ନବନୀତା ବ୍ୟୁରୋ। ହକି ଅଲିମ୍ପିକ୍ ପାଇଁ ଭାରତୀୟ ମହିଳା ଦଳକୁ ମିଳିଲା ଟିକେଟ। ଦ୍ବିତୀୟ ପର୍ଯ୍ୟାୟ ଯୋଗ୍ୟତା ପ୍ରତିଯୋଗୀତାରେ ହାରିବା ପରେ ବି ମହିଳା ଦଳ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଶନିବାର ଭୁବନେଶ୍ବର ଠାରେ ଦ୍ବିତୀୟ ପର୍ଯ୍ୟାୟ ଯୋଗ୍ୟତା ମୁକାବିଲା ମ୍ୟାଚ ଖେଳା ଯାଇଥିଲା। ଏଥିରେ ଆମେରିକା ଟିମ୍ ଭାରତୀୟ ଦଳକୁ ୪-୧ ଗୋଲରେ ପରାସ୍ତ କରିଥିଲା। ଏହା ପରେ ବି ସର୍ବାଧିକ ଗୋଲ ଆଧାରରେ ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ ଲାଗି ଯୋଗ୍ୟତା ହାସଲ କରିବାରେ ସଫଳ ହୋଇଛି ଭାରତୀୟ ମହିଳା ହକି ଟିମ୍।
ଏହା ପୂର୍ବରୁ ଶୁକ୍ରବାର ଭାରତୀୟ ମହିଳା ଟିମ୍ ଆମେରିକା ଟିମକୁ ୫-୧ ଗୋଲରେ ପରାସ୍ତ କରିଥିଲା। ହେଲେ ଶନିବାର ଦ୍ବିତୀୟ ମୁକାବିଲାରେ ଭାରତ ୧-୪ ଗୋଲରେ ହରିଥିଲା। କିନ୍ତୁ ଉଭୟ ମ୍ୟାଚର ଗୋଲ୍ ମିଶି ଭାରତ ଆମେରିକାକୁ ୬-୫ ରେ ହରାଇ ୨୦୨୦ ରେ ଆୟୋଜିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ୦-୪ ପଛରେ ଥିବା ଭାରତ ପକ୍ଷରୁ ଅଧିନାୟିକା ରାନୀ ରାମପାଲ ଶେଷ ମୁହୂର୍ତ୍ତରେ ଦଳ ପାଇଁ ସାନଦାର ଗୋଲ୍ ଦେଇ ଦଳକୁ ଅଲିମ୍ପିକ ଟିକେଟ ଦେବାରେ ସଫଳ ହୋଇଥିଲେ।
ସେହିପରି ଭାରତୀୟ ପୁରୁଷ ହକି ଦଳ ମଧ୍ୟ ଜବରଦସ୍ତ ଖେଳ ପ୍ରଦର୍ଶନ କରିଛି। ଦ୍ବିତୀୟ ପର୍ଯ୍ୟାୟ ଯୋଗ୍ୟତା ପ୍ରତିଯୋଗୀତାରେ ଋଷ ଟିମକୁ ୭-୧ରେ ପରାସ୍ତ କରି ଟୋକିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛି। ଯୋଗ୍ୟତା ପର୍ଯ୍ୟାୟରେ ଉଭୟ ମ୍ୟାଚ ମିଶି କରି ଭାରତ ୨୧-୩ ଗୋଲରେ ଋଷ ଟିମକୁ ପରାସ୍ତ କରିଛି।
