ଖାସ୍ ଖବର
ମହାରାଷ୍ଟ୍ର ରାଜନୀତିରେ ରାତିକରେ ସବୁ ବଦଳିଗଲା, ବିଜେପି – ଅଜିତ୍ ପାୱାର ସରକାର
ଦେବେନ୍ଦ୍ର ଫଡନାଭିସ ଦ୍ବିତୀୟ ଥର ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ
ଫଡନାଭିସ ସରକାରକୁ ଆସନ୍ତା ୩୦ ନଭେମ୍ବର ସୁଦ୍ଧା ବହୁମତ ସାବିତ୍ କରିବାକୁ ପଡ଼ିବ
ନୂଆ ସରକାର ଗଠନକୁ ନେଇ ଶରଦ ପାୱାରଙ୍କ ସହମତି ଅଛି କି ନାହିଁ ତାହା ଅନୁଧ୍ୟାନ ଚାଲିଛି
ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଭାଙ୍ଗିଲା ।
ନବନୀତା ବ୍ୟୁରୋ । ରାତିକ ମଧ୍ୟରେ ସବୁ କିଛି ଉଲଟପାଲଟ ହୋଇଗଲା। କଂଗ୍ରେସ – ଏନସିପି – ଶିବସେନା ଗଠବନ୍ଧନର ମିଳିତ ସରକାର ଗଠନ ନେଇ ଘୋଷଣା କରିବା ଆଗରୁ ମହାରାଷ୍ଟ୍ର ରାଜନୀତିରେ ବଡ଼ ପରିବର୍ତ୍ତନ ହୋଇଛି। ସରକାର ଗଠନ ନେଇ ଟଣା ଓଟରା ଚାଲିଥିବା ବେଳେ ବିଜେପି ପୁଣି ବାଜି ମାରିନେଇଛି। ବିଜେପି ଓ ରାଷ୍ଟ୍ରବାଦି କଂଗ୍ରେସ ପାର୍ଟି ମିଶି ସରକାର ଗଠନ କରିଛନ୍ତି। ଆଜି ସକାଳେ ରାଜଭବନରେ ଦେବେନ୍ଦ୍ର ଫଡନାଭିସ ପୁଣି ଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଏନସିପିର ଅଜିତ୍ ପାୱାରଙ୍କୁ ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇଛନ୍ତି। ଏଥିସହ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଧୂଳିସାତ ହୋଇ ଯାଇଛି। ତେବେ ଫଡନାଭିସ ସରକାରକୁ ଆସନ୍ତା ୩୦ ତାରିଖ ସୁଦ୍ଧା ବହୁମତ ସାଵିତ୍ କରିବା ପାଇଁ ରାଜ୍ୟପାଳ ସମୟ ଦେଇଛନ୍ତି।

ମୋଦୀ, ଶାହାଙ୍କ ଶୁଭେଚ୍ଛା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଦେବେନ୍ଦ୍ର ଫଡନାଭିସ ଓ ଅଜିତ୍ ପାୱାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ମହାରାଷ୍ଟ୍ରର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ନିଷ୍ଠା ସହ କାମ କରିବାକୁ ବିଶ୍ୱାସ ରଖିଛନ୍ତି ମୋଦୀ। ସେହିପରି ଶାହା ବଧାଇ ଦେଇ କହିଛନ୍ତି ଯେ, ଏ ସରକାର ମହାରାଷ୍ଟ୍ରର ବିକାଶ ଓ କଲ୍ୟାଣ ଲାଗି ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିବା ସହ ପ୍ରଦେଶରେ ପ୍ରଗତି ପାଇଁ ନୂଆ ମାପଦଣ୍ଡ ସ୍ଥାପନ କରିବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ।

ମହାରାଷ୍ଟ୍ରରେ ସ୍ଥିର ସରକାର ଜରୁରୀ
ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଫଡନାଭିସ କହିଛନ୍ତି ଯେ, ଲୋକେ ଆମକୁ ପୂର୍ଣ୍ଣ ବହୁମତ ଦେଇଥିଲେ ହେଲେ ଫଳାଫଳ ଆସିବା ପରେ ଶିବସେନା ଅନ୍ୟ ଦଳ ସହ ସରକାର ଗଠନ କରିବା ପାଇଁ ଉଦ୍ୟମ କରିଥିଲେ। ଯେଉଁଥି ପାଇଁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ତେଣୁ ମହାରାଷ୍ଟ୍ରରେ ଖିଚିଡି ସରକାର ନୁହେଁ ଏକ ସ୍ଥିର ସରକାର ଆବଶ୍ୟକ ବୋଲି ଫଡନାଭିସ କହିଛନ୍ତି। ସେହିପରି ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅଜିତ୍ ପାୱାର କହିଛନ୍ତି, ଫଳାଫଳ ଆସିବା ଦିନଠାରୁ ଆଜିଯାଏ କୌଣସି ଦଳ ସରକାର ଗଠନ କରି ପାରି ନାହାଁନ୍ତି। ଅନ୍ୟପଟେ ମହାରାଷ୍ଟ୍ର ଅନେକ ସମସ୍ୟାର ସାମ୍ନା କରୁଛି। ସେଥି ମଧ୍ୟରେ ଚାଷୀ ସମସ୍ୟା ବି ସାମିଲ ଅଛି। ଏଥିପାଇଁ ପ୍ରଦେଶରେ ସ୍ଥିର ସରକାର ଗଠନ କରିବା ପାଇଁ ନିଷ୍ପତି ନିଆ ଯାଇଛି।
ଶରଦ ପାୱାରଙ୍କ ସମର୍ଥନ!
ସୂତ୍ର ଅନୁସାରେ ଶରଦ ପାୱାର ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ଵରେ ମହାରାଷ୍ଟ୍ର ସରକାର ଗଠନ ନେଇ ଚାଲିଥିବା ଚର୍ଚ୍ଚାରେ ସାମିଲ୍ ଥିଲେ। ସେ ଅଜିତ୍ ପାୱାରଙ୍କୁ ଆଗକୁ ବଢିବା ଲାଗି ସମର୍ଥନ ଦେଇଥିଲେ। ତେବେ ଅଜିତ୍ ପାୱାର ସଂସଦୀୟ ବୋର୍ଡର ନେତା ଥିଲେ ବି ଦଳର କୌଣସି ନିଷ୍ପତି ଶରଦ ପାୱାରଙ୍କ ବିନା ସହମତିରେ ନିଆ ଯାଏନି।
ସୂଚନା ଅନଯାୟୀ, ଗତ ମାସ ୨୪ ତାରିଖରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ବିଜେପି ବଡ଼ ଦଳ ଭାବେ ଉଭରି ଥିଲେ ମଧ୍ୟ ସରକାର ଗଠନ ଲାଗି ଆବଶ୍ୟକ ସଂଖ୍ୟା ନଥିଲା। ନିର୍ବାଚନ ପୂର୍ବରୁ ଗଠବନ୍ଧନ କରିଥିବା ଶିବସେନା ମୁଖ୍ୟମନ୍ତ୍ରୀ ପଦ ନେଇ ରୋଲ୍ ଦେଖାଇବା ସହ ଦୀର୍ଘ ୩୦ ବର୍ଷର ସମ୍ପର୍କ ଛିନ୍ନ କରିଥିଲା। ଫଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସରକାର ଗଠନ ହୋଇନ ପାରିବାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଗଲା।
ଏହାପରେ ରାଜ୍ୟପାଳ କୋଶ୍ୟାରି ପ୍ରଥମେ ସବୁଠୁ ବଡ଼ ଦଳ ବିଜେପିକୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିଥିଲେ । ହେଲେ ଆବଶ୍ୟକ ସଂଖ୍ୟା ନଥିବାରୁ ନିଜର ଅସମର୍ଥତା ଜାହିର କରିଥିଲା । ଏହାପରେ ଶିବସେନାକୁ ସରକାର ଗଢ଼ିବା ଲାଗି ସୁଯୋଗ ମିଳିଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସମର୍ଥନ ପତ୍ର ଦାଖଲ କରିପାରିନଥିଲେ। ଶେଷରେ ଏନସିପିକୁ ସରକାର ଗଠନ କରିବା ପାଇଁ ମୌକା ଦିଆଯାଇଥିଲେ ବି ଦଳ ସରକାର ଗଠନ କରିପାରିନଥିଲା। କୌଣସି ଦଳ ସରକାର ଗଠନ କରି ନ ପାରିବାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ଲାଗି ରାଜ୍ୟପାଳ ସୁପାରିଶ କରିଥିଲେ। ରାଷ୍ଟ୍ରପତିଙ୍କ ମୋହର ଲାଗିବା ପରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ହେଲା। ଏ ସମୟରେ ଗୃହମନ୍ତ୍ରୀ ଅମିତ୍ ଶାହା ସିଧାସଳଖ କହିଥିଲେ ଯେ, ଯେଉଁ ଦଳ ପାଖରେ ପୂର୍ଣ୍ଣ ବହୁମତ ଜୁଟାଇବାରେ ସଫଳ ହେବ, ସେ ଦଳ ସରକାର ଗଠନ ଲାଗି ରାଜ୍ୟପାଳଙ୍କ ନିକଟରେ ପ୍ରସ୍ତାବ ଦେଇପାରିବ। ଏହାପରେ ଶିବସେନା, କଂଗ୍ରେସ ଓ ଏନସିପି ସରକାର ଗଠନ କରିବା ପାଇଁଁ ଲଗାତାର ବୈଠକ ଚଳାଇଥିଲେ। ଏପରିକି ତିନି ଦଳ ମଧ୍ୟରେ ସାଧାରଣ ନ୍ୟୁନତମ କାର୍ଯ୍ୟକ୍ରମ ଅନୁସାରେ ସରକାର ଗଢ଼ିବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ହେଲେ ଶନିବାର ସେମାନଙ୍କ ସମସ୍ତ ଉଦ୍ୟମ ଫସର ଫାଟି ଯାଇଛି।
ଦେଖନ୍ତୁ ଶପଥ ନେବାର ଭିଡିଓ: ସୌଜନ୍ୟ ଅମର ଉଜାଲା
