
*****
– ବାବାରେ , କ’ଣ ଶୋଇନୁ ?
– ନା ,ବାପା, କାମ ଅଛି ଟିକେ, ସାରିଲେ ଶୋଇବି। ପ୍ରୋଜେକ୍ଟ ପାଇଁ ଡେଡ୍ ଲାଇନ ଅଛି ପା ମନ୍ଥ୍ ଏଣ୍ଡ୍ ରେ …. ନହେଲେ ବେଞ୍ଚ୍ … !!!
– କାମ କର୍ ଯେ, ଟିକେ ଦେହର ଧ୍ୟାନ ବି ନେ ରେ….
– ହୁଁ ….. ତୁମେ ଜମ୍ମା ବ୍ୟସ୍ତ ହୁଅନ୍ତି ବାପା ।
– ଅଫିସରୁ ଡେରିରେ ଫେରୁଛୁ, ତା’ପରେ ବି ….
– ଓଃ, ବାପା…. କାହିଁକି ଏତେ ଚିନ୍ତା କରୁଛ ଯେ ??
– ନା… ରେ…. ସେମିତି କିଛି ନୁହଁ। ତୁ ବାପା ଟିଏ ହେଲେ ବୁଝି ପାରିବୁ। ତୋ ବୋଉଟା ଥିଲେ କେତେ ଖୁସି ହୁଅନ୍ତା । ତା ପୁଅ କେତେ ବଡ଼ କମ୍ପାନୀରେ ଚାକିରୀ କରିଛି ! କେତେ ଦିଅଁ ଦେବତାଙ୍କୁ ପୂଜା ଦିଅନ୍ତା। ତୋ ଦେହପା’ ଯତ୍ନ ନିଅନ୍ତା । ହତଭାଗିନୀ ଟି ଏ । ସବୁ ଖୁସି ଦେଖିବା ଆଗରୁ ଆଖି ବୁଜିଦେଲା …
– ହଉ ହଉ ତୁମେ ଗଲ , ଔଷଧ ଖାଇ ଶୋଇବ । ରେଷ୍ଟ୍ ନେବାକୁ ଡାକ୍ତର କହିଛନ୍ତି ପରା !!
– ହେ… ହେ… କି ରେଷ୍ଟ୍ ନେବିରେ ? ସରକାର ତ ବୟସ ସୀମା ପରେ, ସଂପୂର୍ଣ୍ଣ ରେଷ୍ଟ୍ ଦେଇଦିଅନ୍ତି ଆମ ସରକାରୀ ଚାକିରୀଆମାନଙ୍କୁ ।
– ହ ହଉ, ସେ ସବୁ ନ ଗପି ଗଲ ଶୋଇବ !
*****
– ବାପା, ଚାଲୁନ ଟିକେ ଆଜି ବାହାରେ ଖାଇବା ! ଏଇ ସୀମାକୁ ଟିକେ ମନ ହେଉଛି ହୋଟେଲରେ ଖାଇବାକୁ !
– ନା….ରେ….. ମୁଁ ତ ସେ ହୋଟେଲ୍ ଫୋଟେଲ୍ ରେ ଖାଇବାକୁ ଏତେ ଭଲ ପାଏନି ତୁ ଜାଣୁ …. ତୁମେ ଦୁହେଁ ଯାଅ ।
– ହ ହଉ ଆମେ ଫେରିବା ସମୟରେ ବାପାଙ୍କ ପାଇଁ ଟିକେ କ’ଣ ନେଇ ଆସିବା ।
– ଯାଅ, ଶୀଘ୍ର ଫେରି ଆସିବ, ମେଘ ପବନ ଆସୁଛି , ବେଶୀ ଅନ୍ଧାରକୁ ରହିବନି । ମୁଁ ଟିଭି ଦେଖୁଛି ହେଲା ? ଯା ବାବା …
*****
– ବାପା, ପିଲାଙ୍କୁ ନେଇ ଆମେ ଯିବା ଚାଲ ,ଟିକେ ବୁଲି ବାଲି ଆସିବା !! ଫ୍ରେସ୍ ଲାଗିବ , ଚାଲ, ବାହାର ।
– ନା, ରେ, ଆଣ୍ଠୁ ଗଣ୍ଠି ଧରୁଛି, ବେଶି ସମୟ ବୁଲି ପାରିବିନି ରେ ବାବା, ….. ମୁଁ ଘରେ ଅଛି ବିଶ୍ରାମ କରୁଛି ।( ଖୁଁ…ଖୁଁ… ଖୁଁ…) ଯାଅ ପିଲାଙ୍କୁ ଟିକେ ବୁଲେଇ ଆଣ ।
– ହଉ ସୀମା, ମୁଁ ପିଲାମାନଙ୍କୁ ଡ୍ରେସ ପିନ୍ଧାଇ ଦେଉଛି, ତୁମେ ବାପାଙ୍କ ଖାଇବା ବାଢ଼ି , ଟେବୁଲ ଉପରେ ରଖି ଦିଅ ।
ବାପା , ଆମେ ଆସୁଛୁ। ଖାଇସାରି , ଔଷଧ ନେଇ ନବ ।
– ହଁ ବାବା, ତୁ ଚିନ୍ତା କରନା, ଶିଘ୍ର ଆସିବ, ପିଲାଗୁଡା ଶୋଇ ପଡ଼ିବେ ନହେଲେ !
