ନବନୀତା ବ୍ୟୁରୋ। ୧୦ ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି। ପୁରୀରେ କାର୍ଯ୍ୟକାରୀ ଅବଢ଼ା ଯୋଜନା ପାଇଁ ୩ ହଜାର ୨୦୮ କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଏହି ଅର୍ଥ ଆସନ୍ତା ୩ ବର୍ଷ ମଧ୍ୟରେ ଖର୍ଚ୍ଚ ହେବ। ଏଥିସହ ବିଭିନ୍ନ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ପାଇଁ ପ୍ରସ୍ତାବକୁ କ୍ୟାବିନେଟରେ ପାସ୍ କରାଯାଇଛି। ଆସନ୍ତା ୨୪ ମାସ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରି ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ।
ଏହା ବ୍ୟତୀତ ତଫସିଲଭୁକ୍ତ ଜାତି, ଉପଜାତି, ଉତ୍ତରାଧିକାରୀ, ଅଭିଭାବକ, ବାସିନ୍ଦା, ଆୟ, ସମ୍ପତ୍ତି, ଅନ୍ୟାନ୍ୟ ପଛୁଆ ବର୍ଗ ପ୍ରମାଣପତ୍ର ପ୍ରଦାନ ପାଇଁ ଦେୟ ଛାଡ ଲାଗି କ୍ୟାବିନେଟ୍ ମୋହର ମାରିଛି। ତାସହ ହିନ୍ଦୁ ଦେବୋତ୍ତର ଅଧିନିୟମ ୧୯୫୧ର ସଂଶୋଧନ, ଅମଲା ସେବା ନିୟମାବଳୀ ୨୦୧୯ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।
କେବଳ ଏତିକି ନୁହେଁ, ଶ୍ରମ ବିଭାଗର ଅତିରିକ୍ତ ୨୯୬ ପଦବୀ ପୂରଣ ପାଇଁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ୯୦ ପ୍ରତିଶତ ସିଧାସଳଖ ନିଯୁକ୍ତି ଦିଆଯିବାକୁ ଥିଲା ବେଳେ ବାକି ୧୦ ପ୍ରତିଶତ ବିଭାଗୀୟ କର୍ମଚାରୀଙ୍କ ପଦୋନ୍ନତିରେ ପୂରଣ କରାଯିବ। ତେବେ ସାଧାରଣ ପ୍ରଶାସନ ବିଭାଗରୁ ଏଭିଏସନ୍ ଶାଖାକୁ ପ୍ରତ୍ୟାହାର ନିଷ୍ପତ୍ତିକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।
