ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ପାଇଁ ଦାଖଲ ହୋଇଥିବା ସମସ୍ତ ପ୍ରାର୍ଥିପତ୍ର କାଏମ ରହିଛି I ପ୍ରାର୍ଥିପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ ରହିଥିଲା I ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି ପ୍ରତ୍ୟାହାର କରି ନଥିବାରୁ ତିନି ଜଣ ଯାକଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା କରିଛନ୍ତି ନିର୍ବାଚନ ଅଧିକାରୀ ତଥା ଏଡିଏମ୍ ଲମ୍ବୋଦର ଧାରୁଆ I ଏଥିପାଇଁ ଆସନ୍ତା ୨୨ ତାରିଖରେ ସଭାପତି ନିର୍ବାଚନ ହେବ ବୋଲି ସେ କହିଛନ୍ତି I ସକାଳ 10 ରୁ 12ଟା ସମୟ ମଧ୍ୟରେ ଭୋଟ ଓ ଭୋଟ ପରେ ଗଣତି କରି ଫଳାଫଳ ଘୋଷଣା ହେବାକୁ ସ୍ଥିରୀକୃତ ହୋଇଛି I
ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ପଦ ପାଇଁ ମୋଟ ତିନି ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି I ପଦ୍ମାବତୀ ପାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀ ହୋଇଥିବା ବେଳେ ଅକ୍ଷୟ କୁମାର ରାଉତ ବିଦ୍ରୋହୀ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି I ସେହିପରି କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଭାବେ ସ୍ମାରକ ରଞ୍ଜନ ମିଶ୍ର ନିର୍ବାଚନ ମୈଦାନକୁ ଓହ୍ଲାଇଛି I କଂଗ୍ରେସ ପାଖରେ କେବଳ ଦୁଇ ଜଣ ବ୍ୟାଙ୍କ ନିର୍ଦ୍ଦେଶକ ଥିବା ବେଳେ ବିଜେଡିର କେଉଁ ବ୍ୟାଙ୍କ ନିର୍ଦ୍ଦେଶକ ତାଙ୍କ ସମର୍ଥକ ହେଲା ତାହା ସମସ୍ତଙ୍କୁ ଚକିତ କରିଛି I ଅନ୍ୟ ପକ୍ଷରେ ବିଜେଡ଼ି ମୋଟ ୧୫ ରୁ ୧୩ ଜୋନରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି I ଆଶା କରାଯାଉଥିଲା ସଭାପତି ପଦ ବିଜେଡି ହାତକୁ ଯିବ I କିନ୍ତୁ ଅକ୍ଷୟ କୁମାର ରାଉତ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନ ଆହୁରି ଜଟିଳ ହେବାରେ ଲାଗିଛି I
ଏବେ ସଭାପତି ନିର୍ବାଚନୀ ମୈଦାନରେ ତିନି ଜଣ ରହିଥିବା ବେଳେ ଏହି ପଦ ହାତେଇବ ସେନେଇ ଅଙ୍କ କଷା ଚାଲିଛି I ଦଳୀୟ ପ୍ରାର୍ଥୀ ପଦ୍ମାବତୀ ପାତ୍ରଙ୍କୁ ବିଜେଡି ସମର୍ଥିତ ବ୍ୟାଙ୍କ ନିର୍ଦ୍ଦେଶକ ଭୋଟ ଦେବେ ନା ବିଦ୍ରୋହୀ ବିଜେଡି ପ୍ରାର୍ଥୀ ଅକ୍ଷୟ ରାଉତଙ୍କୁ ଭୋଟ ଦେବେ ସେନେଇ ଛକାପଞ୍ଝା ଲାଗି ରହିଛି I ଯଦି ବିଦ୍ରୋହୀ କିମ୍ବା କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତି ତାହେଲେ ଘୋଡା ବେପାର ହେବା ସମ୍ଭାବନା ଅଧିକ I ଯେହେତୁ ଏହି ପଦବୀ ପାଇଁ ବିଜେଡିର ଅନେକ ଆଶାୟୀ ରହିଥିଲେ I ହେଲେ ଦଳୀୟ ସମର୍ଥନରେ ପଦ୍ମାବତୀଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ସମସ୍ତଙ୍କୁ ନିରାଶ କରିଛି I ଏହି ପୁଞ୍ଜିଭୂତ ଅସନ୍ତୋଷ କାହା ବିରୋଧରେ ଯିବ ତାହା ଆସନ୍ତା 22 ତାରିଖରେ ସ୍ପଷ୍ଟ ହୋଇଯିବ I
