ପୁଣି ତାତିଲେ ଚାଷୀ, ଫସଲ ବୀମା ଦାବିରେ ବଲାଙ୍ଗିରରେ ରେଳ ରୋକ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ପୁଣି ତାତିଲେ ଚାଷୀ। ଫସଲ ବୀମା ଦାବିରେ ଚାଷୀଙ୍କ ରେଳ ରୋକ ଆନ୍ଦୋଳନ। ଦୀର୍ଘ ଦିନ ହେଲା ଫସଲ ବୀମା ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି ଚାଷୀ। ପ୍ରଥମେ ଜାତୀୟ ରାଜପଥ ଅବରୋଧ ଓ ଆନ୍ଦୋଳନ ପରେ ଏବେ ଚାଷୀ ନିଜର ଦାବିକୁ ଆହୁରି ଶାଣିତ କରିଛି। ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଳ ରୋକ ଆନ୍ଦୋଳନ କରିଛନ୍ତି ଚାଷୀ। ଆଜି ସକାଳୁ ବଲାଙ୍ଗିର ଜିଲ୍ଲା ହରିଶଙ୍କର ରୋଡ ରେଳ ଷ୍ଟେସନ, ଟିଟିଲାଗଡ ଜଙ୍କସନ୍ ରେଳଷ୍ଟେସନ ଓ ବଲାଙ୍ଗିର ଜଙ୍କସନ ରେଳଷ୍ଟେସନରେ ରେଳ ରୋକ ଆନ୍ଦୋଳନ କରିଛନ୍ତି। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକର ହଜାର ହଜାର ଚାଷୀ ସାମିଲ ହୋଇଛନ୍ତି।

ପୂର୍ବରୁ ରାଜ୍ୟ ସରକାର ଚାଷୀଙ୍କୁ ପ୍ରତାରଣା କରିବା ପରେ ଏବେ କେନ୍ଦ୍ର ସରକାର ତାଙ୍କୁ ପ୍ରତାରିତ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଗତ ବର୍ଷ ବଲାଙ୍ଗିର ଜିଲ୍ଲାରେ ମରୁଡି ପଡ଼ିଥିବା ବେଳେ ଚାଷୀ ଫସଲ ବୀମା ପାଇଁ ପ୍ରିମିୟମ ରାଶି ଭରିଥିଲେ। ହେଲେ ମରୁଡି ସତ୍ତ୍ୱେ ଚାଷୀଙ୍କୁ ଏଯାଏଁ ବୀମା ଟଙ୍କା ପ୍ରଦାନ କରି ନାହାନ୍ତି। ଦୁନିଆକୁ ଅନ୍ନ ଯୋଗାଉଥିବା ଅନ୍ନଦାତା ଏବେ ଅନାହାରରେ ଥିବା ଅଭିଯୋଗ କରିଛନ୍ତି। ଏବଂ କେନ୍ଦ୍ର ସରକାର ବିରୋଧରେ ଏହି ନିର୍ଣ୍ଣାୟକ ଲଢେଇ ଆରମ୍ଭ କରିଥିବା ବେଳେ ଆଗକୁ ବୀମା ପ୍ରାପ୍ୟ ନ ମିଳିଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି।

ସେପଟେ ଚାଷୀଙ୍କ ରେଳ ରୋକ ଆନ୍ଦୋଳନ ଯୋଗୁଁ ବଲାଙ୍ଗିର ପଟୁ ଯିବାକୁ ଥିବା ଅନେକ ଟ୍ରେନ ବାତିଲ ହୋଇଛି। ସେହିପରି ରାୟପୁର ବିଶାଖାପାଟଣା ଟ୍ରେନ ଓ ରାଜନଗର ଶିରିଡ଼ି ଟ୍ରେନ ନୂଆପଡ଼ା ଖରିଆରଠାରେ ଅଟକି ରହିଛି। ତେବେ ଆଗକୁ ଆନ୍ଦୋଳନ ଜାରି ରହିଲେ ଆହୁରି ଟ୍ରେନ ମଧ୍ୟ ବାତିଲ ହେବା ସମ୍ଭାବନା ରହିଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି।