ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ୫ ଜଣଙ୍କୁ ସିଏମ୍ ରିଲିଫ୍ ପାଣ୍ଠିରୁ ସହାୟତା ମଞ୍ଜୁର

ଓଡ଼ିଶାବଡ଼ ଖବରରାଜନୀତି

ଭୁବନେଶ୍ୱର, ନବନୀତା ବ୍ୟୁରୋ I ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ନବମ ପାଳିରେ 5 ଜଣଙ୍କୁ ସିଏମ୍ ରିଲିଫ ପାଣ୍ଠିରୁ ସହାୟତା ମଞ୍ଜୁର ହୋଇଛି I ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ତତ୍‌କାଳ ପଦକ୍ଷେପ ନେଇଛନ୍ତି। ଏପରିକି ଅଭିଯୋଗ ପ୍ରକୋଷ୍ଠରେ ଆଜିଠୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି I ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଉଛି। ପୁରୀ ଜିଲ୍ଲା ନିମାପଡ଼ାରୁ ଆସିଥିବା ପକ୍ଷାଘାତ ଆକ୍ରାନ୍ତ ହେମନ୍ତ ସାହୁଙ୍କୁ ୧ ଲକ୍ଷ ଟଙ୍କା, ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରୁ ଆସିଥିବା ପକ୍ଷାଘାତ ଆକ୍ରାନ୍ତ ବିଚିତ୍ର ପାଇକରାୟଙ୍କୁ ୧ ଲକ୍ଷ ଟଙ୍କା, ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ଆସିଥିବା ବୋନ୍ ମ୍ୟାରୋ କ୍ୟାନସର ପୀଡ଼ିତା ହାଜିରା ବିବିଙ୍କୁ ୩ ଲକ୍ଷ ଟଙ୍କା ଏବଂ କନ୍ଧମାଳ ଜିଲ୍ଲା ଟିକାବାଲିରୁ ଆସିଥିବା କ୍ୟାନସର ପୀଡ଼ିତା ଇନ୍ଦୁ ବେହେରାଙ୍କୁ ୧ ଲକ୍ଷ ଟଙ୍କା ସହିତ ଗଜପତି ଜିଲ୍ଲାରୁ ପୁଅର ଚିକିତ୍ସାରେ ସର୍ବସ୍ୱାନ୍ତ ରଶ୍ମିତା ନାୟକଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ତୁରନ୍ତ ମଞ୍ଜୁର କରିଥିଲେ I ଏଥିସହ ତତ୍‌କାଳ ସହାୟତା ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅଭିଯୋଗ ପ୍ରକୋଷ୍ଠରେ ଡାକ୍ତରୀ ଦଳ ମଧ୍ୟ ନିୟୋଜିତ ଥିଲେ ।

ତେବେ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଭିଯୋଗ ପ୍ରକୋଷ୍ଠ ଜରିଆରେ ଆମ ସରକାର ସବୁ ବର୍ଗର ଲୋକଙ୍କୁ ସହାୟତା ପ୍ରଦାନ କରୁଛନ୍ତି I ବିଶେଷ କରି ଦିବ୍ୟାଙ୍ଗ, ବରିଷ୍ଠ ଓ ଜରୁରୀ ସେବା ଆବଶ୍ୟକ କରୁଥିବା ବ୍ୟକ୍ତିବିଶେଷଙ୍କୁ ପ୍ରାଧାନ୍ୟ ଦିଆଯାଉଛି I ସମସ୍ତଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ ବିଭାଗ ଓ କର୍ତ୍ତୃପକ୍ଷଙ୍କ ନିକଟକୁ ଏହାର ସମାଧାନ ପାଇଁ ଅଭିଯୋଗପତ୍ର ପ୍ରେରଣ କରାଯାଉଛି। ହେଲେ ଗତ ବର୍ଷ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଅଷ୍ଟମ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୮୭୩୭ଟି ଅଭିଯୋଗ ମଧ୍ୟରୁ ୭୩୩୧ଟି ଅଭିଯୋଗର ସମାଧାନ କରାଯାଇଛି I ଯାହା ଶତକଡ଼ା ୮୪ ପ୍ରତିଶତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି I ବାକି ଅଭିଯୋଗଗୁଡ଼ିକ ପ୍ରକ୍ରିୟାରେ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ I

ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ଏବଂ ଅନ୍ୟ ବିଭାଗଗୁଡ଼ିକର ସଚିବସ୍ତରୀୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ I