ଏନ୍ଏନ୍ ବ୍ୟୁରୋ। ଚୁଡାପାଲିରେ ୬ କୋଟି ଟଙ୍କାର କୋଠା ଲୋକାର୍ପିତ। ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡ଼ାପାଲି ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପ୍ରାୟ ଛଅ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ନୂତନ ଶ୍ରେଣୀ ଗୃହ, ଶହେ କୋଡ଼ିଏ ଶଯ୍ୟା ବିଶିଷ୍ଟ ଦୁଇଟି ଛାତ୍ର ଓ ଛାତ୍ରୀ ନିବାସ ଓ ଷ୍ଟାଫମାନଙ୍କ ପାଇଁ ନିର୍ମିତ କ୍ୱାର୍ଟରକୁ ଉଦଘାଟନ କରିଛନ୍ତି ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର। ଏବଂ ଶିକ୍ଷାର ବିକାଶ ହେଲେ ସମାଜ ସମ୍ପର୍ଣ୍ଣ ହେବା କହି ସ୍କୁଲ ହତା ଭିତରେ ଥିବା ଅନା ବନା ଘାସ ବୁଦା, ଗଛ କାଟି ସ୍କୁଲ ପରିବେଶକୁ ସ୍ୱଚ୍ଛ ରଖିବାକୁ ସ୍କୁଲ କାର୍ଯ୍ୟକର୍ତ୍ତାକୁ ନିର୍ଦ୍ଦେଶ ଦେଇଥିଲେ ବିଧାୟକ।
ଏଥିସହ ପିଇବା ପାଣିର ସମସ୍ୟା ଯେମିତି ନ ରୁହେ ସେନେଇ ଧ୍ୟାନ ଦେବାକୁ କହିଛନ୍ତି ନରସିଂହ ମିଶ୍ର। ହେଲେ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଦେଖି ଉପସ୍ଥିତ ଅଧିକାରୀକୁ ତାଗିଦ୍ କରିଥିଲେ। ପରେ ବିଦ୍ୟାଳୟ ପରିସରରେ ସ୍ଥାନୀୟ ଅଂଚଳର ବିଶିଷ୍ଠ ସ୍ଵାଧିନତା ସଂଗ୍ରାମୀ ସ୍ୱର୍ଗତ ଯୋଗେଶ୍ୱର କୁମୁରାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ବିଧାୟକ ନରସିଂହ ମିଶ୍ର। ଏ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୋକନାଥ କୁମୁରା , ଘାସି ବେହେରା, ଶରତ ନନ୍ଦଙ୍କ ସହ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଛାତ୍ରଛାତ୍ରୀ , ଅନ୍ତେବାସୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସ୍ଥାନୀୟ ଅଂଚଳର ଜନ ସାଧାରଣ ଉପସ୍ଥିତ ରହିଥିଲେ।
