ସରକାରୀ ଅଫିସରେ ବେସରକାରୀ କାମ, ପିଇଓ ନିରୁପାୟ!

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ I ସରକାରୀ ଅଫିସରେ ବେସରକାରୀ କାମ I ସରକାରୀ କାର୍ଯ୍ୟ ପାଇଁ ଉର୍ଦ୍ଧିଷ୍ଟ ପଞ୍ଚାୟତ ଅଫିସରେ କରାଯାଇଛି କ୍ରିକେଟ ଟିମ ନିଲାମ I ଏପରିକି ଯୁବ ଗୋଷ୍ଠୀଙ୍କ କବଜାରେ ପଞ୍ଚାୟତ କାର୍ଯ୍ୟାଳୟ କହିଲେ କିଛି ଭୁଲ ହେବ ନାହିଁ I ପୁଇଁତଳା ବ୍ଲକ୍ ବହଳପଦର ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି I ଏଠାରେ ସରପଞ୍ଚ ନାଁକୁ ମାତ୍ର ଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବି ନିରୁପାୟ I ଅଫିସର ଚାବି କାଠି ଯୁବ ଗୋଷ୍ଠୀଙ୍କ ପାଖରେ ଥିବାରୁ କାର୍ଯ୍ୟାଳୟ ଭିତରେ ବେସରକାରୀ କାର୍ଯ୍ୟ କରିବା ସହଜ ହୋଇ ପାରୁଛି I

ସୂଚନା ଅନୁସାରେ, ସୋମବାର ଅପରାହ୍ନରେ 3.30 ମିନିଟ ସମୟରେ ପଞ୍ଚାୟତ ଅଫିସରେ ନିଲାମ କାର୍ଯ୍ୟ ଆରମ୍ଭ ହୋଇଥିଲା I ପଞ୍ଚାୟତ ପ୍ରିମିୟର ଲିଗ୍ ପାଇଁ 5 ଟିମ଼ର ମାଲିକ ନିଲାମରେ ସାମିଲ ହୋଇଥିଲେ I ଏବଂ ନିଲାମ ଡାକି ନିଜ ପସନ୍ଦର ଖେଳାଳି କିଣିଥିଲେ ମାଲିକ I ଚଳିତ ବର୍ଷ ତୃତୀୟ ବର୍ଷ ପାଇଁ ପିପିଏଲ୍ ଆୟୋଜନ ହେବାକୁ ଯାଉଛି I ହେଲେ ପଞ୍ଚାୟତ ଅଫିସରେ ନିଲାମ ଡାକିବା ପାଇଁ କିଏ ଅନୁମତି ଦେଲା ସେନେଇ ପ୍ରଶ୍ନ ଉଠୁଛି I ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁପ୍ରଭାତ ରାଉତଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ I ଦେଖାଯାଉ ବିଭାଗୀୟ ଅଧିକାରୀ ଏ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ସେ ଉପରେ ରହିଛି ସମସ୍ତଙ୍କ ନଜର I