ନବନୀତା ବ୍ୟୁରୋ। ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯୋଧପୁର ଜିଲ୍ଲା ବାଲୋତରା ଫଲୌଦି ରଜମାର୍ଗରେ ଘଟିଛି ଦୁର୍ଘଟଣା। ଏକ ଟ୍ରେଲର ଟ୍ରକ୍ ଓ ଜିପ୍ ମଧ୍ୟରେ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ତିନ୍ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ମଧ୍ୟରେ ୪ ପୁରୁଷ, ୬ ମହିଳା ଓ ଜଣେ ଶିଶୁ ଥିବା ଜଣା ପଡିଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଶେରଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କ୍ରେନ୍ ସହାୟତାରେ ମୃତକଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ମୃତକଙ୍କ ମଧ୍ୟରେ ଏକ ନବ ବିବାହିତ ଦମ୍ପତି ଥିବା ଜଣାପଡିଛି।
ଏହା ପୂର୍ବରୁ ଗତ ୮ ତାରିଖରେ ରାଜସ୍ଥାନରେ ଦୁଇଟି ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଥିଲେ।
