ନବନୀତା ବ୍ୟୁରୋ। ଏଣିକି ଦେଶର କୌଣସି ବ୍ୟକ୍ତି ମନଇଚ୍ଛା ନ୍ୟୁଜ୍ ୱେବସାଇଟ ତିଆରି ତାର ପରିଚାଳନା କରି ପାରିବ ନାହିଁ। ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବ୍ରିଟିଶ୍ ସମୟର ଆଇନକୁ ପରିବର୍ତ୍ତନ କରି ନୂଆ ଆଇନ ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏଥିସହ ନ୍ୟୁଜ୍ ୱେବସାଇଟ ପାଇଁ ମଧ୍ୟ ରେଜିଷ୍ଟ୍ରାର (ନ୍ୟୁଜ୍ ପେପର ଅଫ୍ ଇଣ୍ଡିଆ) ନିକଟରେ ନିଜର ପଞ୍ଜିକରଣ କରାଇବା ବାଧ୍ୟତାମୂଳକ ହୋଇଯିବ।

ପୁରୁଣା ପ୍ରେସ ଏଣ୍ଡ ରେଜିଷ୍ଟ୍ରେସନ୍ ଅଫ୍ ବୁକ୍ସ୍ (ପିଆରବି) ଏକ୍ଟ୍, ୧୮୬୭ ବଦଳରେ ରେଜିଷ୍ଟ୍ରେସନ୍ ଅଫ୍ ପ୍ରେସ ଏଣ୍ଡ ପିରିଓଡିକାଲ୍ସ (ଆରପିପି) ବିଲ୍, ୨୦୧୯ ପାଇଁ ଏକ ଡ୍ରାଫ୍ଟ ପ୍ରସ୍ତୁତ ଚାଲିଛି। ଏଥିରେ ପ୍ରକାଶକଙ୍କ ଅଭିଯୋଜନ୍ ସହ ଜଡ଼ିତ ପୁରୁଣା ନିୟମକୁ ମଧ୍ୟ ହଟାଇବାକୁ ପ୍ରସ୍ତାବ ରଖା ଯାଇଛି। ଏହା ବ୍ୟତୀତ ନୂଆ ବିଲରେ ପଞ୍ଜିକରଣ ପ୍ରକ୍ରିୟାକୁ ସମ୍ପୂର୍ଣ କରିବା ପାଇଁ ପ୍ରେସ ରେଜିଷ୍ଟ୍ରାର ଜେନେରାଲ ନୂଆ ପଦବୀ ସୃଷ୍ଟି କରିବା ପାଇଁ ମଧ୍ୟ ପ୍ରସ୍ତାବ ରଖା ଯାଇଛି।

ତେବେ ନୂଆ ବିଲରେ ଡିଜିଟାଲ ପ୍ଲାଟଫର୍ମରେ ପ୍ରକାଶିତ ଖବର ଇଣ୍ଟରନେଟ, ମୋବାଇଲ୍ ଓ କମ୍ପ୍ୟୁଟରରେ ଡିଜିଟାଇଡ୍ ଫର୍ମାଟରେ ପ୍ରସାରଣ ଲାଗି ସକ୍ଷମ ସମସ୍ତ ସମାଚାରକୁ ରଖା ଯାଇଛି। ଏଥିରେ ଲିଖିତ, ଅଡିଓ, ଭିଡିଓ ଓ ଗ୍ରାଫିକ୍ସ ଆଦି ସବୁ ପ୍ରକାର ସମାଚାରକୁ ସାମିଲ୍ କରାଯାଇଛି। ସୋମବାର ମନ୍ତ୍ରଣାଳୟ ଏହି ବିଲାର ଡ୍ରାଫ୍ଟକୁ ନିଜ ୱେବସାଇଟରେ ଜାରି କରିଛି। ଏବଂ ଆସନ୍ତା ୩୦ ଦିନ ମଧ୍ୟରେ ଏନେଇ ପ୍ରସ୍ତାବ ଦେବାକୁ ସମସ୍ତ ଷ୍ଟେକ୍ ହୋଲଡରଙ୍କୁ କୁହାଯାଇଛି।