*****
– ବାବା ରେ …. , ଏ ଠି କି ଟି କେ ଆ !!! କଥା ହୁଅନ୍ତେନି ?
– ହଁ, ବାପା କୁହ ।
– ମୁଁ ତ ଆଉ ଉଠି ବସି ପାରୁନାହିଁ । ପିଲାଦିଟା’ କେମିତି ଚୁପ୍ ଚାପ୍ ବସିଯାଉଛନ୍ତି ରେ ! ତାଙ୍କ ସହ ଖେଳିଲେ ଯେଉଁ ଆନନ୍ଦ ମିଳେ , ଆହା !! ଆଉ ତ ବେଶି ଖେଳି ପାରୁନି , ସେମାନଙ୍କ ସାଙ୍ଗରେ, ତୁ ଟିକେ ସମୟ କାଢ଼ି ଖେଳୁନୁ ! ସେମାନେ ବାପା ମା’ ଙ୍କ ସହ ଖେଳିଲେ ଯେମିତି ଖୁସି ହେବେ, ତା’ ୟେ କମ୍ପ୍ୟୁଟର, ଲାପଟପ୍ , ଟାବଲେଟ୍ , ମୋବାଇଲ୍ , ଆଇଫୋନ୍ ରୁ କ’ଣ ମିଳି ପାରିବ ? ନା ତାଙ୍କର କୌଣସି ଶାରିରୀକ ପରିଶ୍ରମ ହେବ , ନା ତାଙ୍କୁ ଭୋକ ହେବ , ନା ପିଲାଏ ସୁସ୍ଥ ରହିବେ ! କହିଲୁ ଦେଖି !! ତୋ ପାଇଁ ତ କେବେ ବି ମୋତେ ଡାକ୍ତର ପିଣ୍ଡା ମାଡ଼ିବାକୁ ପଡ଼ିନିରେ !
– ହଁ , ଯେ ବାପା , ଦେଖୁଛ ତ କାମର ପ୍ରେସର କେମିତି ? ସକାଳୁ ଯାଉଛି, ରାତିରେ ଫେରୁଛି । ୟେ କ’ଣ ସରକାରୀ ଚାକିରୀ ହୋଇଛି ! ପ୍ରାଇଭେଟ୍ ଚାକିରୀ ପା ! ଏମିତିକି ତୁମ ସହ କଥା ଟିକେ ହେବାକୁ ସମୟ ମିଳୁଛି ! ଆଉ ପିଲାଙ୍କ କଥା କହୁଛ , ସୀମା ତ ସେ ଦାୟିତ୍ୱରେ ଅଛି ନା , ସେ ତାର ବୁଝୁଛି ।
– ହଁ ….. ସତରେ ପରିବାର ଟିଏ ସମ୍ଭାଳିବାକୁ ଚାରୋଟି ହାତ ଓ ଚାରୋଟି ଗୋଡ଼ ଦରକାର !! ତୋ ମା’ ଟା ରୋଗରେ ମରିଗଲା। ତୋତେ ଆଉ ଗୋଟିଏ ମା’ ଟିଏ ନ ଦେଇ , ମୁଁ ନିଜେ ଚତୁର୍ଭୁଜ ଓ ଚତୁଃସ୍ପଦ ହୋଇ ଯାଇଥିଲି !! ଜୀବନର ଏ ଅଙ୍କକଷା ବୋଧହୁଏ ମୋର ଭୁଲ୍ ହୋଇଗଲା କି ? ଜାଣେନା ମୋ ନିଷ୍ପତ୍ତି ଠିକ୍ ଥିଲା କି ଭୁଲ୍ ! ସ୍ୱାମୀ ର ସ୍ତ୍ରୀ ଟିଏ ଦରକାର ଥିଲା , ନା ପୁଅର ମା’ଟିଏ !! ଏ ଶଯ୍ୟାଶାୟୀ ସମୟରେ ଭାବୁଛି, କେତେ କଷ୍ଟକର ଏ ନିଃସଙ୍ଗ ଜୀବନ , ସତରେ !! ଗୋଡ଼ ହାତ ଚାଲୁ ଥିବା ସମୟରେ ହିଁ ଉପରକୁ ଚାଲିଗଲେ ଭଲ … ଅନ୍ୟ ଉପରେ ବୋଝ ହେବା ଅପେକ୍ଷା । ହେ ପ୍ରଭୁ … !!!
– ବାପା !!
( ବାଙ୍ଗାଲୋର )
ଲେଖିକା ବିଶ୍ଵ ଭାରତୀ ଦାଶଙ୍କ ଗପ ସମୟର ଚକ, ପଢନ୍ତୁ
