ନବନୀତା ବ୍ୟୁରୋ । ବାହାରିଲା ରାଷ୍ଟ୍ରୀୟ ନାଗରିକ ପଂଜୀକରଣ ବା ଏନଆରସିର ଫାଇନାଲ ଲିଷ୍ଟ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ତାଲିକା ଜାରି କରାଯାଇଛି । ଏନଆରସି ରାଜ୍ୟ କୋର୍ଡିନେଟର ପ୍ରତୀକ ହଜେଲାଙ୍କ କହିବା ଅନୁସାରେ, ମୋଟ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣ ବ୍ୟକ୍ତି ଫାଇନାଲ ଲିଷ୍ଟରେ ସାମିଲ ହୋଇଛନ୍ତି । ହେଲେ ୧୯ ଲକ୍ଷ ୬ ହଜାର ୬୬୭ ଜଣ ଲୋକ ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି । ନିଜ ଦାବା ପ୍ରସ୍ତୁତ କରିବାରେ ଅସଫଳ ହେବାରୁ ସେମାନଙ୍କୁ ଏହି ତାଲିକାରୁ ବାଦ୍ ଦିଆଯାଇଛି । ତେବେ ଏଥିରେ ଅସନ୍ତୁଷ୍ଟ ବ୍ୟକ୍ତି ବିଦେଶୀ ଟ୍ରିବ୍ୟୁନାଲରେ ଅପିଲ ଦାୟର କରି ପାରିବେ । ଏହି ଅପିଲର ସମାଧାନ ଲାଗି ରାଜ୍ୟରେ ମୋଟ ୪୦୦ ବିଦେଶୀ ଟ୍ରିବ୍ୟୁନାଲ ପ୍ରତିଷ୍ଠା କରାଯାଇଛି । ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ଅପିଲ ଦାଖଲ କରି ପାରିବେ ।
ସୂଚନା ଅନୁସାରେ ଅସାମା ସରକାର ୨୦୧୮ ଜୁନ ୧୮ ତାରିଖରେ ଏନଆରସିର ଦ୍ୱିତୀୟ ଚିଠା ଜାରି କରାଯାଇଥିଲା । ଯେଉଁଥିରେ ୪୧ ଲକ୍ଷ ଲୋକ ତାଲିକାରୁ ବାଦ୍ ପଡିଥିଲେ । ତେବେ ଫାଇନାଲ ତାଲିକାରେ ଏ ସଂଖ୍ୟା ହ୍ରାସ ପାଇ ୧୯ ଲକ୍ଷଙ୍କୁ ପହଂଚିଛି ।\nଏନଆରସି ଫାଇନାଲ ଲିଷ୍ଟ ବାହାରିବା ପରେ ଏନଆରସି ସେବା କେନ୍ଦ୍ର ଆଗରେ ଲୋକଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଥିଲା । ତାଲିକାରେ ନିଜ ନାଁ ଅଛି କି ନାହିଁ ତାହା ଜାଣିବାକୁ ଲୋକେ ଏଠାକୁ ଆସିଛନ୍ତି । ତେବେ ଲୋକଙ୍କ ମଧ୍ୟରେ ଭୟର ବାତାବରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି । କିନ୍ତୁ ଲୋକେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସରକାର ରୋକଠୋକ ଶୁଣାଇ ଦେଇଛନ୍ତି । କାରଣ ଯେଉଁ ବ୍ୟକ୍ତି ନାଗରିତା ହରାଇବେ ସେମାନଙ୍କୁ ଡିଟେନସନ୍ ସେଂଟରକୁ ପଠା ଯିବ ନାହିଁ ବୋଲି ପୂର୍ବରୁ କୁହାଯାଇଥିଲା ।
ଫାଇନାଲ ଲିଷ୍ଟ ବାହାରିବା ପୂର୍ବରୁ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ଅପିଲ କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ । ଆସାମରେ ଶାନ୍ତି ଓ ଧୈର୍ଯ୍ୟ ରଖିବା ଲାଗି ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଅପଲି କରିଛନ୍ତି । ଯେପର୍ଯ୍ୟନ୍ତ ଅପିଲ କରିବା ସମୟ ଅଛି ସେପର୍ଯ୍ୟନ୍ତ କାହାକୁ ବିଦେଶୀ ବୋଲି କୁହାଯିବ ନାହିଁ । ସରକାର ସମସ୍ତଙ୍କ ସମସ୍ୟା ଉପରେ ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।ସେପଟେ ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଲୋକଙ୍କୁ ଅପିଲ କରାଯାଇଛି । ଏନଆରସିର ଫାଇନାଲ ତାଲିକା ନେଇ ସଂପୃକ୍ତ କୌଣସି ପ୍ରକାର ଗୁଜବ ଉପରେ ବିଶ୍ୱାସ ନ କରିବାକୁ କୁହାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ସିଧା କୁହାଯାଇଛି ଯେ, ଯେ କୌଣସି ବ୍ୟକ୍ତି ତାଲିକାରେ ସାମିଲ ନ ହେବା ଅର୍ଥ ଇଏ ନୁହେଁ କି ସେମାନଙ୍କୁ ବିଦେଶୀ ଘୋଷଣା କରି ଦିଆଯାଇଛି । ଅନ୍ତିମ ତାଲିକାରୁ ବାଦ ପଡିଥିବା ସମସ୍ତ ବ୍ୟକ୍ତି ବିଦେଶୀ ଟ୍ରିବ୍ୟୁନାଲରେ ଅପିଲ କରି ପାରିବେ । ଏଥିପାଇଁ ବିଦେଶୀ ଟ୍ରିବ୍ୟୁନାଲ ସଂଖ୍ୟା ବୃଦ୍ଧି କରାଯାଉଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏନଆରସି ଫାଇନାଲ ଲିଷ୍ଟ ବାହାରିଲା, ୩ କୋଟିରୁ ଅଧିକ ବ୍ୟକ୍ତି ସାମିଲ, ବାଦ୍ ପଡ଼ିଲେ୧୯ ଲକ୍ଷ
