ନବନୀତା ବ୍ୟୁରୋ। କରୋନାରେ ଘରେ ବସି ବସି ମୁଣ୍ଡ ଖରାପ । ତାଠୁ ବେଶି ଦହଗଞ୍ଜ କରୁଛି ମଦ ଦୋକାନ । ଦିନେ ନଅ ପିଇଲେ ମୁଣ୍ଡ କାମ କରେନି ରାଧୁଆର । କାମ ସାରି ସଞ୍ଜ ବେଳେକୁ ଇଟା ଭାଟିରୁ ଫେରିଲା ବେଳେ ବାଟରେ ବୋତଲଟା କିଣି ଢକ ଢକ ପିଇଯାଏ । ଓଃ…କି ଶାନ୍ତି । ତାପରେ ସେ ଉଡେ ଆକାଶରେ । ଘଡ଼ିଏ ରାତିକୁ ପବନ ପହଁରି ପହଁଚି ଯାଏ ଘରେ । କଣ ଖାଏ କେତେବେଳେ ଶୁଏ ତାକୁ ସକାଳୁ ଜଣାପଡେ । ମଦ ନିଶାରେ ସେ କେମିତି ତଡ଼ାରେ ଦି ପାହାର ତା ବୋଉ ପିଠିରେ ପକେଇଥିଲା ସେକଥା ତା ଛଅ ବର୍ଷର ପୁଅ କୋଳରେ ବସି କହେ । ରାଧୁଆ ଗୁରେଇ ଆଡେ ଅନାଏ । ତା ଫୁଲି ଯାଇଥିବା ଆଖିରେ ଆଖି ମିଶାଇ ପାରେନି । ସେ ଉଠି ଚାଲିଯାଏ ଇଟା ଭାଟି ଆଡେ । ଫେରେ ରାତି ଘଡ଼ିଏ ସରିକି । ବୋତଲ ମଦର ଓଜନକୁ ପେଟରେ ଓ ନିଜ ଓଜନକୁ ପିଠିରେ ଲଦି ।
ସବୁ ଆଡେ ବନ୍ଦ ଯୋଗୁଁ ଏକୋଇଶ ଦିନ ହେଲାଣି ସେ ଟୋପାଏ ନାଲି ପାଣି ଚାଖିନି । ଘଡ଼ିଏ ସରି ରାତି । ଡିବି ଆଲୁଅ ପସରା ମେଲେଇ ମାଡି ଯାଇଛି ତା ଘର ସାରା । ପୁଅ ଶୋଇଗଲାଣି । ସେ ଗୁରେଇ ଆଡେ ଅନେଇଲା । କୋଉ କାଳୁ ଗୁରେଇକୁ ଆଖି ପୁରେଇ ଦେଖିନି । ରାଧୁଆ ଡିବି ଫୁଙ୍କିଦେଲା । ସକାଳ ପର୍ଯ୍ୟନ୍ତ ରାଧୁଆର ନିଶା ଛାଡି ନଥିଲା । ଭାବିଲା ଏ ନିଶା ଭଲ । ସେ ନିଷ୍ପତି ନେଲା ଆଉ ନାଲି ପାଣିକୁ ଛୁଇଁବନି । ନିଶା କରିବନି ।
ଯାଦୁଗୁଡା, ଝାଡ଼ଖଣ୍ଡ
