କୋଇଡାରୁ ୱେଷ୍ଟ ବେଙ୍ଗଲ ଗଲେ ୫୯ ଶ୍ରମିକ, ବିପତ୍ତି ବେଳେ ବି ବକେୟା ଦରମା ଦେଲାନି ଠିକାସଂସ୍ଥା

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ୱେଷ୍ଟ ବେଙ୍ଗଲ ଗଲେ ଓଡ଼ିଶାରେ ଫସି ଥିବା ଶ୍ରମିକ। ସୁନ୍ଦରଗଡ଼ ଜିଲ୍ଲା କୋଇଡାରୁ ବସ ଯୋଗେ ୫୯ ଜଣ ଶ୍ରମିକ ୱେଷ୍ଟ ବେଙ୍ଗଲ ଯାତ୍ରା ଆରମ୍ଭ କରିଛନ୍ତି। ହେଲେ ସେମାନେ କାମ କରୁଥିବା ରୁଙ୍ଗଟା କମ୍ପାନୀ ଶ୍ରମିକଙ୍କ ୨ ମାସର ଦରମା ଦେଇନଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ରୁଙ୍ଗଟା କମ୍ପାନୀର କମଣ୍ଡଠାରେ ଥିବା ଷ୍ଟିଲ ପ୍ଲାଣ୍ଟରେ ୱେଷ୍ଟ ବେଙ୍ଗଲ ରାଜ୍ୟର ବାକୁଡ଼ା ଜିଲ୍ଲାର ୫୯ ଜଣ ଶ୍ରମିକ ଏକ ଠିକାସଂସ୍ଥା ଅଧୀନରେ ସିବିଲ କାର୍ଯ୍ୟ କରୁଥିଲେ। କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ସମଗ୍ର ଦେଶରେ ଲକଡାଉନ ଚାଲିଥିବା ବେଳେ ପ୍ଲାଣ୍ଟରେ ୫୯ ଜଣ ଶ୍ରମିକ ଗୋଟିଏ ମାସ ହେବ ଫସି ରହିଥିଲେ। ଶେଷରେ ୫୯ ଶ୍ରମିକ ନାଚାର ହୋଇ ନିଜର ସଞ୍ଚୟ ପଇସାରେ ତିନୋଟି ବସ ଯୋଗେ ନିଜ ରାଜ୍ୟକୁ ଫେରି ପାଇଁ ସ୍ଥିର କରିଥିଲେ।

ଅନ୍ୟପକ୍ଷରେ ଯିବାର ଦୁଇଦିନ ପୂର୍ବରୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ସନତ କୁମାର ପଶୁପାଳକଙ୍କ ତତ୍ତ୍ୱାବଧାନରେ ୫୯ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ବିର୍ଷାମୁଣ୍ଡା ଆଦିବାସୀ ସଂଘ ତରଫରୁ ମାସ୍କ ବିସ୍କୁଟ ଆଦି ପ୍ରଦାନ କରାଯାଇଥିଲା। ସବୁଠାରୁ ବଡ଼ କଥା ହେଉଛି ଶ୍ରମିକ ମାନେ ଯେଉଁ ଠିକାସଂସ୍ଥାରେ ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିଲେ ଏହି ବିପଦ ସମୟରେ ଠିକାସଂସ୍ଥା ସାହାଯ୍ୟ କରିବା ବଦଳରେ ଶ୍ରମିକମାନଙ୍କ ଦୁଇ ମାସର ବକେୟା ଦରମାକୁ ସ୍ଥଗିତ ରଖିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ତେବେ ଶ୍ରମିକଙ୍କ ଅଭିଯୋଗ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଏପଟେ ସ୍ଥାନୀୟ ପ୍ରଶାସନର ସମସ୍ତ ସାହାଯ୍ୟ ଓ ତହସିଲଦାର ଦୁର୍ଯ୍ୟୋଧନ ଭୋଇଙ୍କ ଅଭିନବ ପ୍ରୟାସକୁ ୫୯ ଶ୍ରମିକ ଭୁଲିବେ ନାହିଁ ବୋଲି ଛଳଛଳ ଆଖିରେ କହିଛନ୍ତି ଶ୍ରମିକ। ଶ୍ରମିକମାନେ ଯିବା ସମୟରେ କୋଇଡା ସାମ୍ବାଦିକ ସଙ୍ଘ ତରଫରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ମହାପାତ୍ର , ଖଗେଶ୍ବର ତରେଇ , ଅଭିନାଶ ଶର୍ମା , ଲମ୍ବୋଦର ବାରିକ , ସୁନୀଲ କୁମାର ପଣ୍ଡା ପ୍ରମୂଖ ଉପସ୍ଥିତ ରହି ସ୍ଥାନୀୟ ତହସିଲଦାର ଶ୍ରୀ ଭୋଇଙ୍କ ଉପସ୍ଥିତରେ ଶ୍ରମିକମାନଙ୍କୁ ପାଣି ବୋତଲ ସହିତ ବ୍ରେଡ଼ , ବିସ୍କୁଟ , ଆଦି ପ୍ରଦାନ କରିଥିଲେ।