ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ପାଟଣାଗଡ ବିଧାୟକ ସରୋଜ ମେହେର । ଜେଇଙ୍କୁ ଉଠବସ୍ କରି କିଛି ଦିନ ତଳେ ଜେଲରୁ ମୁକୁଳିଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେର ସେହି ବିକାଶ କାମକୁ ନେଇ ସ୍ଥାନୀୟ ଅଚଂଳରେ ପୁଣି ଥରେ ଚର୍ଚ୍ଚାର ଘେରକୁ ଆସିଛନ୍ତି । ଜେଲରୁ ବାହାରିବା ପରେ ବିଧାୟକ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଅଧିକ ତତ୍ପରତା ଦେଖାଉଥିବା ଦେଖିବାକୁ ମିଳିଛି । ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦଘାଟନ କରିବା ସହ ଲୋକଙ୍କ ଆସ୍ଥା ଭାଜନ ହେବା ଲାଗି ଅଭିନବ ଉଦ୍ୟମ ଚଳାଇଛନ୍ତି । ଯେପରିକି ଜେଇଙ୍କୁ ଉଠବସ ଘଟଣା ପରେ ହରାଇଥିବା ୱେଟ୍ ପୁଣି କେମିତି ସ୍ୱାଭାବିକ ହୋଇ ପାରିବ ସେନେଇ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ସରୋଜ ।
ଜେଲରