ତାମିଲନାଡୁରେ ପ୍ରବଳ ବର୍ଷାରେ କାନ୍ଥ ଭୁଶୁଡ଼ି ୧୫ ମୃତ

ଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନେକ ଲୋକ ଆହତ ହୋଇଥିବା ବେଳେ ୩ଟି ଘର ସଂପୂର୍ଣ୍ଣ ଭାଙ୍ଗି ଧ୍ଵଂସ ହୋଇ ଯାଇଛି। ଆଜି ସକାଳେ ମେଟ୍ଟୁପାଳୟମ୍ ନାଦୁର୍ କଣ୍ଣପନ୍ ଲେଆଉଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପୁଲିସ ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ଘର ଭିତରେ ୧୫ ଜଣ ଲୋକ ଥିଲେ। ହେଲେ ପ୍ରବଳ ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପହଞ୍ଚି ୯ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

ଉତ୍ତର ପୂର୍ବ ମୌସୁମୀ କାରଣରୁ ଗତ ୨୪ ଘଣ୍ଟା ମଧ୍ୟରେ ତାମିଲନାଡୁର କିଛି ଅଞ୍ଚଳ ଓ ପଡ଼ୋଶୀ ରାଜ୍ୟ ପୁଡୁଚେରୀରେ ଜୋର୍ ବର୍ଷା ଜାରି ରହିଛି। ତେବେ ଆସନ୍ତା ଦୁଇ ଦିନ ଯାଏ ଏଭଳି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଜୋର ବର୍ଷା କାରଣରୁ ପୁଡୁଚେରୀର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ମାଡ୍ରାସ ବିଶ୍ଵବିଦ୍ୟାଳୟ ଓ ଆନ୍ନା ବିଶ୍ଵବିଦ୍ୟାଳୟରେ ଆସନ୍ତା କାଲି ହେବାକୁଥିବା ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି।