ଭୁବନେଶ୍ଵର (ଏନ୍ଏନ୍ ବ୍ୟୁରୋ) କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ଼ (ନାଲକୋ) ପକ୍ଷରୁ ଆର୍ଥିକ ବର୍ଷ ୨୦୨୩-୨୪ର ଫଳାଫଳ ଘୋଷିତ ହୋଇଛି I ନିଜ ସଫଳତାର ଧାରା ବଜାୟ ରଖି ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀ ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି I ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ରେକର୍ଡ ହୋଇଥିବା ଫଳାଫଳ ଅନୁଯାୟୀ, ନାଲକୋ ଆର୍ଥିକ ବର୍ଷ ୨୦୨୩-୨୪ରେ ୧୩,୧୪୯ କୋଟି ଟଙ୍କାର ବ୍ୟବସାୟ ସହ ୨୦୬୦ କୋଟି ଟଙ୍କାର ନିଟ୍ ଲାଭ କରିଛି । ଆର୍ଥିକ ବର୍ଷ ୨୦୨୩-୨୪ର ଚତୁର୍ଥ ତ୍ରୈମାସିକରେ କମ୍ପାନୀର ନିଟ୍ ଲାଭ ୯୫ ପ୍ରତିଶତ ଅଭିବୃଦ୍ଧି ସହ ୧୦୧୬ କୋଟି ଟଙ୍କା ହୋଇଥିବାବେଳେ ଆର୍ଥିକ ବର୍ଷ ୨୦୨୨-୨୩ର ଚତୁର୍ଥ ତ୍ରୈମାସରେ ନିଟ୍ ଲାଭ ୫୨୨ କୋଟି ଟଙ୍କା ଥିଲା ।
ଆର୍ଥିକ ବର୍ଷ ୨୦୨୩-୨୪ରେ ନାଲକୋର ୧୩,୧୪୯ କୋଟି ଟଙ୍କାର ବ୍ୟବସାୟ ସହ ୨,୦୬୦ କୋଟିର ନିଟ୍ ଲାଭ
ଚତୁର୍ଥ ତ୍ରୈମାସରେ ୯୫ ପ୍ରତିଶତ ଅଭିବୃଦ୍ଧି ସହ ୧୦୧୬ କୋଟି ଟଙ୍କାର ନିଟ୍ ଲାଭ
ଉତ୍ପାଦନ କ୍ଷେତ୍ରରେ ନାଲକୋର ସର୍ବକାଳୀନ ରେକର୍ଡ
ଚଳିତ ଆର୍ଥିକ ବର୍ଷରେ କମ୍ପାନୀର ପ୍ରଦର୍ଶନ :
– ସର୍ବକାଳୀନ ସର୍ବାଧିକ ୪,୬୩,୪୨୮ ମେଟ୍ରିକ ଟନ କାଷ୍ଟ ମେଟାଲ ଉତ୍ପାଦିତ
– ସର୍ବକାଳୀନ ସର୍ବାଧିକ ୪,୭୦,୧୦୮ ମେଟ୍ରିକ ଟନ ଧାତୁ ବିକ୍ରୟ
– ବକ୍ସାଇଟ୍ ଉତ୍ତୋଳନ କ୍ଷେତ୍ରରେ ସର୍ବାଧିକ ୭୬,୦୦,୨୩୦ ମେଟ୍ରିକ ଟନର ସର୍ବକାଳୀନ ରେକର୍ଡ
ସୂଚନାଯୋଗ୍ୟ ଯେ, ବଜାର ଅସ୍ଥିରତା ଏବଂ ମେଟାଲ ଦର ନିମ୍ନ ସ୍ତରରେ ଥିବା ସତ୍ତ୍ୱେ, କମ୍ପାନୀ ବ୍ୟବସାୟର ବିଭିନ୍ନ ଦିଗରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି I ନାଲକୋ ଆର୍ଥିକ ବର୍ଷ ୨୦୨୩-୨୪ରେ ନିଜର ସମସ୍ତ ୟୁନିଟରେ ଉନ୍ନତ ପ୍ରଦର୍ଶନ ସହ ସର୍ବକାଳୀନ ସର୍ବାଧିକ ୭୬,୦୦,୨୩୦ ମେଟ୍ରିକ ଟନ ବକ୍ସାଇଟ୍ ଉତ୍ତୋଳନ, ସର୍ବକାଳୀନ ସର୍ବାଧିକ ୪,୬୩,୪୨୮ ମେଟ୍ରିକ ଟନ କାଷ୍ଟ ମେଟାଲ ଉତ୍ପାଦନ, ସର୍ବକାଳୀନ ସର୍ବାଧିକ ୪,୭୦,୧୦୮ ମେଟ୍ରିକ ଟନ ଧାତୁ ବିକ୍ରୟ ଏବଂ କୋଇଲା ଖଣି କାର୍ଯ୍ୟକ୍ଷମ ହେବାର ପ୍ରଥମ ବର୍ଷରେ ୨ ମିଲିୟନ ଟନ କୋଇଲା ଉତ୍ପାଦନ କରିଛି I
କମ୍ପାନୀର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରି ନାଲକୋ ସିଏମଡି ଶ୍ରୀଧର ପାତ୍ର କହିଛନ୍ତି ଯେ, ଚତୁର୍ଥ ତ୍ରୈମାସରେ କମ୍ପାନୀ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଯାହାକି ବ୍ୟବସାୟିକ ପ୍ରଦର୍ଶନ ତଥା ଅଭିବୃଦ୍ଧିରେ ପ୍ରତିଫଳିତ ହୋଇଛି I କର୍ମଚାରୀ ଏବଂ ବିଭିନ୍ନ ହିତାଧିକାରୀଙ୍କ ପ୍ରତିବଦ୍ଧତା ଏବଂ ସହଯୋଗରେ କମ୍ପାନୀ ଏହି ସଫଳତା ହାସଲ କରିପାରିଥିବା ଶ୍ରୀ ପାତ୍ର କହିଛନ୍ତି I ସେ ଆହୁରି ଆଶା ପ୍ରକଟ କରିଛନ୍ତି ଯେ, ଭବିଷ୍ୟତରେ ଆଲୁମିନିୟମ ଦରରେ ସ୍ଥିରତା ଏବଂ ଚାହିଦା ବୃଦ୍ଧି ସହିତ ନାଲକୋ ନିଜ ଅଭିବୃଦ୍ଧିର କାହାଣୀ ଜାରି ରଖିବାକୁ ସଦାସର୍ବଦା ପ୍ରସ୍ତୁତ ଅଛି l
