ଭୁବନେଶ୍ୱର (ନବ୍ୟୁ) : ବାହାରିଲା ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ୭୦.୭୮ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ତେବେ ଏ ବର୍ଷ ପରୀକ୍ଷା ଫଳ ନୈରାଶ୍ୟଜନକ ରହିଛି। ଗତ ବର୍ଷ ୭୬.୨୩ ପ୍ରତିଶତ ପାସହାର ଥିବା ବେଳେ ଏ ବର୍ଷ ହ୍ରାସ ପାଇ ୭୦.୭୮ ପ୍ରତିଶତରେ ପହଞ୍ଚିଛି। ପାସ୍ ହାର ପାଖାପାଖି ୫.୯ ପ୍ରତିଶତ କମିଛି। ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର। ପରୀକ୍ଷାରେ ସ୍ୱଚ୍ଛତା ଅବଲମ୍ବନ ପାଇଁ କେତେକ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି। କପି ରୋକିବାକୁ ଚଳିତ ବର୍ଷ ରାଜ୍ୟର ପ୍ରାୟ ୪୦୦ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା। ଏଥିଯୋଗୁଁ କପି ଉପରେ ଭରସା କରି ପାସ୍ କରିବାର ମନୋବୃତ୍ତି ରଖିଥିବା ଛାତ୍ରଛାତ୍ରୀମାନେ ଫେଲ୍ ହୋଇଥିବା ସେ କହିଛନ୍ତି। ତେବେ ଆସନ୍ତା ବର୍ଷ ମଧ୍ୟ ଶତ ପ୍ରତିଶତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ବ୍ୟବସ୍ଥା କରାଯିବାକୁ କହିଛନ୍ତି ସଚିବ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫ ଲକ୍ଷ ୬୧ ହଜାର ୮୯ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେ ମଧ୍ୟରୁ ୩ ଲକ୍ଷ ୯୭ ହଜାର ୧୨୫ ଜଣ ପିଲା ପାସ୍ କରିଥିବା ବେଳେ ୧ ଲକ୍ଷ ୬୩ ହଜାର ୯୫୪ ଜଣ ପିଲା ଫେଲ୍ କରୁଛନ୍ତି। ତେବେ ଚଳିତ ବର୍ଷ ୮୨ ଟି ସ୍କୁଲ୍ରେ ରେଜଲ୍ଟ ଶୁନ୍ ରହିଛି।
