ଏନ୍ଏନ୍ ବ୍ୟୁରୋ l ଦୁବାଇରେ ନବରତ୍ନ ସିପିଏସଇ “ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍” (ନାଲକୋ), ଏମିରେଟ୍ସ ଗ୍ଲୋବାଲ ଆଲୁମିନିୟମ୍ (EGA) ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି l ଓଡ଼ିଶାର ଅନୁଗୋଳଠାରେ ନାଲକୋର ୦.୫ ନିୟୁତ ଟନ୍ ବାର୍ଷିକ କ୍ଷମତା (TPA) ବିଶିଷ୍ଟ ସ୍ମେଲଟର୍ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ EGA ଦ୍ୱାରା ୟୁଏଇରେ ବିକଶିତ ‘DX+ Ultra’ ଆଲୁମିନିୟମ୍ ସ୍ମେଲଟିଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ପାଇଁ ଏହି ଚୁକ୍ତି ହୋଇଛି। ନାଲକୋର ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଏବଂ EGAର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅବଦୁଲନାସର ବିନ୍ କଲବାନଙ୍କ ଉପସ୍ଥିତିରେ ଏହି ପ୍ରଯୁକ୍ତିବିଦ୍ୟା ଲାଇସେନ୍ସିଂ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ନାଲକୋ ପକ୍ଷରୁ ମୁଖ୍ୟ ମହାପ୍ରବନ୍ଧକ (ପ୍ରକଳ୍ପ) ବିଜୁ କେ. ଏବଂ EGA ପକ୍ଷରୁ କାର୍ଯ୍ୟକାରୀ ଭାଇସ୍ ପ୍ରେସିଡେଣ୍ଟ – ମିଡ଼ଷ୍ଟ୍ରିମ୍, ଅବଦୁଲ୍ଲା ଜାରୋନୀ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଏଥିରେ ନାଲକୋର ନିର୍ଦ୍ଦେଶକ (ପ୍ରକଳ୍ପ ଓ ବୈଷୟିକ) ଜଗଦୀଶ ଆରୋରା ଏବଂ ନିର୍ଦ୍ଦେଶକ (ଅର୍ଥ) ଅଭୟ କୁମାର ବେହୁରିଆ ଉପସ୍ଥିତ ଥିଲେ।
ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ମାର୍ଗଦର୍ଶନ ଓ ସହଯୋଗରେ, ବିଶ୍ୱସ୍ତରରେ ଏକ ପ୍ରତିଯୋଗୀ ଆଲୁମିନିୟମ୍ ଉତ୍ପାଦକ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ସହ ଚାଲୁରହିଥିବା ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ନାଲକୋ ପାଇଁ ଏହି ଚୁକ୍ତିନାମା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଚୁକ୍ତି ଅନୁଯାୟୀ, DX+ Ultra ପ୍ରଯୁକ୍ତିବିଦ୍ୟାର କାର୍ଯ୍ୟକାରୀତା ପାଇଁ EGA ନାଲକୋକୁ ପ୍ରଯୁକ୍ତିବିଦ୍ୟା ଲାଇସେନ୍ସ, ଜ୍ଞାନକୌଶଳ, ନକ୍ସା ଓ ବୈଷୟିକ ତଥ୍ୟ ଯୋଗାଇବା ସହିତ ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟରେ ବୈଷୟିକ ସହାୟତା ମଧ୍ୟ ପ୍ରଦାନ କରିବ। DX+ Ultra ହେଉଛି ଏକ ଉଚ୍ଚ-ଆମ୍ପିୟର ଏବଂ ଦକ୍ଷ ଆଲୁମିନିୟମ୍ ସ୍ମେଲଟିଂ ପ୍ରଯୁକ୍ତିବିଦ୍ୟା, ଯାହା ଅଧିକ ଉତ୍ପାଦନ କ୍ଷମତା ଏବଂ ଉନ୍ନତ ଶକ୍ତି କାର୍ଯ୍ୟଦକ୍ଷତା ପାଇଁ ପ୍ରସ୍ତୁତ କରାଯାଇଛି। ଏହି ପ୍ରଯୁକ୍ତିବିଦ୍ୟା ଦ୍ୱାରା ନାଲକୋ କମ୍ ପୁଞ୍ଜି ଓ ପରିଚାଳନା ଖର୍ଚ୍ଚରେ ଏକ ଦକ୍ଷ ଏବଂ ପ୍ରତିଯୋଗୀ ସ୍ମେଲଟର୍ ବିକଶିତ କରିପାରିବ। ଅନୁଗୋଳଠାରେ ପ୍ରସ୍ତାବିତ ଏହି ସମ୍ପ୍ରସାରଣ ଦ୍ୱାରା ବାର୍ଷିକ ପ୍ରାୟ ୦.୫ ନିୟୁତ ଟନ୍ (MTPA) ଆଲୁମିନିୟମ୍ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ। ନାଲକୋର ବର୍ତ୍ତମାନର ଉତ୍ପାଦନ କ୍ଷମତା ସହିତ ଏହି ନୂତନ ସମ୍ପ୍ରସାରଣ ମିଶିବା ପରେ କମ୍ପାନୀର ମୋଟ ଆଲୁମିନିୟମ୍ ଉତ୍ପାଦନ କ୍ଷମତା ବାର୍ଷିକ ପ୍ରାୟ ୧ ନିୟୁତ ଟନ୍କୁ ବୃଦ୍ଧି ପାଇବ।
ଏ ଅବସରରେ ନାଲକୋର ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, EGAର DX+ Ultra ପ୍ରଯୁକ୍ତିବିଦ୍ୟା ବ୍ୟବହାର ଦ୍ୱାରା ଅନୁଗୋଳ ସ୍ମେଲଟର୍ ସମ୍ପ୍ରସାରଣ ପ୍ରକଳ୍ପ ଭାରତର ସବୁଠାରୁ ଦକ୍ଷ ଆଲୁମିନିୟମ୍ ସ୍ମେଲଟର୍ ଭାବରେ ଗଢ଼ି ଉଠିବ। “ଏହି ଆଧୁନିକ ଓ ଦକ୍ଷ ପ୍ରଯୁକ୍ତିବିଦ୍ୟାର ଆପଣାଯିବା ଦ୍ୱାରା କେବଳ ନାଲକୋର ଅଭିବୃଦ୍ଧି ଓ ସମ୍ପ୍ରସାରଣ ଯୋଜନାକୁ ବଳ ମିଳିବ ତା ନୁ୍ହଁ , ବରଂ ଏହା ଭାରତର ଆଲୁମିନିୟମ୍ ପରିବେଶକୁ ମଧ୍ୟ ସୁଦୃଢ଼ କରିବ। ଏହାସହ ଏହି ସମ୍ପ୍ରସାରଣ ପରିବେଶ ଅନୁକୂଳ ଦକ୍ଷତା ଏବଂ ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ସହ ଭାରତର ଆର୍ଥିକ ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।” ନାଲକୋ ଏବଂ EGA ମଧ୍ୟରେ ଥିବା ଏହି ସହଭାଗିତା, ଆଲୁମିନିୟମ୍ ଉତ୍ପାଦନ କ୍ଷେତ୍ରରେ ବୈଷୟିକ ଦକ୍ଷତା, ଉତ୍ପାଦନ କ୍ଷମତା ଏବଂ ସ୍ଥାୟିତ୍ୱ ବୃଦ୍ଧି ପାଇଁ ନାଲକୋର ପ୍ରଚେଷ୍ଟାରେ ଏକ ପ୍ରମୁଖ ପଦକ୍ଷେପ। ଅନୁଗୋଳଠାରେ ୦.୫ ନିୟୁତ TPA ସମ୍ପ୍ରସାରଣ ଦ୍ୱାରା ନାଲକୋର ଉତ୍ପାଦନ କ୍ଷମତା ଅଧିକ ମଜବୁତ ହେବ ଏବଂ ଭାରତୀୟ ଅର୍ଥବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଓ ଉଦ୍ଦୀୟମାନ କ୍ଷେତ୍ରଗୁଡ଼ିକରେ ଆଲୁମିନିୟମର ବୃଦ୍ଧିପାଉଥିବା ଚାହିଦାକୁ ପୂରଣ କରିବାରେ ସହାୟକ ହେବ।
