ଏସଏଚଜି ନାଁରେ କୋଟି କୋଟି ଠକେଇ

ଅପରାଧବଡ଼ ଖବରସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। ଏସଏଚଜି ନାଁରେ କୋଟି କୋଟି ଟଙ୍କା ଠକେଇ। ଅଧିକ ଟଙ୍କାର ଲୋଭ ଦେଖାଇ ଅନେକ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଠକିଛନ୍ତି ଠକ। କୋଟି କୋଟି ଟଙ୍କାର ଠକେଇର ଶିକାର ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ମୁରିବାହାଲ୍ ବ୍ଲକ୍ ବାଙ୍କେଲ୍ ଓ ମାଲେଶିରା ପଞ୍ଚାୟତର ଏସଏଚଜି ମହିଳା। ଅଭିଯୋଗ ହେବା ପରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟଜଣେ ଏବେବି ଫେରାର ଅଛି। ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଜିଲ୍ଲା ପୋଲିସ।

ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଅଭିଯୋଗ ଅନୁସାରେ,ବଲାଙ୍ଗିର ଜିଲ୍ଲା ମୁରିବାହାଲ୍ ବ୍ଲକ ବାଙ୍କେଲ ଓ ମାଲେଶିରା ପଞ୍ଚାୟତର ୧୧ ଟି ଏସଏଚଜିର ମହିଳାଙ୍କୁ ଅଧିକ ଟଙ୍କାର ପ୍ରଲୋଭନ ଦେଖାଇ ସମସ୍ତ ଗ୍ରୁପଠାରୁ ଚଂଚଳତା କରି କାଗଜପତ୍ର ଓ ଦସ୍ତକତ ନେଇ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଛନ୍ତି ମୁରିବାହାଲ ବ୍ଲକର ଚନ୍ଦ୍ରମଣି ବଗର୍ତ୍ତି ଓ ଠାକୁର ସେଲମା। ଘଟଣାରେ ଜଣେ ଅଭିଯୁକ୍ତ ଠାକୁର ସେଲମା ଗିରଫ ହୋଇ ଜେଲ ଯାଇଥିବା ବେଳେ ଫେରାର ମାରିଥିବା ଅନ୍ୟ ଅଭିଯୁକ୍ତ ଚନ୍ଦ୍ରମଣି ବଗର୍ତ୍ତିକୁ ଏଯାଏ ଗିରଫ କରି ପାରିନି ପୋଲିସ।

ଅଭିଯୋଗ ଅନୁସାରେ, ଅଧିକ ଟଙ୍କାର ଲୋଭ ଦେଖାଇ ମୁରିବାହାଲ ବ୍ଲକର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଉପରେ ଜାଲ ବିଛାଇଥିଲେ ଚନ୍ଦ୍ରମଣି ବଗର୍ତ୍ତି ଓ ଠାକୁର ସେଲମା। ବାଙ୍କେଲ ଓ ମାଲେଶିରା ପଞ୍ଚାୟତର ୧୧ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଏମାନେ କାଗଜପତ୍ର ଓ ଦସ୍ତଖତ ନେଇ ଯାଇଥିଲେ। ଏଥିସହ ମହିଳା ଗୋଷ୍ଠୀଙ୍କ ନାଁରେ ବିଭିନ୍ନ ଫାଇନାନ୍ସ କମ୍ପାନୀରୁ ୬ ଥର ଲେଖାଏଁ ଋଣ ଉଠା ଯାଇଥିବା ଅଭିଯୋଗ ହୋଇଛି। ଯାହା କି ସମ୍ପୂର୍ଣ୍ଣ ବେଆଇନ୍। ଏନେଇ ଗୋଷ୍ଠୀର ସଦସ୍ୟ ମାନେ ମୁରିବାହାଲ ଥାନାରେ ଏତଲା ଦେବା ପରେ ପୋଲିସ ଠାକୁରକୁ ଗିରଫ କରି ଚୁପ୍ ରହିଛି। ଘଟଣାର ଖୋଳତାଡ଼ ନକରିବା ସହ ଅନ୍ୟ ଅଭିଯୁକ୍ତ ଚନ୍ଦ୍ରମଣି ବଗର୍ତ୍ତିକୁ ଧରିବା ପାଇଁ ପୋଲିସ କୌଣସି ପଦକ୍ଷେପ ନେଇନ ଥିଲା। ତେଣୁ ବାଧ୍ୟ ହୋଇ ଶେଷରେ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ଠକେଇର ଶିକାର ହୋଇଥିବା ସମସ୍ତ ମହିଳା। ଠିକ୍ ନ୍ୟାୟ ପାଇଁ ଏସପିଙ୍କ ନିକଟରେ ଗୁହାରି କରିଛନ୍ତି। ଘଟଣାର ଅନ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଉଭୟଙ୍କ ସମ୍ପତି ବାଜ୍ୟାପ୍ତି କରି ଋଣ ଟଙ୍କା ପୈଠ କରିବାକୁ ସେମାନେ ଦାବି କରିଛନ୍ତି। ତେବେ ଶୀଘ୍ର ନ୍ୟାୟ ନ ମିଳିଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ଆବଶ୍ୟକ ପଡିଲେ ଗିରଫ ଅଭିଯୁକ୍ତ ଠାକୁର ସେଲମାକୁ ରିମାଣ୍ଡରେ ଆଣି ଘଟଣାର ଖୋଳତାଡ଼ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି। ଏବଂ ଅଭିଯୋଗ ପରେ ତା ଆରଦିନ ଜିଲ୍ଲା ପୋଲିସ୍ ପକ୍ଷରୁ ମୁରିବାହାଲକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି।
ତେବେ ଏମାନେ କେବଳ ବଲାଙ୍ଗିର ନୁହଁ ପଡୋଶୀ ଜିଲ୍ଲା କଳାହାଣ୍ଡିରେ ମଧ୍ୟ ମହିଳା ଗୋଷ୍ଠୀ ଠାରୁ ଟଙ୍କା ଠକେଇ କରିଥିବା ଜଣା ପଡିଛି। ତେବେ ଆଶ୍ଚର୍ଯ୍ୟର କଥା ଗୋଟିଏ ଗୋଟିଏ ମହିଳା ଗୋଷ୍ଠୀକୁ ଏକାଧିକ ବାର ଋଣ ଦେଇଥିବା ଫାଇନାନ୍ସ କମ୍ପାନୀ ସନ୍ଦେହ ଭିତରକୁ ଆସିଛି। ଅଭିଯୁକ୍ତ ଓ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ମିଳିମିଶି କୋଟି କୋଟି ଟଙ୍କା ହଡ଼ପ କରିଥିବା ଚର୍ଚ୍ଚା ହେଉଛି। କେବଳ ବଲାଙ୍ଗିର ଜିଲ୍ଲାରେ ଏଯାଏ ୨ କୋଟିରୁ ଅଧିକ ଟଙ୍କାର ଠକେଇ ଘଟଣା ସାମ୍ନାକୁ ଆସିଛି। ଘଟଣାର ଅଧିକ ଖୋଳତାଡ଼ କରାଗଲେ ଆହୁରି କୋଟି କୋଟି ଟଙ୍କା ଠକେଇର ଗୁମର ରହସ୍ୟ ସାମ୍ନାକୁ ଆସିବ।