ପ୍ରଧାନମନ୍ତ୍ରୀଙ୍କ ଦୀପ ଜଳାଇବା ଅପିଲ ପଛରେ ଲୁଚିଛି ବିଜେପିର ଏଜେଣ୍ଡା: କୁମାରସ୍ବାମୀ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସର ମୁକାବିଲା ନେଇ ଦୀପ ଜଳାଇବା କଥା ଉପରେ ଆପତ୍ତି ଉଠାଇଲେ କୁମାରସ୍ବାମୀ। ବତୀ ଜଳାଇବା ନେଇ ସେ ଯେଉଁ ଅପିଲ କରିଛନ୍ତି ଏହା ପଛରେ ବିଜେପିର ଏଜେଣ୍ଡା ଲୁଚି ରହିଥିବା କହିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ। କୁମାରସ୍ବାମୀ ମୋଦୀଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ ସେ ତାଙ୍କ ଅପିଲ ନେଇ ଜଣେ ବିଶ୍ଵସନୀୟ ବୈଜ୍ଞାନିକ ଓ ଯୁକ୍ତିଯୁକ୍ତ ସ୍ପଷ୍ଟୀକରଣ ଦିଅନ୍ତୁ।
ଜେଡିଏସ ନେତା କୁମାରସ୍ବାମୀ ଟୁଇଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବିଜେପି ପ୍ରତିଷ୍ଠା ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ମହମବତୀ ଜଳାଇବାକୁ କହିଛନ୍ତି। ୬ ଏପ୍ରିଲରେ ବିଜେପିର ସ୍ଥାପନା ଦିବସ। ଏହି ଆୟୋଜନ ପାଇଁ ଏହି ତାରିଖ ଓ ସମୟ ବାଛିବା ଆଉ କଣ ବୁଝାଯିବ। ତେଣୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଉଛି କି ସେ ଏକ ବିଶ୍ୱସନୀୟ ବୈଜ୍ଞାନିକ ଓ ଯୁକ୍ତିଯୁକ୍ତ ସ୍ପଷ୍ଟୀକରଣ ଦିଅନ୍ତୁ।


କୁମାରସ୍ବାମୀ ଆହୁରି କହିଛନ୍ତି ଯେ, ରାଷ୍ଟ୍ରୀୟ ସଙ୍କଟ ସମୟରେ ଆତ୍ମ ଅଭ୍ୟୁଦୟ ପାଇଁ ବ୍ୟବହାର କରିବା ଲଜ୍ଜାକର କଥା। ଏବଂ ବୈଶ୍ଚିକ ବିପତ୍ତି ସ୍ଥିତିରେ ନିଜ ଦଳର ଲୁକ୍କାୟିତ ଏଜେଣ୍ଡାକୁ ଆଗକୁ ବଢ଼ାଇବା ଶର୍ମର କଥା ବୋଲି କହିଛନ୍ତି କୁମାରସ୍ବାମୀ। ପ୍ରଧାନମନ୍ତ୍ରୀଙ୍କୁ ସଦବୁଦ୍ଧି ଆସୁ। ସେ ସରକାର ଉପରେ ଅଙ୍ଗୁଳି ଉଠାଇ କହିଛନ୍ତି ଯେ ଡାକ୍ତରଙ୍କୁ ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ ପ୍ରଦାନ ସହ ସାଧାରଣ ଲୋକଙ୍କ ଯାଞ୍ଚ ପାଇଁ ମିତବ୍ୟୟୀ କିଟ୍ ଏଯାଏଁ ତିଆରି କରାଯାଇ ନାହିଁ। ଏଥିସହ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କଣ ଠୋସ ପଦକ୍ଷେପ ଗ୍ରହଣ କରିଛନ୍ତି କୁହନ୍ତୁ ବୋଲି କହିଛନ୍ତି କୁମାରସ୍ବାମୀ।