ବିଶ୍ୱକପର ବଦଳା ଟି୨୦ରେ, ୱେଷ୍ଟଇଣ୍ଡିଜକୁ ୨-୧ରେ ହରାଇଲା ଭାରତ

ଖେଳଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ୱାଙ୍ଖଡେରେ ବିଶ୍ୱକପ୍ ପରାଜୟର ବଦଳା ନେଲା ଟିମ୍ ଇଣ୍ଡିଆ। ତିନି ଟିକିଆ ଟି ୨୦ ସିରିଜରେ ୨-୧ ରେ ପରାସ୍ତ କରି ବିଜୟୀ ହୋଇଛି ଭାରତ। ବୁଧବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଭାରତ ୱେଷ୍ଟ ଇଣ୍ଡିଜ ଟିମକୁ ୬୭ ରନରେ ପରାସ୍ତ କରିଛି। ଏଥିସହ ୱାଙ୍ଖଡେ଼ରେ ପ୍ରଥମ କରି ଇଣ୍ଡିଜ ବିପକ୍ଷ ଟି୨୦ ମୁକାବିଲା ଜିତିଛି। କୋହଲି ମ୍ୟାନ ଅଫ୍ ଦ ସିରିଜ ଘୋଷିତ ହୋଇଥିବା ବେଳେ କେ ଏଲ୍ ରାହୁଲ ମ୍ୟାନ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

ପୋଲାର୍ଡ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ହେଲେ ତାଙ୍କ ନିଷ୍ପତି ଭୁଲ୍ ସାବିତ୍ ହୋଇଛି। କାରଣ ରୋହିତ ଓ କେ ଏଲ ରାହୁଲ ୧୨ ଓଭରରେ ପ୍ରଥମ ୱିକେଟରେ ୧୩୫ ରନର ବିଶାଳ ସ୍କୋର କରିଥିଲେ। ଉଭୟେ କାର୍ବିଆନ୍ ବୋଲରଙ୍କୁ ପଡିଆ ଚାରିଆଡେ଼ ଛକା ଚୌକା ବର୍ଷା କରିଥିଲେ। ଏହାପରେ ବିରାଟ ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ। ମାତ୍ର ୨୯ ବାଲରେ ୭୦ ରନ୍ ସଂଗ୍ରହ କରିଥିଲେ କୋହଲି।

ଭାରତ ପକ୍ଷରୁ ରୋହିତ ଶର୍ମା ୩୪ ବଲରେ ୭୧ ରନ୍, କେଏଲ ରାହୁଲ ୫୬ ବଲରେ ୯୧ ରନ୍ ସଂଗ୍ରହ କରିଥିଲେ। ଏବଂ କୋହଲି ଅପରାଜିତ ରହି ୭୦ ରନ୍ କରିବା ସହ ନିର୍ଦ୍ଧାରିତ ୨୦ ଓଭରରେ ୨୪୦ ରନ୍ ବିଶାଲ ସ୍କୋର କରିଥିଲେ।

ଜବାବରେ ୨୪୧ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା କରାବିଏନ୍ ଟିମ୍। ହେଲେ ପୋଲାର୍ଡ ୬୮ ରନ୍ ଓ ହେଟମାୟାରଙ୍କ ୪୧ ରନ ସହାୟତାରେ ୨୦ ଓଭରରେ ୧୭୩ ରନ୍ କରି ଟିମ୍ ଇଣ୍ଡିଆ ଠାରୁ ହାରି ଯାଇଛନ୍ତି। ଭାରତ ପକ୍ଷରୁ ଦୀପକ୍, ଭୁବନେଶ୍ୱର, ଶାମି ଓ କୁଲଦୀପ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି।