ବିଜେପୁର ଉପନିର୍ବାଚନ ଶେଷ, ଇଭିଏମରେ ସିଲ ହେଲା ୫ ପ୍ରାର୍ଥୀଙ୍କ ଭାଗ୍ୟ

ବଡ଼ ଖବରମିଶନ ବିଜେପୁରରାଜନୀତି

ନବନୀତା ବ୍ୟୁରୋ। ଶାନ୍ତିଶୃଙ୍ଖଳାର ସହ ସରିଲା ବିଜେପୁର ଉପନିର୍ବାଚନ। ସୋମବାର ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ। ଏଥିସହ ପୁଲିଂ ଅଧିକାରୀ ଓ କର୍ମଚାରୀମାନେ ପଦମପୁର ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ ଓ ଅନ୍ୟାନ୍ୟ ସାମଗ୍ରୀ ଦାଖଲ କରିବେ। ଏବଂ ୨୪ ତାରିଖରେ ଫଳାଫଳ ବାହାରିବ। ସେଦିନ ସକାଳ ୮ଟାରୁ ପଦମପୁର ଅଞ୍ଚଳ କଲେଜରେ ଭୋଟ ଗଣତି ଆରମ୍ଭ ହେବ।

ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିଲା। ଦୁଇ ବର୍ଷରେ ତିନି ଥର ନିର୍ବାଚନ ହୋଇଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ କମିନଥିଲା। ବିଜେପୁର, ବରପାଲି ଓ ଗାଇସିଲେଟ ବ୍ଲକର ବିଭିନ୍ନ ବୁଥରେ ଲୋକେ ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ସାଧାରଣ ଜନତାଙ୍କ ସହ ପ୍ରାର୍ଥୀମାନେ ମଧ୍ୟ ନିଜ ନିଜ ମତ ସାବ୍ୟସ୍ତ କରିଥିଲେ। ବିଜେଡ଼ି ପ୍ରାର୍ଥୀ ରୀତା ସାହୁ, ବିଜେପି ପ୍ରାର୍ଥୀ ସନତ୍ ଗର୍ତ୍ତିଆ, କଂଗ୍ରେସ ପ୍ରାର୍ଥୀ ଦିଲିପ୍ କୁମାର ପଣ୍ଡା ନିଜ ନିଜ ବୁଥକୁ ଯାଇ ଭୋଟଦାନ କରିଥିଲେ। ବିଜେପୁର ନିର୍ବାଚନୀ ମଣ୍ଡଳୀର ୨ ଲକ୍ଷ ୩୨ ହଜାର ଭୋଟରଙ୍କ ପାଇଁ ୨୮୫ ଟି ମତଦାନ କେନ୍ଦ୍ର କରାଯାଇଥିଲା। ତେବେ ବିଜେପୁର ଉପନିର୍ବାଚନ ଶେଷ ହେବା ସହ ୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ଭିତରେ ସିଲ୍ ହୋଇଯାଇଛି।

ନିର୍ବାଚନ ପରିଚାଳନା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ପୁରା ପୋଲିସ ଛାଉଣୀ ହୋଇଯାଇଥିଲା ବିଜେପୁର । ମତଦାନ ପ୍ରକ୍ରିୟାରେ ୧ ହଜାର ୮୯୫ କର୍ମଚାରୀ ନିୟୋଜିତ ହୋଇଥିଲେ। ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ୩୩ ପ୍ଲାଟୁନ ଫୋର୍ସ, ୩ କମ୍ପାନୀ ସିଆରପିଏଫ, ଜଣେ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୭୫ ସବଇନସ୍ପେକ୍ଟର, ୧୧୩ ଏଏସଆଇଙ୍କୁ ନିଯୁକ୍ତ କରାଯାଇଥିଲା। ତେବେ ଆସନ୍ତା ୨୪ ତାରିଖରେ ଜଣା ପଡ଼ିବ ବିଜେପୁରରେ କିଏ ମାରିବ ବାଜି।