ଦେବଦୂତ ସାଜିଲେ ଆରପିଏଫ ଯବାନ: ଯୁବକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ

ଓଡ଼ିଶାବଡ଼ ଖବରସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। ମରଣ ମୁହଁରୁ ଜଣେ ଯୁବକଙ୍କୁ ବଞ୍ଚାଇ ଚର୍ଚ୍ଚାରେ ଆରପିଏଫ୍ ଯବାନ। ଅଦମ୍ୟ ସାହସ, ନିଜ ଜୀବନକୁ ବାଜି ଲଗାଇ ଅନ୍ୟ ଜଣଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଛନ୍ତି। ବଲାଙ୍ଗିର ରେଳ ଷ୍ଟେସନରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଛନ୍ତି ଆରପିଏଫ ଯବାନ ସମ୍ବିତ କୁମାର ସାହୁ। ରେଳ ଷ୍ଟେସନରେ ସେ ରାତ୍ର ଡ୍ୟୁଟି କରୁଥିଲେ। ହେଲେ ଷ୍ଟେସନରେ ଭୋର ସମୟରେ ଜଣେ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ବସିଥିବାର ଦେଖିଥିଲେ ସଂପୃକ୍ତ ଯବାନ। ଦୀର୍ଘ ସମୟ ଯୁବକ ଜଣକ ବସିଥିବା ବେଳେ ସମ୍ବଲପୁର ପଟୁ ଏକ ମାଲ୍ ଗାଡ଼ି ବଲାଙ୍ଗିର ରେଳ ଷ୍ଟେସନ ଦେଇ ଆସୁଥିଲା। ଏ ସମୟରେ ଯୁବକ ଜଣକ ହଠାତ୍ ଏକ ନମ୍ୱର୍ ପ୍ଲାଟଫର୍ମରୁ ଟ୍ରେନ ଆଗକୁ ଡେଇଁ ଥିଲେ। ପୂର୍ବରୁ ତାଙ୍କ ଉପରେ ନଜର ରଖିଥିବା ଆରପିଏଫ ଯବାନ ସମ୍ବିତ କୁମାର ସାହୁ ତ୍ୱରିତ ପଦକ୍ଷେପ ନେଇଥିଲେ। ନିଜ ଜୀବନକୁ ବାଜି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକକୁ ମରଣ ମୁହଁରୁ ଟାଣି ଆଣିଥିଲେ। ପରେ ପଚରା ଉଚରା ପରେ ଜଣା ପଡିଥିଲା ଯେ ସଂପୃକ୍ତ ଯୁବକ ଜଣକ ବଲାଙ୍ଗିର ବିଷ୍ଣୁମୁଣ୍ଡାର ବିଶିକେଶନ୍ ନାଏକ ବୋଲି।

ଏହାପରେ ଆରପିଏଫ୍ ପୋଲିସ୍ ସଂପୃକ୍ତ ଯୁବକର ପରିବାର ଲୋକଙ୍କୁ ଡାକି ଯୁବକଙ୍କୁ ହସ୍ତାନ୍ତର କରିଛି। ସେପଟେ ନିଜ ଜୀବନକୁ ଖାତିର ନ କରି ଆରପିଏଫ ଯବାନ ସାହସିକତା ଦେଖାଇ ଏକ ଅମୂଲ୍ୟ ଜୀବନ ରକ୍ଷା କରିଛନ୍ତି। ଏହି ମହତ୍ କାର୍ଯ୍ୟ ପାଇଁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି। ସେପଟେ ସଂପୃକ୍ତ ଯବାନ ସମ୍ବିତ କୁମାର ସାହୁ ରାତିରେ ଡ୍ୟୁଟି କରୁଥିବା ବେଳେ ଏହି ଯୁବକ ଉପରେ ସନ୍ଦେହ ହୋଇଥିବା ବେଳେ ସେ ତାଙ୍କ ଗତିବିଧିକୁ ସିସିଟିଭିରେ ଯାଞ୍ଚ କରିଥିଲେ। ସଠିକ ସମୟରେ ତାଙ୍କୁ ବଞ୍ଚାଇବାରେ ସଫଳ ହୋଇଥିବା କହିଛନ୍ତି ଯବାନ ସମ୍ବିତ। ହେଲେ ଏହା ତାଙ୍କର କାମର ଅନ୍ତର୍ଭୁକ୍ତ ହୋଇଥିଲେ ସୁଦ୍ଧା ଯୁବକର ଜୀବନ ବଞ୍ଚାଇ ଖୁସି ଥିବାର କହିଛନ୍ତି ସମ୍ବିତ ସାହୁ। ତାଙ୍କ ଏହି ମହତ୍ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରା ଯାଉଛି।

Leave a Reply