ବଜେଟକୁ ଯୁଗାନ୍ତକାରୀ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଗୃହ ମନ୍ତ୍ରୀ ଅମିତ୍ ଶାହା ସାଧାରଣ ବଜେଟକୁ ସ୍ବାଗତ କରିବା ସହ ଏହାଦ୍ବାରା ସବୁ ବର୍ଗର ଲୋକେ ଲାଭ ପାଇପାରିବେ ବୋଲି କହିଛନ୍ତି।

ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଯୁଗାନ୍ତକାରୀ ବଜେଟ କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଜୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିି। ଏହି ବଜେଟରୁ ସମାଜର ଗରିବ, କୃଷକ, ଯୁବକ, ମହିଳା ଏବଂ ସାଧାରଣ ଜନତାମାନେ ଲାଭ ପାଇବେ ବୋଲି କହିଛନ୍ତି ଧର୍ମେନ୍ଦ୍ର। ହେଲେ ଏହି ବଜେଟରୁ ଓଡିଶା ଭଳି ରାଜ୍ୟ ସବୁଠୁ ବେଶୀ ଲାଭ ପାଇବ। କାରଣ ଓଡିଶାରେ ବ୍ଲୁ ଇକୋନୋମି ମାଧ୍ୟମରେ ମାଛ ଉତ୍ପାଦନକୁ ଦୁଇଗୁଣା କରାଯିବ। ତାସହ ବଜେଟରେ ଯୁବକ ମାନଙ୍କର ମେରାଇନ୍ ବ୍ୟବସାୟରେ ଭାଗିଦାରୀ ବଢାଇବା ପାଇଁ “ସାଗରମିତ୍ର” ଭଳି କାର୍ଯ୍ୟକ୍ରମ ସାମ୍ନାକୁ ଅଣାଯାଇଥିବା କହିଛନ୍ତି ଧର୍ମେନ୍ଦ୍ର।

ସେ ଆହୁରି କହିଛନ୍ତି ଯେ, ଗ୍ରାମ ପଂଚାୟତ ଗୁଡିକୁ ଭାରତ ନେଟ୍ ମାଧ୍ୟମରେ ଫାଇବର ଟୁ ନେଟ୍ ହୋମ୍ କନେକ୍ସନରେ ଯୋଡାଯିବ। ତାସହ ଓଡିଶାରେ ଜଙ୍ଗଲର ମାତ୍ରା ବୃଦ୍ଧି ପାଉଥିବାରୁ ଓଡିଶାକୁ ଏଥିପାଇଁ ଅଧିକ ଆର୍ଥିକ ସହାୟତା ମିଳିବ।

ବଜେଟରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିବେଶ ବଢାଯାଇଛି। ଢାଂଚାଗତ କ୍ଷେତ୍ର ତଥା ସଡକ, ରେଳ, ବିମାନ ଓ ଜଳପଥର ବିକାଶକୁ ଗୁରୁତ୍ୱ ଦିଆଯାଇଛି। ହେଲେ ଯେଉଁ ଅଂଚଳରେ ଅଧିକ ଜଙ୍ଗଲ ଅଛି ସେହି ରାଜ୍ୟକୁ ଅଧିକ ପଇସା ଦିଆଯିବା ନେଇ ପଞ୍ଚଦଶ ଅର୍ଥ କମିଶନରେ ବ୍ୟବସ୍ଥା ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

କେବଳ ଏତିକି ନୁହେଁ, ମଧ୍ୟବିତ୍ତ ଓ ବ୍ୟବସାୟୀ ମାନଙ୍କ ପାଇଁ ବଜେଟରେ ନୂଆ ନୀତି ଅଣାଯାଇଛି। ବ୍ୟକ୍ତିଗତ ଆୟରେ ଲାଗୁଥିବା ଟିକସ ହ୍ରାସ କରାଯିବ ସହ କର୍ପୋରେଟ୍ ଜଗତ ପାଇଁ ଟିକସରେ ସୁଧାର ଅଣାଯାଇଛି। ଏଥିସହ ଷ୍ଟାଟଅପ୍ କରୁଥିବା ବ୍ୟକ୍ତିମାନଙ୍କୁ ଟିକସରେ ରହାତି ଦିଆଯାଇଛି। ଯଦ୍ୱାରା କରଦାତା ଓ ବ୍ୟବସାୟୀ ଉଭୟ ଲାଭ ପାଇବେ। ତେବେ ଓଡିଶା ମଧ୍ୟବର୍ଗୀୟ ରାଜ୍ୟ ହୋଇଥିବାରୁ ଓଡିଶା ବିଶେଷ ଫାଇଦା ପାଇବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।