ସୂର୍ଯ୍ୟବଂଶୀଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ BCJDର ୧୧ଟି ଦାବି

ଓଡ଼ିଶାବଡ଼ ଖବରରାଜନୀତି

ବଲାଙ୍ଗିର ଏନ୍ଏନ୍ ବ୍ୟୁରୋ l ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ବିଜୁ ଛାତ୍ର ଜନତା ଦଳ (BCJD) ବଲାଙ୍ଗିର ପକ୍ଷରୁ ୧୧ ଦଫା ଦାବି କରାଯାଇଛି I ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ BCJD ବଲାଙ୍ଗିର ସଭାପତି ସୁମନ କୁମାର ନନ୍ଦ ବଲାଙ୍ଗିରର ଉଚ୍ଚଶିକ୍ଷା, ଭିତ୍ତିଭୂମି ଓ ଐତିହ୍ୟର ବିକାଶ ସମ୍ପର୍କରେ ସରକାରଙ୍କ ନିକଟରେ ୧୧ ଦଫା ଦାବି ଉପସ୍ଥାପନ କରିଛନ୍ତି l ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମେତ ବଲାଙ୍ଗିରର ସମସ୍ତ ସରକାରୀ ମହାବିଦ୍ୟାଳୟରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଅଭାବ ଦୂର କରିବା ସହ ଆବଶ୍ୟକ ସଂଖ୍ୟକ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ଦାବି କରାଯାଇଛି I ଏଥିସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ୫୦ ଏକର ଜମି ଆବଣ୍ଟନ, ବିଶ୍ୱବିଦ୍ୟାଳୟ ପରିସରରେ ଖୋଲାମଞ୍ଚ ଅଡିଟୋରିୟମ୍‌ ନିର୍ମାଣ ଓ ଗବେଷଣା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ପର୍ଯ୍ୟାପ୍ତ ଆର୍ଥିକ ଅନୁଦାନ ପ୍ରଦାନ ପାଇଁ ଦାବି ରଖା ଯାଇଛି l

ଏହା ବ୍ୟତୀତ ବଲାଙ୍ଗିର କଲେଜର ଭିତ୍ତିଭୂମି ବିକାଶ ପାଇଁ ପର୍ଯ୍ୟାପ୍ତ ଅର୍ଥ ଆବଣ୍ଟନ ଏବଂ ସରକାରୀ ମହିଳା ମହାବିଦ୍ୟାଳୟରେ କେନ୍ଦ୍ରୀୟ ପାଠାଗାର ଓ ଅଡିଟୋରିୟମ୍‌ ନିର୍ମାଣ ସହ ବାଣିଜ୍ୟ ବିଭାଗ ଆରମ୍ଭ କରିବାକୁ ମଧ୍ୟ ଦାବି ହୋଇଥିଲା। ଏହାସହ ବଲାଙ୍ଗିରର ସ୍ଥାନୀୟ କଳାକାର, ଲୋକକଳା ପରିବେଷକ, ନାଟ୍ୟଦଳ ଓ ସାଂସ୍କୃତିକ ସଂଗଠନଗୁଡ଼ିକୁ ଆର୍ଥିକ ସହାୟତା ଓ ନିୟମିତ ଅନୁଦାନ ପ୍ରଦାନ, ଐତିହାସିକ ସ୍ମାରକ ଓ ଐତିହ୍ୟସ୍ଥଳୀଗୁଡ଼ିକର ବିକାଶ ଏବଂ ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା। ସ୍ୱାଧୀନତା ସଂଗ୍ରାମୀ ଧରମ ସିଂ ମାଝୀ ମାନ୍ଧାତାଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ମଧ୍ୟ ଦାବି ଉପସ୍ଥାପିତ ହୋଇଥିଲା।

ତେବେ ବଲାଙ୍ଗିରର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ସୁଯୋଗ ବୃଦ୍ଧି, ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ଜିଲ୍ଲାର କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ଏହି ଦାବିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଛାତ୍ର ସଭାପତି ସୁମନ କୁମାର ନନ୍ଦ l ଉଚ୍ଚଶିକ୍ଷା ମନ୍ତ୍ରୀ ବଲାଙ୍ଗିର ଗସ୍ତ ସମୟରେ ଏହି ଦାବିଗୁଡ଼ିକ ଉପରେ ଗୁରୁତ୍ୱର ସହ ବିଚାର କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଛାତ୍ର ନେତା ଚିରଞ୍ଜିବୀ ପ୍ରଧାନ, ମନୀଷ ସାଏ, ଆଦର୍ଶ ପୁରୋହିତ, ପ୍ରତୁଷ ପାଲଟା, ବାବଳୁ ଓ ଶୁଭ୍ରାଂଶୁ ବେହେରାଙ୍କ ସମେତ ଅନ୍ୟ ଛାତ୍ର ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।