ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବୁଲି ପାଳନ ଲାଗି ଭୁବନେଶ୍ୱର ଚାପ୍ଟର ପ୍ରସ୍ତୁତି ବୈଠକ

ଓଡ଼ିଶା
ନବନୀତା ବ୍ୟୁରୋ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଆବଶ୍ୟକତା ପୂରଣ ନେଇ ପ୍ରତିଶ୍ରୁତି ଦେଲେ ମୁଖ୍ୟ ଶାସନ ସଚିବ । ସରକାରୀ ପକ୍ଷରୁ ଯଥାସମ୍ଭବ ପଦକ୍ଷେପ ନିଆଯିବା ପାଇଁ ରାଜେନ୍ଦ୍ରାୟନ ଭୁବନେଶ୍ୱର ଚାପ୍ଟର ବୈଠକରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏ ଅବସରରେ ସେ ଆହୁରି କହିଛନ୍ତି ଯେ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏକ ଏପରି ଶିକ୍ଷାନୁଷ୍ଠାନ ଯେଉଁଠୁ ଅନେକ ବ୍ୟକ୍ତି ପାଠ ପଢ଼ି ରାଜ୍ୟ ତଥା ଦେଶରେ ନିଜର ପରିଚିତି କରାଇ ପାରିଛନ୍ତି । ଏପରିକି କଲେଜରେ ପାଠ ପଢ଼ି ଆମେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଛୁ ସତ, ହେଲେ ଏବେ ଆମକୁ କଲେଜ ପ୍ରତି କିଛି କରିବାର ସମୟ ଆସିଥିବା କହିଛନ୍ତି ଅସିତ ତ୍ରିପାଠୀ ।
ଭୁବନେଶ୍ୱର ଓୟୁଏଟିସ୍ଥିତ ଭେଟେନାରି ଓ ଏଏଚ୍ କଲେଜର ସମ୍ମେଳନ କକ୍ଷରେ ରାଜେନ୍ଦ୍ର କଲେଜର ପୁରାତନ ଛାତ୍ର ସଂସଦ ପକ୍ଷରୁ ଭୁବନେଶ୍ୱର ଚାପ୍ଟର ପ୍ଲାଟିନମ ଜୁବୁଲି ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା । ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ତଥା ପ୍ରମେୟ ନ୍ୟୁଜ୍ ୭ର ଗ୍ରୁପ୍ ଏଡିଟର ଗୋପାଳ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏ ଅବସରରେ ପ୍ଲାଟିନମ ଜୁବୁଲିର ଲୋଗୋ ଓ ୱେବସାଇଟକୁ ଉନ୍ମୋଚନ କରିଥିଲେ ମୁଖ୍ୟ ଶାସନ ସଚିତ ଅସିତ ତ୍ରିପାଠୀ । ଅନ୍ୟମାନଙ୍କ ମଧ୍ୟରେ ଆଇପିଏସ ଅରୁଣ ଷଡ଼ଙ୍ଗୀ, ଓୟୁଏଟିର ଭାଇସ ଚାନସେଲର ପବନ କୁମାର ଅଗ୍ରୱାଲ, ଓୟୁଏଟି ଡିନ୍ ଲକ୍ଷ୍ମଣ କୁମାର ବାବୁ, ପୂର୍ବତନ ଅଧ୍ୟକ୍ଷ ମହମ୍ମଦ ଫକିରୁଦ୍ଧିନ, ବର୍ତ୍ତମାନର ଅଧ୍ୟକ୍ଷ ବିନୟ କୁମାର ଜେନା ଓ ପ୍ଲାଟିନମ ଜୁବୁଲିର ସଭାପତି ତଥା ଶ୍ରମିକ ନେତା ଲଲିତ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ବୈଠକରେ ଅତିଥି ପରିଚୟ ତଥା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ ଦୈନିକ ଖବର କାଗଜ ସମ୍ବାଦର ବାର୍ତ୍ତା ସଂପାଦକ ଅରବିନ୍ଦ ଦାଶ । ୧୯୪୪ ମସିହାରୁ ଆଜି ଯାଏ ବହୁ ଘାତ ପ୍ରତିଘାତ ଦେଇ ଚାଲିଥିଲେ ମଧ୍ୟ କଲେଜ ଅନେକ ବ୍ୟକ୍ତି ବିଶେଷକୁ ଗଢ଼ି ତୋଳିବାରେ କାର୍ପଣ୍ୟ କରିିନଥିବା ସେ କହିଛନ୍ତି । ସେ କହିଛନ୍ତି, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ଏହା ଏକ କାରଖାନା । ବର୍ଜୁ ମିଶ୍ର, ସବ୍ୟସାଚୀ ମହାପାତ୍ର, ଅରୁଣ ଷଡ଼ଙ୍ଗୀଙ୍କ ଭଳି ବହୁ ଖ୍ୟାତନାମା ବ୍ୟକ୍ତି ବିଶେଷଙ୍କୁ ତିଆରି କରିଛି ପଶ୍ଚିମ ଓଡ଼ିଶାର ଏହି ସର୍ବପୁରାତନ ଶିକ୍ଷାନୁଷ୍ଠାନ । ତେଣୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ମୂଳଦୁଆ ପକାଇବା ଲାଗି ଜଣେ ଭଲ ବ୍ୟକ୍ତିଙ୍କୁ ଭାଇସ ଚାନସେଲର କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ପ୍ରସ୍ତାବ ରଖାଯାଇଥିଲା । ବୈଠକ ପରେ ଉପସ୍ଥିତ ଥିବା ସମସ୍ତ ମହିଳା, ପୁରୁଷମାନେ ନିଜ ନିଜର ପରିଚୟ ପ୍ରଦାନ କରିିଥିଲେ ।
ପଶ୍ଚିିମ ଓଡ଼ିଶାର ସର୍ବ ପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ଡିସେମ୍ବରରେ ପ୍ଲାଟିନମ୍ ଜୁବୁଲି ମହାସମାରୋହରେ ପାଳନ କରାଯିବ । ୫ ଦିନ ବ୍ୟାପି ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କିମ୍ବା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ମୁଖ୍ୟ ଅତିଥି କରାଯିବାକୁ ଯୋଜନା ରଖାଯାଇଛି । ଏଥିସହ ମାନବ ସମ୍ବଳ ବିକାଶ ମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି କେନ୍ଦ୍ରୀୟ ନେତାଙ୍କୁ ସାମିଲ କରାଯିବା କାର୍ଯ୍ୟକ୍ରମ ରହିଛି । ଏପଟେ ରାଜ୍ୟରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସହ ଅନେକ ମନ୍ତ୍ରୀ ଓ ନେତାଙ୍କୁ ପ୍ଲାଟିନମ ଜୁବୁଲିରେ ସାମିଲ କରାଯିବା ନେଇ କମିଟିରେ ପ୍ରସ୍ତାବ ରଖାଯାଇଛି । ଆବଶ୍ୟକ ସ୍ଥଳେ ସଂଶୋଧନ ମଧ୍ୟ କରାଯାଇପାରେ ବୋଲି ସୂଚନା ଦିଆଯାଇଛି । ବୈଠକରେ ପ୍ଲାଟିନମ ଜୁବୁଲି କମିଟିର ଆବାହକ ହରି ନାରାୟଣ ପୂଜାରୀ, ପୂର୍ବତନ ଛାତ୍ର ସଂସଦ ସଭାପତି ଅନନ୍ତ ଦାଶ, ଏସସିବିର ମେଡିସିନ ସ୍ପେଶାଲିଷ୍ଟ ଜୟନ୍ତ ପଣ୍ଡା, ‘ନବନୀତା’ମାଗାଜିନର ସଂପାଦକ ବିଜୟ କୁମାର ପ୍ରଧାନ, ସଂଜୟ ତ୍ରିପାଠୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ ।