ନବନୀତା ବ୍ୟୁରୋ। କିଏ ହେବ ମଧ୍ୟପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। କମଳନାଥ ସରକାର ଭାଙ୍ଗିବା ପରେ ବିଜେପିର କେଉଁ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଯିବ ସେନେଇ ମାନସ ମନ୍ଥନ ଚାଲିଛି। ଆଶା କରାଯାଉଛି ଶନିବାର ବିଜେପି ଏ ବିଷୟରେ ନିଷ୍ପତି ନେଇପାରେ। ତେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ରେସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ନରୋତ୍ତମ ମିଶ୍ର। ଏବେ ଶିବରାଜ ପ୍ରବଳ ଦାବେଦାର ଥିବା ବେଳେ ଦଳ ଅନ୍ୟ ବିକଳ୍ପ ଉପରେ ମଧ୍ୟ ବିଚାର କରୁଥିବା ଜଣାପଡିଛି।
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ପୁଣି ଗାଦିରେ ବସାଇବାକୁ ସମସ୍ତ ନେତା ପସନ୍ଦ କରୁନାହାଁନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରଥମ ପସନ୍ଦର ନେତା ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଏହାବ୍ୟତୀତ ବିଜେପି ନେତା ନରୋତ୍ତମ ମିଶ୍ରଙ୍କ ଉପରେ ବି ମୋଦୀ ଶାହାଙ୍କ ଆଶିର୍ବାଦ ରହିଛି। ତେବେ ଏଯାଏ ଶିବରାଜ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରବଳ ଦାବେଦାର୍ ଥିବା ଜଣାପଡିଛି।
ଦଳୀୟ ସୂତ୍ର ଅନୁସାରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଜିତ୍ୟ ସିନ୍ଧିଅାଙ୍କ ପ୍ରଥମ ପସନ୍ଦର ହେଉଛନ୍ତି ଶିବରାଜ ସିଂହ ଚୌହାନ। ହେଲେ ସେ ଚାହୁଁ ନାହାନ୍ତି ଯେ, ଗ୍ୱାଲିଅର୍ ଅଞ୍ଚଳର କେହି ନେତା ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ତୋମାର ଓ ମିଶ୍ର ଏ ଅଞ୍ଚଳର ନେତା ଅଟନ୍ତି। ରାଜ୍ୟରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳି ନଥିବାରୁ ସିନ୍ଧିଆ ଏ ଦିଗରେ ନିଷ୍ପତି ନେବା ମୁସ୍କିଲ ହୋଇ ପଡୁଛି। ଏଭଳି ସ୍ଥିତିରେ ଶିବରାଜଙ୍କ ପରିବର୍ତ୍ତେ ତୋମାର କି ନରୋତ୍ତମଙ୍କୁ ଅଧିକ ପସନ୍ଦ କଲେ ଶୀର୍ଷ ନେତୃତ୍ୱ ପ୍ରଥମେ ସିନ୍ଧିଆଙ୍କୁ ମନାଇବ। ସିଏମ ପଦ ପାଇଁ ତୋମାର ଓ ନରୋତ୍ତମ ପ୍ରବଳ ଦାବେଦାର ଥିବା ଚର୍ଚ୍ଚା ହେଉଛି। ତୋମାର ମୋଦୀଙ୍କ ପାଖଲୋକ ହୋଇଥିବା ବେଳେ ନରୋତ୍ତମ ଶାହାଙ୍କ ଘନିଷ୍ଠ ବୋଲି କୁହାଯାଉଛି। ଯଦି ତୋମାର କି ନରୋତ୍ତମଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ନିଷ୍ପତି ନିଆଯାଏ ତାହେଲେ ଶିବରାଜ କେନ୍ଦ୍ର ରାଜନୀତିକୁ ଆସିବେ। ଏପରିକି ତାଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ସହ କୃଷି ମନ୍ତ୍ରଣାଳୟ ଦିଆଯାଇପାରେ।
