ଜୟଦେବ ଭବନରେ ଆନ୍ତର୍ଜାତିକ ଶ୍ରମ ଦିବସ ପାଳିତ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ଭୁବନେଶ୍ବର ଜୟଦେବ ଭବନଠାରେ ରାଜ୍ୟ ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇ ଯାଇଛି। ଏଥିରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗ ଦେଇ ଶ୍ରମିକଙ୍କ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ବଖାଣିଥିଲେ।ଶ୍ରମିକମାନେ ରାଜ୍ୟ ତଥା ଦେଶର ବିକାଶର ମେରୁଦଣ୍ଡ ବୋଲି ସେ କହିଛନ୍ତି। ଏଥିସହ ଓଡ଼ିଶା ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବା ଦିଗରେ ଶ୍ରମିକ ଭାଇ ଭଉଣୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସେମାନଙ୍କ ସମୂହ କଲ୍ୟାଣ ପାଇଁ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣ ମୂଳକ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଏଥିପାଇଁ ନିରନ୍ତର ଭାବେ କାର୍ଯ୍ୟ କରି ଆସୁଥିବା କହିଛନ୍ତି ସୁଶାନ୍ତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁଁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ମାଧ୍ୟମରେ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ ଶିକ୍ଷା,ବିବାହ, ପ୍ରସୂତୀ ଗୃହ ଆଦି ବିଭିନ୍ନ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

ରାଜ୍ୟ ସରକାରଙ୍କ ଏହି ଲୋକାଭିମୁଖୀ ଯୋଜନା ଯୋଗୁଁ ଆମ ରାଜ୍ୟର ୩୫ ଲକ୍ଷରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକମାନଙ୍କୁ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜିକୃତ କରାଯାଇ ଏଯାଏ ୨୬୬୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏପରିକି ଆଜିଠାରୁ ନୂତନ ଭାବେ ଲୋକାର୍ପିତ ହୋଇଥିବା ପୋର୍ଟାଲ ଯୋଗୁଁ ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକରଣ , ନବୀକରଣ ତଥା ସହାୟତା ଆବେଦନ ଲାଗି ଆଉ ଅଯଥାରେ ଶ୍ରମ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ । ଘରେ ବସି ଏହି ସବୁ ସୁବିଧା ଅନଲାଇନରେ ପାଇ ପାରିବେ ବୋଲି କହିଛନ୍ତି ସୁଶାନ୍ତ ସିଂ। କେବଳ ଏତିକି ନୁହେଁ, ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ମୃତ୍ୟୁ ପରେ ମଧ୍ୟ ସେମାନଙ୍କ ପରିବାବର୍ଗଙ୍କୁ ମୃତ୍ୟୁକାଳୀନ ସହାୟତା ଓ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ବାବଦରେ ଆର୍ଥିକ ରାଶି ଦିଆଯାଉଛି । ୬୦ ବର୍ଷ ପରେ ସେମାନଙ୍କୁ ପେନସନ ସହାୟତାର ବ୍ୟବସ୍ଥା ରହିଛି । ଏହି ସୁବିଧା ସୁଯୋଗ ଶ୍ରମିକମାନଙ୍କର ଅଭାବ ଅସୁବିଧା ଲାଘବ କରିବାରେ ବହୁ ମାତ୍ରାରେ ସହାୟକ ହୋଇ ପାରିଛି ଓ ସେମାନଙ୍କ ମୁହଁରେ ହସ ଫୁଟାଇ ପାରି ଥିବା କହିଛନ୍ତି ଶ୍ରମ ମନ୍ତ୍ରୀ।

ମଇ ୧ ଆନ୍ତର୍ଜାତିକ ଶ୍ରମ ଦିବସ ଅବସରରେ ଜୟଦେବ ଭବନରେ ଆୟୋଜିତ ସମାରୋହରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସହ କଟକ ମେୟର ସୁବାସ ସିଂ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।