ନବନୀତା ବ୍ୟୁରୋ। ଓଡ଼ିଶାର ଏମର୍ଜିଂ ବ୍ରାଣ୍ଡ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜନୀତିର ନୂଆ ବ୍ରାଣ୍ଡ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ। ତେବେ ଥରେ ବ୍ରାଣ୍ଡ ତିଆରି ହୋଇଗଲେ ଯାତ୍ରାପଥ ଅତି ସୁଗମ ହୋଇଯାଏ ବୋଲି କହିଛନ୍ତି ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ତଥା ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ। ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗାମୀ ଦିନର ବ୍ରାଣ୍ଡ ହେବାକୁ ଯାଉଥିବା କହିଛନ୍ତି ସୌମ୍ୟ ରଂଜନ। ସେ ଆହୁରି କହିଛନ୍ତି ଯେ, ରାଜନୀତିର ବ୍ରାଣ୍ଡ ଖରାପ ହେଲେ, ସବୁ ଖରାପ୍ ହୋଇଯିବ। ତେଣୁ ରାଜନୀତିରେ ମଧ୍ୟ ପରବର୍ତ୍ତୀ ବ୍ରାଣ୍ଡ ସୃଷ୍ଟି କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଏମର୍ଜିଂ ବ୍ରାଣ୍ଡ ନବୀନ
ଦୀର୍ଘ କୋଡ଼ିଏ ବର୍ଷ ହେଲା ନବୀନ ପଟ୍ଟନାୟକ ଓଡ଼ିଶାରେ ରାଜ କରି ଆସୁଛନ୍ତି। ସାଧାରଣ ଜନତାଙ୍କ ଆଶୀର୍ବାଦରେ ପଞ୍ଚମ ଥର ଭାବେ ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି ନବୀନ। ଦୁର୍ନୀତି, ଭ୍ରଷ୍ଟାଚାର, ଅନ୍ୟାୟକୁ ପ୍ରଶୟ ଦେଉନଥିବା ନବୀନଙ୍କ ଛବି ସ୍ଵଚ୍ଛ ନିର୍ମଳ ରହିଛି। ଜନ୍ମରୁ ମୃତ୍ୟୁ ଯାଏ ବହୁ ଲୋକାଭିମୁଖୀ କାର୍ଯ୍ୟ କରି ଓଡ଼ିଶାରେ ଏକ ବ୍ରାଣ୍ଡ ପାଲଟି ଯାଇଛନ୍ତି ନବୀନ ପଟ୍ଟନାୟକ। ବିଜେଡ଼ି ଦଳ କହିଲେ ନବୀନ ବ୍ରାଣ୍ଡକୁ ହିଁ ବୁଝାଏ। ଏଇଥିପାଇଁ ତ ପ୍ରମିଳା ବିଶୋଇ ଭଳି ଜଣେ ସାଧାରଣ ମହିଳାଙ୍କୁ ସାଂସଦ ଭାବେ ନିର୍ବାଚିତ କରି ନିଜ ବ୍ରାଣ୍ଡ ଭେଲ୍ୟୁର ପ୍ରମାଣିତ କରି ସାରିଛନ୍ତି। ଦଳର ନେତା ହେଉ କି ସରକାରୀ କର୍ମଚାରୀ ଯାହାଙ୍କ ନାଁରେ ଦୁର୍ନୀତିର ଗନ୍ଧ ବାରିଲେ ସେମାନଙ୍କୁ ବିତାଡିତ କରୁଛନ୍ତି ନବୀନ ପଟ୍ଟନାୟକ। କେବଳ ଏତିକି ନୁହେଁ ଗରିବ ପେଟରେ ଦାନା ଯୋଗାଇବାଠାରୁ ଆରମ୍ଭ କରି ଖଟି ଖିଆ ମଜୁରୀ ଓ ଅସହାୟ ବୃଦ୍ଧବୃଦ୍ଧାଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା କରି ଲୋକଙ୍କ ହୃଦୟରେ ରାଜ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଗାମୀ ଦିନର ବ୍ରାଣ୍ଡ ଧର୍ମେନ୍ଦ୍ର!
