ନବନୀତା ବ୍ୟୁରୋ। ପୁଣି ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ଓକିଲ ସଂଘ ପକ୍ଷରୁ ବୁଧବାର ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଗାଡି ମଟର, ଦୋକାନ ବଜାର, ସରକାରୀ, ବେସରକାରୀ ପ୍ରତିଷ୍ଠାନ ସବୁ ବନ୍ଦ ରହିଛି। ଜରୁରୀ ସେବା ହସ୍ପିଟାଲ୍ ଓ ମେଡିକାଲ ଷ୍ଟୋରକୁ ଛାଡ଼ି ଅନ୍ୟ ସମସ୍ତ ପ୍ରତିଷ୍ଠାନ, ସ୍କୁଲ କଲେଜ ବନ୍ଦ ରହିଛି।

ବୁଧବାର ସକାଳେ ଓକିଲ ସଂଘ ପକ୍ଷରୁ ସମ୍ବଲପୁର ଜଙ୍କ୍ସନ୍ ଓ ସମ୍ବଲପୁର ସିଟି ଷ୍ଟେସନ୍ରେ ରେଳରୋକ କରାଯାଇଥିଲା। ସହରରେ ଚକ, ଅଖ ସବୁ ବନ୍ଦ ରହିଛି। ସମ୍ବଲପୁର ସହ ବରଗଡ, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ ନୂଆପଡାରେ ବନ୍ଦର ପ୍ରଭାବ ପଡିଛି।

ସକାଳ ୬ରୁ ସନ୍ଧ୍ୟା ୬ ଟା ଯାଏ ୧୨ ଘଂଟିଆ ବନ୍ଦ ପାଳନ ହେବାକୁ ଥିବା ଏହି ଆନ୍ଦୋଳନରେ ସବୁ ରାଜନୈତିକ ଦଳ ଓ ସଂଗଠନ ସମର୍ଥନ କରୁଛନ୍ତି। ହେଲେ ଏନେଇ ବିଜେଡ଼ି ବିଧାୟକ କିଶୋର ମହାନ୍ତି କହିଛନ୍ତି ଯେ, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ଦଳ ସମର୍ଥନ କରୁଛି। ହେଲେ ଦଳ ପକ୍ଷରୁ ବନ୍ଦ ପାଳନ କରାଯାଇ ନି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ବେଞ୍ଚ ପ୍ରତିଷ୍ଠା ପାଇଁ ଯାହାର ଦାୟିତ୍ଵ ରହିଛି ସେମାନେ କରୁନାହାନ୍ତି। କେନ୍ଦ୍ର ଚାହିଁଲେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇ ପାରିବ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ବାରମ୍ବାର ଚିଠି ଲେଖିଛନ୍ତି ବୋଲି କହିଛନ୍ତି କିଶୋର ମହାନ୍ତି।

ସେପଟେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା। ଏ ପ୍ରସଙ୍ଗ ନେଇ ଆମେ ବିଚାର କରୁଚୁ ବୋଲି କହିଛନ୍ତି ପ୍ରତାପ ଜେନା।
