ଦିଲ୍ଲୀ/ଭୁବନେଶ୍ୱର: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଜାରି । କର ନାଟକ ରାଜନୀତି ସଂକଟ ନେଇ ପୁଣି ଥରେ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଲା । କର୍ଣ୍ଣାଟକ କଂଗ୍ରେସର ଆଉ ୫ ବିଦ୍ରୋହୀ ବିଧାୟକ ବିଧାନସଭା ବାଚସ୍ପତିଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନେ ସର୍ବୋଚ୍ଚ ଅଦାଲତରେ ଅନୁରୋଧ କରି କହିଛନ୍ତି ଯେ, ବିଧାନସଭା ବାଚସ୍ପତି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରୁ ନାହାନ୍ତି । ବାଚସ୍ପତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଥିବା ୫ ବିଧାୟକ ହେଲେ ସୁଧାକର, ରୋଶନ ବେଗ, ଏମଟିବି ନାରଗାଜ, ମୁନିରତ୍ନ ଏବଂ ଆନନ୍ଦ ସିଂହ । ଏବେ ଏହି ୫ ବିଧାୟକଙ୍କ ସହ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୧୫ରେ ଛୁଇଁଛି । ଏହା ପୂର୍ବରୁ କର୍ଣ୍ଣାଟକରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତାମାନେ ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ଲାଗି କଥାବାର୍ତ୍ତା ଆରମ୍ଭ କରି ଦେଇଥିଲେ । ହେଲେ ପରିସ୍ଥିତି ସୁଧରିବା ପରିବର୍ତ୍ତେ ଆହୁରି ବିଗଡିବାରେ ଲାଗିଛି ।
ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ବିଧାନସଭାରେ ସମସ୍ତଙ୍କୁ ଚକିତ କରିବା ଭଳି ଘୋଷଣା କରିଥିଲେ । ସେ ଆସ୍ଥା ଭୋଟ କରାଇବା ନେଇ ବାଚସ୍ପତିଙ୍କୁ ସମୟ ଧାର୍ଯ୍ୟ ପାଇଁ ଅନୁରୋଧ କରିବା ସହ ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବାକୁ ଜୋରସୋର ଉଦ୍ୟମ ଆରମ୍ଭ ହୋଇଥିଲା । ତେବେ କଂଗ୍ରେସର ସଂକଟମୋଚକ କୁହାଯାଉଥିବା ଜଳ ସଂପଦ ମନ୍ତ୍ରୀ ଡିକେ ଶିବକୁମାର ସକାଳର ୫ଟା ସମୟରେ ଗୃହ ନିର୍ମାଣ ମନ୍ତ୍ରୀ ଏମଟିବି ନାଗରାଜଙ୍କ ଘରକୁ ଯାଇ ସାଢ଼େ ୪ ଘଂଟା ସମୟ ଯାଏ ଆଲୋଚନା କରିଥିଲେ । ସୂଚନା ଅନୁସାରେ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ମଧ୍ୟ ନାଗରାଜଙ୍କୁ ଇସ୍ତଫାପତ୍ର ପ୍ରତ୍ୟାହାର କରିବାକୁ ତାଙ୍କ ଘରକୁ ଯାଇଥିଲେ । ବୁଧବାର ନାଗରାଜ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ସେହିପରି ବିଧାୟକ ରାମଲିଂଗା ରେଡ୍ଡୀ, ମଣିରତ୍ନ ଏବଂ ଆର୍. ରୋଶନ ବେଗଙ୍କୁ ମଧ୍ୟ ମନାଇବା ଲାଗି ପ୍ରୟାସ କରାଯାଇଛି ।
ସେପଟେ ଅରାଜକତା ମାହୋଲ ଲାଗି ସରକାର ପତନ ହେବା ନିଶ୍ଚିିତ. ତେଣୁ ରାଜ୍ୟ ସରକାର ବହୁମତ ହରାଇ ସାରିଛନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ୟେଦିୟୁରପ୍ପା । ସେ କହିଛନ୍ତି ଯେ, ବିଧାନସଭାରେ ଆସ୍ଥା ଭୋଟ କରିବା ନିରର୍ଥକ । ଅନ୍ୟପଟେ ମଂଗଳବାର ଯାଏ କଂଗ୍ରେସ- ଜେଡିଏସ ମେଂଟ ସରକାରକୁ ଆଶ୍ୱସ୍ତି ମିଳିଛି । ସେ ଦିନ ଯାଏ ଉଚ୍ଚତମ ନ୍ୟାୟାଳୟ ବାଚସ୍ପତିଙ୍କୁ ସମୟ ଦେବା ସହ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଉପରେ ରୋକ ଲଗାଇଛନ୍ତି । ଏହା ପରେ କୁମାରସ୍ୱାମୀ ବିଧାନସଭା ଗୃହରେ ଆସ୍ଥାଭୋଟ କରାଇବା ଲାଗି ଘୋଷଣା କରିଥିଲେ ।
ସେପଟେ ଗୃହରେ ଶକ୍ତି ପରୀକ୍ଷା ଲାଗି ପ୍ରସ୍ତୁତ ବୋଲି କହିଛନ୍ତି ରାଜ୍ୟ ବିଜେପି ଅଧ୍ୟକ୍ଷ ୟେଦିୟୁରପ୍ପା । ସେ କହିଛନ୍ତି ଯେ, ସରାକର ଯଦି ଆସ୍ଥା ଭୋଟ ପ୍ରସ୍ତାବ ଆଣିବା ଚାହୁଁଛନ୍ତି ତାହେଲେ ତାଙ୍କୁ କୌଣସି ଆପତ୍ତି ନାହିଁ । ଅନ୍ୟପଟେ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ସୋମବାର ବାଚସ୍ପତିଙ୍କୁ ଭେଟି ଆସ୍ଥା ଭୋଟ ପ୍ରସ୍ତାବ ଆଣିବାକୁ କହିବୁ ।
ଗତ ବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ମେଂଟ ସରକାର ହୋଇଥିଲା । ତାପରଠୁ ସରକାରରେ ରାଜନୈତିକ ସଂକଟ ଆରମ୍ଭ ହୋଇଥିଲା । ଏବେ ଏହା ଆହୁରି ଗମ୍ଭୀରରୂପ ଧାରି କରିଛି । ତାଙ୍କର ୧୬ ବିଧାୟକ ବିଧାନସଭାରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେଇଥିବା ୧୬ ବିଧାୟକ ମଧ୍ୟରେ ୩ ଜଣ ଜେଡିଏସ ବିଧାୟକ ମଧ୍ୟ ରହିଛନ୍ତି ।
୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ମେଂଟ ସରକାରରେ ବାଚସ୍ପତିଙ୍କୁ ଛାଡ଼ି ମୋଟ ୧୧୬ ବିଧାୟକ ରହିଛନ୍ତି । ସେ ମଧ୍ୟରେ କଂଗ୍ରେସର ୭୮, ଜେଡିଏସର ୩୭, ବହୁଜନ ସମାଜ ପାର୍ଟିର ଜଣେ ଓ ଦୁଇ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି । ଅନ୍ୟପଟେ ବିଧାନସଭାରେ ବିଜେପିର ୧୦୭ ଜଣ ବିଧାୟକ ଅଛନ୍ତି । ଯଦି ୧୬ ଅସନ୍ତୁଷ୍ଟ ବିଧାୟକଙ୍କ ଇସ୍ତଫା ମଂଜୁର ହୋଇଯିବ ତାହେଲେ ମେଂଟ ସରକାରର ସଂଖ୍ୟା ୧୦୦କୁ ଖସି ଆସିବ । ଏବଂ ସରକାର ଭାଂଗିବା ଏକ ପ୍ରକାର ନିଶ୍ଚିତ ଏଥିରେ କୌଣସି ସଂଦେହ ନାହିଁ ।
କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଜାରି, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଉ ୫ ଅସନ୍ତୁଷ୍ଟ ବିଧାୟକ
