ସାମ୍ପ୍ରତିକ ସ୍ଥିତିକୁ ନେଇ ଲେଖକ ତନ୍ମୟ ସାହୁଙ୍କ ଚମତ୍କାର ଆଲେଖ୍ୟ ଅଦୃଶ୍ୟ ଶତ୍ରୁ!

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ, ଭୁବନେଶ୍ୱର। ଆଜି ପୁରା ବିଶ୍ୱରେ ଯେଉଁ କୋରୋନା ଭୁତାଣୁର ଭୟା ଭୟ ଦୃଶ୍ୟ ଦେଖିବାକୁ ମିଳୁଛି, ଏଥିରେ ମାନବ ସମାଜର ପ୍ରତ୍ୟେକଟି ଲୋକ ଭୟ ସହିତ ହନ୍ତସନ୍ତ ହେଇଗଲାଣି। ଆଜିର ମାନବ ସମାଜଏହି ପରିସ୍ଥିତି ବୋଧେ ଜୀବନକାଳ ମଧ୍ୟରେ ପ୍ରଥମଥର ପାଇଁ ଅନୁଭବ କରୁଛି। ବହୁତ ଗୁଡ଼ାଏ କଥା ଯାହା ଛୋଟ ବେଳୁ ଶିଖା ଯାଉଥିଲା କିମ୍ବା ପଢା ଯାଉଥିଲା, ଏହି ପରିସ୍ଥିତିର ସାମ୍ନା କରିବାକୁ ସେ ସବୁ ଶିକ୍ଷାର ବିପରୀତ ଉପଦେଶ ମିଳୁଛି। ଯେମିତିକି ସାମାଜିକ ପ୍ରାଣୀ ହୋଇ ମଧ୍ୟ ଅଲଗା ରହିବା, ପରିବାର ମଧ୍ୟରେ ଥାଇ ମଧ୍ୟ ଦୂରତା ବଜାୟ ରଖିବା, ନିସଙ୍ଗ ଜୀବନ ଯାପନ କରିବା, କାମ ନକରି ଘର ଭିତରେ ରହିବା ଇତ୍ୟାଦି ଇତ୍ୟାଦି। କେମିତି କେଜାଣି ପୁରା ବିଶ୍ୱରେ କଣ ଗୋଟିଏ ବ୍ୟତିକ୍ରମ ହେଇଯାଇଛି ଭଳିଆ ମନେ ହଉଛି। କିଛି ଲୋକ ନୂଆ ନୂଆ କିଛି ଦିନ କବାଟ କିଳି ଘର ଭିତରେ ରହିଗଲେ। କିନ୍ତୁ ଯହୁଁ ଯହୁଁ ଦିନ ଗଡ଼ି ଚାଲିଛି ତହୁଁ ତହୁଁ ମୁଣ୍ଡ ପାଗଳ ହେଇଗଲା ଭଳିଆ ଲାଗୁଛି। ଆଉ କେତେ ଦିନ ମଣିଷ ଏମିତି ମଣିଷତ୍ୱ ହରେଇ ବଞ୍ଚିବ। ସେହି ପ୍ରଶ୍ନର ଉତ୍ତର ପ୍ରାୟତଃ କାହା ପାଖରେ ନାହିଁ। ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା, ଏମିତି କେତେ ଦିନ ଚାଲିବ କେହି ଜାଣିନାହାନ୍ତି। ବିଶ୍ୱର ବୈଜ୍ଞାନୀକମାନେ ବିଜ୍ଞାନର ଗର୍ବରେ କହୁଥିଲେ ଭଗବାନ ବୋଲି କିଛି ନାହିଁ, ଏ ବିଶ୍ବରେ ଯାହା ବି ହଉଚି ସବୁ ବିଜ୍ଞାନର କରାମତି। କିନ୍ତୁ ମାତ୍ର କେଇଟା ଦିନ ଭିତରେ ପୁରା ବିଶ୍ୱବାସୀ ପୁଣି ଭଗବାନଙ୍କ ପାଖରେ ଆଣ୍ଠେଇଲେଣି। ଏତେ ବଡ଼ ବିଶ୍ୱ ଯେ ଏଇ କେତେଟା ଦିନ ଭିତରେ ରସାତଳକୁ ଖସିଯିବ ଏହା କେହି କେବେ କଳ୍ପନା କରିନଥିବେ। ଆଜି ଦିନରେ ଉତ୍ପାଦନ ବନ୍ଦ, ବ୍ୟବସାୟ ବନ୍ଦ, ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ, ଶେଆର ବଜାର ଅବସ୍ଥା ଖରାପ, ଅର୍ଥନୀତିର ବ୍ୟାଣ୍ଡ ବାଜିଲାଣି, ଆହୁରି ଆଗକୁ କଣ ହେବ ଜଣା ନାହିଁ। ଏହି ଭୁତାଣୁ ଏମିତି ଏକ ଭୁତାଣୁ ଯେ ଇନ୍ଦ୍ର ଚନ୍ଦ୍ର ମାନୁ ନାହିଁ। ଧନୀ, ଗରିବ ସମସ୍ତଙ୍କୁ ଗ୍ରାସ କରୁଛି। କିଏ କେମିତି ବଞ୍ଚିବ ବୁଦ୍ଧି ବାଟ ଦିଶୁନି। ଦଣ୍ଡେ ଘରେ ନରହିବା ଲୋକ ଘରେ ୨୪ ଘଣ୍ଟା ରହିଲେଣି। ପୁରା ବିଶ୍ୱରେ ଏବେ ହାହାକାର। କହିବାକୁ ଗଲେ, ବିଶ୍ବର ଘଡି ଅଟକି ଗଲା ପରି ଲାଗୁଛି।

ସବୁଠୁ ବଡ଼ ପ୍ରଶ୍ନ ଏହି ପରିସ୍ଥିତି କେବେ ସାମାନ୍ୟ ହେବ। ଯଦି ସାମାନ୍ୟ ହୁଏ, କେତେ ଦିନ କିମ୍ବା କେତେ ବର୍ଷ ଲାଗିବ ଆମକୁ ପୂର୍ବାବସ୍ଥାକୁ ଫେରିବା ପାଇଁ। ଏଇଟା ଭାବିଲେ ମୁଣ୍ଡ ଆହୁରି ପାଗଳ ଲାଗି ଯାଉଛି। କିନ୍ତୁ ଏତେ ବେସି ନ ଭାବି ଏ ଜୀବନକୁ କେମିତି ବଞ୍ଚେଇବେ ସେଇ ଚେଷ୍ଟା କରନ୍ତୁ। ଲୋକ ବଞ୍ଚିଲେ ଦେଶ ବଞ୍ଚିବ ବା ବିଶ୍ୱ ବଞ୍ଚିବ।

ବିନମ୍ର ଅନୁରୋଧ ଘର ବାହାରକୁ ଯାଉନ୍ତୁ ନାହିଁ ଆଉ ମାଗଣା ରେ କୀଳାକୁ ହୁଇସିଲି ମାରି ଡାକନ୍ତୁ ନାହିଁ।