ବଲାଙ୍ଗିରରେ ବଢୁଛି ବିଦେଶୀ ପକ୍ଷୀଙ୍କ ଆଗମନ, ଏ ବର୍ଷ ପାଖାପାଖି ୩ ହଜାର ବୃଦ୍ଧି

ଓଡ଼ିଶାବଡ଼ ଖବରସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲାକୁ ପାଖାପାଖି ୩ ହଜାର ଅଧିକ ବିଦେଶୀ ପକ୍ଷୀ ଆସିଛନ୍ତି। ଜିଲ୍ଲାର ବିଭିନ୍ନ ଜଳାଶୟରେ ପକ୍ଷୀ ଗଣନା ପରେ ଏହି ସୂଚନା ଦେଇଛନ୍ତି ଡିଫଓ ନୀତିଶ କୁମାର। ଏ ବର୍ଷ ମୋଟ ୧୫ ହଜାର ୫୦୮ଟି ବିଦେଶୀ ପକ୍ଷୀ ଆସିଥିବା ସେ କହିଛନ୍ତି। ବିଶେଷଜ୍ଞ ଟିମ୍ ଦ୍ଵାରା ଜିଲ୍ଲାର ୧୧ଟି ବନଖଣ୍ଡ ରେଞ୍ଜରେ ଥିବା ୫୭ଟି ଜଳାଶୟରେ ପକ୍ଷୀ ଗଣନା କରାଯାଇଥିଲା। ହେଲେ ଏଥର ଗ୍ରେବସ, କରମୋଣ୍ଟ, ହେରାନ୍ସ, ଷ୍ଟକର୍ଷ, ଡାକୁଶ, ରେଳ, କୁଟ୍ସ, ଗାଳିନୁଲସ, ଫିନଫ୍ଟ, ଜାକାନୋଶ, ଶୋରବାର୍ଡ୍ସ, ବେଡର୍ଷ, ଗୁଲ୍ସ, ଟର୍ନସ, ସ୍କିମର୍ଷ, ଲେସର ଭିଲସ ଡକ୍ସ, ଗ୍ରେଲାଗ ଗୋଶ, ଆକାଳିଟିସ ହାଇପଲୁକ୍ୟାସ ଭଳି ବିଭିନ୍ନ ପ୍ରଜାତିର ପକ୍ଷୀ ବିଦେଶରୁ ଆସିଥିବା ଜଣାପଡ଼ିଛି। ସବୁଠାରୁ ଉଲ୍ଲେଖନୀୟ ପ୍ରଜାତି ମଧ୍ୟରେ ଟର୍ନ ଷ୍ଟରାନା ଆରାଣ୍ଡଟିଆ ଓ କମାନ ସ୍ୟାଣ୍ଡ ପାଇପର ଆକଳାଇଟସ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ତେବେ ଜିଲ୍ଲାକୁ ଏଥର ମୋଟ ୨୦ରୁ ଅଧିକ ପ୍ରଜାତିର ବିଦେଶୀ ପକ୍ଷୀ ଆସିଛନ୍ତି। ବିଶେଷ କରି ଡିସେମ୍ବର ମାସରୁ ଫେବୃୟାରୀ ଶେଷ ଯାଏ ପକ୍ଷୀମାନେ ଏଠାରେ ରହିଥାନ୍ତି। ହେଲେ ଏହି ସଂଖ୍ୟା ପୂର୍ବରୁ ଯଥେଷ୍ଟ ଅଧିକ ରହୁଥିଲ। କିନ୍ତୁ ଏବେ ମନୁଷ୍ୟକୃତ କାରଣ ପାଇଁ ଏହି ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏପରିକି ଜଳାଶୟଗୁଡିକରେ ମାନବିକ ଗତିବିଧି ବୃଦ୍ଧି, ଜଳାଶୟ ସଙ୍କୁଚିତ ଓ ଜଳାଶୟ ଗୁଡିକରେ ପ୍ରଦୂଷଣ ବୃଦ୍ଧି ଯୋଗୁଁ ଏହି ସଂଖ୍ୟା କମିଥିବା ପକ୍ଷୀ ପ୍ରେମୀ କହିଛନ୍ତି ।

ରାଜା ରାଜୁଡ଼ା ଅମଳରୁ ଏଠାକାର ବିଶାଳ ଜଳାଶୟ ବିଦେଶୀ ପକ୍ଷୀଙ୍କୁ ଆକୃଷ୍ଟ କରି ଆସିଛି। ଗତ ବର୍ଷ ଜିଲ୍ଲାରେ ୧୨ ହଜାର ୭୦୨ଟି ବିଦେଶୀ ପକ୍ଷୀ ଆସିଥିବା ବେଳେ ଏ ବର୍ଷ ୧୫ ହଜାର ୫୦୮ଟି ବିଦେଶୀ ପକ୍ଷୀ ଆସିଥିବା ପକ୍ଷୀ ଗଣନାରୁ ଜଣାପଡ଼ିଛି। ପାଖାପାଖି ୩ ହଜାର ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିବାରୁ ଖୁସି ଜାହିର କରିଛନ୍ତି ବଲାଙ୍ଗିର ଡିଏଫ୍ଓ ନୀତିଶ କୁମାର। ଅନୁକୂଳ ପାଣିପାଗ ସହ ବନ ବିଭାଗ ଓ ଲୋକଙ୍କ ମିଳିତ ଉଦ୍ୟମରେ ଜଳାଶୟଗୁଡିକର ସଂରକ୍ଷଣ ଓ ବିକାଶ ଏହାର ମୁଖ୍ୟ କାରଣ ବୋଲି କହିଛନ୍ତି ନୀତିଶ କୁମାର। ହେଲେ ୧୧ଟି ରେଞ୍ଜ ମଧ୍ୟରୁ ବଲାଙ୍ଗିର ରେଞ୍ଜରେ ଅଧିକ ବିଦେଶୀ ପକ୍ଷୀ ଆସିଥିବା ସେ କହିଛନ୍ତି।

Leave a Reply