ନବୀନ ଏମର୍ଜିଂ ବ୍ରାଣ୍ଡ, କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଗାମୀ ଦିନର ବ୍ରାଣ୍ଡ ବୋଲି କହିଛନ୍ତି ସୌମ୍ୟ ରଂଜନ। ତେବେ ଧର୍ମେନ୍ଦ୍ରଙ୍କୁ ପରବର୍ତ୍ତୀ ବ୍ରାଣ୍ଡ କହିବାର ତାତ୍ପର୍ଯ୍ୟ କଣ! ୨୦୨୪ରେ ନବୀନ ପଟ୍ଟନାୟକ ଗାଦିଚ୍ୟୁତ ହୋଇ ଧର୍ମେନ୍ଦ୍ର ପ୍ରଧାନ ଶାସନ ଗାଦିରେ ବସିବେ କି? ସୌମ୍ୟଙ୍କ ମନ୍ତବ୍ୟରୁ ଏହି ସଂକେତର ଆଭାସ ମିଳୁଛି। କାରଣ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ବପ୍ନ ଦେଖୁଛନ୍ତି ଏହା କାହାରିକୁ ଅଛପା ନାହିଁ। ତେଣୁ ଦେଶର ବଡ଼ ବଡ଼ ଯୋଜନାକୁ ଓଡ଼ିଶାରୁ ଆରମ୍ଭ କରିବା ସହ ଲୋକଙ୍କ ହୃଦୟ ଜିତିବା ପାଇଁ ଅହରହ ଉଦ୍ୟମ ଚଳାଇଛନ୍ତି। କେବଳ ଏତିକି ନୁହେଁ, ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରି ନିଜ ବ୍ରାଣ୍ଡ ସୃଷ୍ଟି କରିବାରେ ଲାଗିଛନ୍ତି। ଏପରିକି ଗତ ନିର୍ବାଚନରେ ତାଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପି ନିର୍ବାଚନ ଲଢି ଆଶାତୀତ ସଫଳତା ମଧ୍ୟ ପାଇଛି। ଏଥିସହ ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାକୁ ଗସ୍ତ କରି ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛିନ୍ତି। ଏହି ସବୁ କାର୍ଯ୍ୟକଳାପକୁ ଦେଖିଲେ ଜଣା ପଡୁଛି ଯେ, ଆଗାମୀ ଦିନର ବ୍ରାଣ୍ଡ ହେବାକୁ ଯାଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ତାହା ଏବେଠାରୁ ଆକଳନ କରି ସାରିଲେଣି ବରିଷ୍ଠ ରାଜନେତା ତଥା ବିଜେଡ଼ି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ। ସେଇଥି ପାଇଁ ତ ସମ୍ବାଦ କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡ଼ସ ସମାରୋହରେ ଧର୍ମେନ୍ଦ୍ରଙ୍କୁ ଆଗାମୀ ଦିନର ବ୍ରାଣ୍ଡ ହେବାକୁ ଯାଉଛନ୍ତି ବୋଲି କହିଛନ୍ତି ସୌମ୍ୟ ରଂଜନ।
ତେବେ ପରବର୍ତ୍ତୀ ବ୍ରାଣ୍ଡ ସୃଷ୍ଟି କରିବା ଆବଶ୍ୟକ ମନ୍ତବ୍ୟର ଉଦ୍ଧେଶ୍ୟ କଣ? ନବୀନଙ୍କ ବିକଳ୍ପ ଭାବେ ଲୋକେ ଧର୍ମେନ୍ଦ୍ରଙ୍କୁ ଦେଖିବାକୁ ଚାହୁଁଛନ୍ତି କି? ନବୀନଙ୍କ କୋଡ଼ିଏ ବର୍ଷର ଶାସନରେ ଲୋକେ ବିତସ୍ଫ୍ରୁତ ହୋଇ ଗଲେଣି କି? ଲୋକେ ନବୀନଙ୍କ ବିକଳ୍ପ ଖୋଜୁଛନ୍ତି କି? ଏଥିରୁ ବାରି ହୋଇ ପଡ଼ୁଛି ଯେ, ନବୀନ ପଟ୍ଟନାୟକଙ୍କ ଶାସନ ଆଉ ସେମିତି ଠିକ୍ ଠାକ୍ ଚାଲିନି! ଯଦି ନବୀନ ଏମର୍ଜିଂ ବ୍ରାଣ୍ଡ ତାହେଲେ ଧର୍ମେନ୍ଦ୍ରଙ୍କୁ ଆଗାମୀ ଦିନର ବ୍ରାଣ୍ଡ ବୋଲି କାହିଁକି କହିଲେ ସୌମ୍ୟ ରଂଜନ ପଟ୍ଟନାୟକ। ସେ କାରଣ ଯାହା ବି ହେଉ ଧର୍ମେନ୍ଦ୍ରଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ ଲୋକେ ତାଙ୍କୁ ନବୀନଙ୍କ ବିକଳ୍ପ ଭାବେ ଦେଖିବାକୁ ଚାହୁଁଥିବା ସୈାମ୍ୟଙ୍କ ମନ୍ତବ୍ୟ ଏହି ଇଶାରା କରୁଛି ଏଥିରେ କୌଣସି ସନ୍ଦେହ ନାହିଁ।
