ଏନ୍ଏନ୍ ବ୍ୟୁରୋ। ଶେଷରେ ଚାଷୀର ଜିଦ୍ ଆଗରେ ମୁଣ୍ଡ ନୂଆଁଇଲା ଜିଲ୍ଲା ପ୍ରଶାସନ। ଜିଲ୍ଲାର ସବୁ ମଣ୍ଡିରେ ଦୁଇ କେଜି ଛଟନୀ ଦାବିରେ ରାଜରାସ୍ତା ଅବରୋଧ କରିଥିଲେ ଶହ ଶହ ଚାଷୀ । ଦୀର୍ଘ ସମୟ ଧରି ମଳମୁଣ୍ଡାଠାରେ ୫୭ ନମ୍ବର ଜାତୀୟ ରାଜପଥକୁ ଜାମ କରି ରଖିଥିଲେ। ଘଟଣାସ୍ଥଳରେ ପୁଇନ୍ତଲା ତହସିଲଦାର, ଏଆରସିଏସ, ଏସିଏସଓ ଓ ପରେ ଡିଆରସିଏସ ଦମୟନ୍ତୀ ସିଂ ଆସି ଆଲୋଚନା କରିଥିଲେ ବି ଚାଷୀ ନିଜ ଜିଦରେ ଅଟଳ ରହିଥିଲେ। ଶେଷରେ ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ ଆନ୍ଦୋଳନ ସ୍ଥଳକୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ। ତାସହ ମଳମଣ୍ଡା ପ୍ୟାକ୍ସକୁ ଯାଇ ଧାନର ମାନ ଦେଖିବା ସହ କୌଣସି ଚାଷୀ ଏଫ୍ଏକ୍ୟୁ ମାନର ଧାନ ଦେବାକୁ ସମ୍ଭବ ନୁହଁ ବୋଲି ସ୍ବୀକାର କରିଥିଲେ। ଏବଂ ମଣ୍ଡିରେ ଧାନର କଟନୀ ଛଟନୀ ସମସ୍ୟାର ସମାଧାନ ପାଇଁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ସିଧାସଳଖ ନହେଲେ ବି ୨ କେଜି କଟନୀରେ ଧାନ କିଣିବା ପାଇଁ ପରୋକ୍ଷରେ ମାନିଥିଲେ। ଏହାପରେ ଚାଷୀ ରାଜରାସ୍ତା ଅବରୋଧରୁ ଓହରି ଯାଇଥିଲେ।
ଜିଲ୍ଲାରେ ଚାଷୀ ଶୋଷଣ ନେଇ ଗତ ଶୁକ୍ରବାର ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ଦେଇଥିଲେ ଚାଷୀ। ମଣ୍ଡିରେ ୫/୬ କେଜି ମନଇଚ୍ଛା କଟନୀ ନେଇ ଏଡିଏମଙ୍କୁ ଭେଟି ଆଲୋଚନା କରିଥିଲେ। ଏହା ପୂର୍ବରୁ ପୁଇନ୍ତଲା ବ୍ଲକର ବିଭିନ୍ନ ମଣ୍ଡିକୁ ଅଚଳ କରି ଦେଇଥିଲେ। ଏବଂ ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ତିନି ଦିନ ସମୟ ଦେଇଥିଲେ। ହେଲେ ସେ ସମୟ ମଧ୍ୟରେ ଚାଷୀ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ କେହି ଆଲୋଚନା ନ କରିବାରୁ ଆଜି ମଳମୁଣ୍ଡାଠାରେ ଚାଷୀ ଜାତୀୟ ରାଜପଥ ଅବରୋଧ କରିଥିଲେ।ବ୍ଲକର ବିଭିନ୍ନ ଅଞ୍ଚଳର ଶହ ଶହ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏବଂ ଦୀର୍ଘ ସମୟ ଧରି ରାସ୍ତାକୁ ଚାଷୀ ନିଜ କବଜାରେ ରଖିବା ପରେ ପ୍ରଶାସନ ଉପରେ ଚାପ ପଡ଼ିଥିଲା। ସ୍ଥାନୀୟ ତହସିଲଦାର, ଏସିଏସଓ, ଏଆରସିଏସ ଓ ପରେ ଡିଆରସିଏସ ଆସି ଆଲୋଚନା କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିନଥିଲା। ଶେଷରେ ଉପଜିଲ୍ଲାପାଳ କୁମାର ନାଗଭୂଷଣ ଆସି ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏବଂ ଚାଷୀଙ୍କ କଥାରେ ରାଜି ହେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ଚାଷୀ ଆନ୍ଦୋଳନରେ ଡିସିସିବି ସଭାପତି ସ୍ମାରକ ରଞ୍ଜନ ମିଶ୍ର ସାମିଲ ହେବା ସହ ଚାଷୀ ଶୋଷଣ ବିରୁଦ୍ଧରେ ସରକାର ଉପରେ ବର୍ଷିଥିଲେ। ପଡୋଶୀ ଜିଲ୍ଲା ସୋନପୁରରେ ଦୁଇ କେଜି କଟନୀ କରି ମିଲ ମାଲିକ ଧାନ କ୍ରୟ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲାରେ କାହିଁକି ୫ କେଜି ଛଟନୀରେ ଧାନ ଉଠା ଯାଉଛି ବୋଲି ପ୍ରଶ୍ନ କରିଥିଲେ। ଚାଷୀଙ୍କ ସହ ସବୁବେଳେ ରହିବା ସହ ଚାଷୀ ଶୋଷଣକୁ ବରଦାସ୍ତ କରାଯିବ ନାହିଁ ବୋଲି ପରୋକ୍ଷରେ ଚେତାବନୀ ଦେଇଥିଲେ। ଯେଉଁ ହାତରେ ଚାଷୀ ହଳ ଲଙ୍ଗଳ ଧରୁଛି ସେହି ହାତରେ ତଲୱାର ଧରିବାକୁ ମଜବୁର ନ କରାଯାଉ ବୋଲି ସ୍ମାରକ ମିଶ୍ର କହିଥିଲେ। ସେହିପରି ଆନ୍ଦୋଳନରେ ପଦ୍ମଶ୍ରୀ କୈଳାସ ମେହେର ମଧ୍ୟ ସାମିଲ ହୋଇ ଚାଷୀଙ୍କ ହକ ପାଇଁ କରାଯାଇଥିବା ଆନ୍ଦୋଳନକୁ ଯଥାର୍ଥ ବୋଲି ସେ କହିଥିଲେ। ଏବଂ ଦୁଇ କେଜି ଛଟନୀରେ ମିଲର ଧାନ ଉଠାଇବାକୁ ସେ ଦାବି କରିଥିଲେ। ଏଥିରେ ଚାଷୀ ଭରତ ଭୂଷଣ ପ୍ରଧାନ, ସୁଶାନ୍ତ କୁମାର ବରାଡ, ରମେଶ ଗାଗରିଆ, ଅଜିତ ପଣ୍ଡା, ଦେବିଲାଲ ମିଶ୍ର, ଅରୁଣ ମେର୍ଲି, ପାଣ୍ଡବ କୁମ୍ଭାର, ବିଭୁଦତ୍ତ ମିଶ୍ର, ସାନନ୍ଦ ମିଶ୍ର, ଲକ୍ଷ୍ମଣ ପାତ୍ରଙ୍କ ସହ ଶହ ଶହ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ।
