ଭୁବନେଶ୍ୱର/ଦିଲ୍ଲୀ: ପଂଚଭୂତରେ ବିଲୀନ ହେଲେ ଶୀଲା ଦୀକ୍ଷିତ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ରାଜକୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସଂପନ୍ନ ହୋଇଛି । ଦିଲ୍ଲୀର ନିଗମ ବୋଧ ଘାଟରେ ହଜାର ହଜାର ସଂଖ୍ୟାରେ ଲୋକ ତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ । ଶୀଲା ଦୀକ୍ଷିତଙ୍କ ଅନ୍ତିମ ବିଦାୟ ଦେବା ଲାଗି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାଣୀଙ୍କ ବହୁ ବରିଷ୍ଠ ନେତା ନିଗମ ବୋଧ ଘାଟରେ ଉପସ୍ଥିତ ଥିଲେ ।
ଏହା ବ୍ୟତୀତ ଶୀଲାଙ୍କ ଘୋର ବିରୋଧୀ ଥିବା ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଅଜୟ ମାକନ ଏବଂ ପୂର୍ବତନ ବିଧାୟକ ଭୀଷ୍ମ ଶର୍ମା ମଧ୍ୟ ଶେଷକୃତ୍ୟ ସଂପନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିସହ ହରିଆଣା ପ୍ରଦେଶ ଅଧ୍ୟକ୍ଷ ଅଶୋକ ତମ୍ବର, ଦିଲ୍ଲୀ କଂଗ୍ରେସର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଏବଂ ସାଂସଦ ଜେପି ଅଗ୍ରୱାଲ, ପୂର୍ବତନ ମେୟର ଫରହାଦ ସୁରୀ ମଧ୍ୟ ଉପସ୍ଥିତ ଥିଲେ ।
ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ, ସିଏମ୍ ଅରବିନ୍ଦ କେଜରୀୱାଲ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ଶ୍ମଶାନ ଘାଟକୁ ପହଂଚି ଶୀଲା ଦୀକ୍ଷିତଙ୍କୁ ଅନ୍ତିମ ବିଦାୟ ଦେଇଥିଲେ । ଶେଷ ସଂସ୍କାର ଅବସରରେ ଶ୍ମଶାନ ଘାଟରେ ଶୀଲା ଦୀକ୍ଷିତ ଅମର ରହେ ସ୍ଲୋଗାନରେ କଂପି ଉଠିଥିଲା ।
ଏହା ପୂର୍ବରୁ ଶୀଲା ଦୀକ୍ଷିତଙ୍କ ପାର୍ଥିବ ଶରୀର କଂଗ୍ରେସ ୨୪ ଅକବର ରୋଡ଼ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ରଖା ଯାଇଥିଲା । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଶୀଲା ଦୀକ୍ଷିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
