ଏନ୍ଏନ୍ ବ୍ୟୁରୋ। ନାମାଙ୍କନ ଦାଖଲର ଶେଷ ଦିନରେ ନୋମିନେସନ୍ ଭରିଲେ ପ୍ରାର୍ଥୀ। ପଦମପୁର ଉପନିର୍ବାଚନ ପାଇଁ ଆଜି ପ୍ରମୁଖ ତିନି ଦଳ ସହ ମୋଟ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ପଦମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସମସ୍ତ ପ୍ରାର୍ଥୀ। ସ୍ଵାଧୀନ ପ୍ରାର୍ଥୀ ଜୟନ୍ତ ଥାପା ପରେ ନିରାଡମ୍ବର ଭାବରେ ଆସି ଦଳୀୟ ପ୍ରାର୍ଥୀ ଭାବେ ପ୍ରଥମେ ବିଜେଡ଼ି ପ୍ରାର୍ଥୀ ବର୍ଷା ସିଂ ବରିହା ପ୍ରାର୍ଥୀ ପାତ୍ର ଦାଖଲ କରିଥିଲେ। ସାଙ୍ଗରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ସୁଶାନ୍ତ ସିଂ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ଅନେକ ନେତା ନେତ୍ରୀ ଉପସ୍ଥିତ ଥିଲେ।
ଏହାପରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଦଳୀୟ ନେତାଙ୍କ ଗହଣରେ ନୋମିନେସନ୍ ଭରିଛନ୍ତି। ସାଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହ ଅନେକ ତୁଙ୍ଗ ନେତା ସାମିଲ ହୋଇଥିଲେ। ପରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୂର୍ବରୁ ନାମାଙ୍କନ ଦାଖଲ ସ୍ଥଗିତ ରଖିଥିବା ପ୍ରଦୀପ ଶେଷ ମୁହୂର୍ତ୍ତରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସାଙ୍ଗରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ବିଧାୟକ ଦଳ ନେତା ଜୟ ନାରାୟଣ ମିଶ୍ର, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଅନେକ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ହେଲେ ବିଜେପି, କଂଗ୍ରେସ ପୁରୁଖା ନେତାଙ୍କୁ ନିର୍ବାଚନ ମଇଦାନକୁ ଛାଡିଥିବା ବେଳେ ବିଜେଡ଼ି ଜଣେ ନବାଗତାକୁ ଓହ୍ଲାଇଛି। ଦେଖାଯାଉ ବିଜେଡ଼ି ଗଡ ରକ୍ଷା କରି ପାରିବ ନା ବିରୋଧୀ ଅକ୍ତିଆର କରିବେ ତାହା ଆସନ୍ତା ଡିସେମ୍ବର ୮ ତାରିଖରେ ସ୍ପଷ୍ଟ ହୋଇଯିବ।
