ଦୀପାବଳିରେ ଆସିବ ‘ପି ସେ ପ୍ଳେଜର’

ଓଡ଼ିଶାମନୋରଞ୍ଜନ

ଏନ୍ଏନ୍ ବ୍ୟୁରୋ। ଟିନ୍ଏଜରେ ପୁଅ ଝିଅଙ୍କ ପ୍ରେମ କିଛି ନୂଆ ନୁହେଁ। କିନ୍ତୁ ଏଠି ମନ ମିଶିଛି ଦୁଇ ଝିଅଙ୍କର ! ଦୁଇ ଯୁବତୀଙ୍କ ନିଆରା ପ୍ରେମ କାହାଣୀକୁ ନେଇ ଦୀପାବଳିରେ ଆସୁଛି ନୂଆ ୱେବ ସିରିଜ୍ ‘ପି ସେ ପ୍ଲେଜର୍ ‘ ! ସମଲିଙ୍ଗୀ ସମ୍ପର୍କ ଉପରେ ଆଧାରିତ ଏହି ୱେବ ସିରିଜର ପ୍ରମୁଖ ଚରିତ୍ରରେ ଅଛନ୍ତି ସିନ୍ଦୂରା ରାଉତ ଓ ଅମ୍ରିତା ମିଶ୍ର ! ସିନ୍ଦୂରା ତେଲୁଗୁ ଚଳଚ୍ଚିତ୍ରର ଜଣେ ଚର୍ଚ୍ଚିତ ନାୟିକା ହୋଇଥିବା ବେଳେ ଅମ୍ରିତା ହେଉଛନ୍ତି ଓଡ଼ିଆ ୱେବ ସିରିଜର ପରିଚିତ ଚେହେରା ! ଯୁବ ନିର୍ଦ୍ଦେଶକ ଅବିନାଶ ରାଉତ ‘ପି ସେ ପ୍ଳେଜର’ର ନିର୍ଦ୍ଦେଶନା ଦେଇଛନ୍ତି !

ଅବିନାଶ ପୂର୍ବରୁ କେତୋଟି ବଲିଉଡ ଚଳଚ୍ଚିତ୍ର, ଧାରାବାହିକ ଓ ଟେଲିଭିଜନ ଶୋ’ର ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିସାରିଛନ୍ତି ! ‘ପି ସେ ପ୍ଲେଜର୍’ ୱେବ ସିରିଜ ହେଉଛି ତାଙ୍କର ଡ୍ରିମ ପ୍ରୋଜେକ୍ଟ ! ଅବିନାଶଙ୍କ ମତରେ, ‘କଣ୍ଟେଣ୍ଟ ଓରିଏଣ୍ଟେଡ ବା ବଳିଷ୍ଠ କାହାଣୀ ଭିତ୍ତିକ ୱେବ ସିରିଜ ନିର୍ମାଣ କରିବା ଆମର ଲକ୍ଷ୍ୟ ରହିଛି ଯାହା ଜାତୀୟ ସ୍ତରରେ ଚର୍ଚ୍ଚା ଓ ଆଲୋଚନାର ପରିସରକୁ ଆସି ପାରିବ। ସିନ୍ଦୂରାଙ୍କ ଅଭିନୀତ ଏହା ପ୍ରଥମ ହିନ୍ଦୀ ୱେବ ସିରିଜ ହୋଇଥିବା ବେଳେ ଏଥିରେ ସେ ବେଶ ପ୍ରଭାବଶାଳୀ ଅଭିନୟ କରିଛନ୍ତି।’ ଭାରତରେ ସମଲିଙ୍ଗୀ ସମ୍ପର୍କକୁ ନ୍ୟାୟିକ ମାନ୍ୟତା ମିଳିଥିଲେ ସୁଦ୍ଧା ଆଜିବି ପରିବାର ତଥା ସମାଜର ସ୍ବୀକୃତି ପାଇଁ କିଭଳି ସଂଘର୍ଷ କରିବାକୁ ପଡୁଛି ତାହାର ନିଛକ ଚିତ୍ର ଏଠାରେ ଦେଖିବାକୁ ମିଳେ। ରୋମାଞ୍ଚକ କାହାଣୀରେ ଲଭ୍, ଆକ୍ସନ, ସସ୍ପେନ୍ସ, ଥ୍ରିଲର୍ ଓ ମର୍ଡର ମିଷ୍ଟ୍ରି ସାଙ୍ଗକୁ ଏପରି କିଛି ଅନ୍ତରଙ୍ଗ ଦୃଶ୍ୟ ରହିଛି ଯାହା ଦର୍ଶକଙ୍କୁ ରୋମାଂଚିତ କରିବ !

ତେବେ ଟିଜର ରିଲିଜ ହେବା ପରେ ଏହି ବୋଲଡ ସିନକୁ ନେଇ ଟଲିଉଡ଼ରୁ ଓଲିଉଡ଼ଯାଏ ଚର୍ଚ୍ଚା ଜୋର ଧରିଛି। ଏ ସମ୍ପର୍କରେ ସିନ୍ଦୂରା କୁହନ୍ତି, ‘ଜଣେ ଅଭିନେତ୍ରୀକୁ ଚରିତ୍ର ଉପଯୋଗୀ ଅଭିନୟ କରିବାକୁ ହୋଇଥାଏ। ଆଉ ଏଠି ମୁଁ କେଵଳ ମୋ କାମ କରିଛି। ମୋ ଚରିତ୍ରକୁ ଉପଯୁକ୍ତ ନ୍ୟାୟ ଦେବାକୁ ସାଧ୍ୟମତେ ଚେଷ୍ଟା କରିଛି। ଆଶା ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ଆସିବ। ମୋ ଅଭିନୟର ସଫଳତା ପଛରେ ନିର୍ଦ୍ଦେଶକଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିଛି, ନଚେତ ମୁଁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରକୁ ଆଦୌ ନ୍ୟାୟ ଦେଇପାରି ନଥାନ୍ତି।’ ଏହି ୱେବ ସିରିଜଟି ଓଟିଟି ପ୍ଲାଟଫର୍ମ ଏ ଆର୍ ପ୍ରାଇମରେ ମୁକ୍ତିଲାଭ କରିବ !

Leave a Reply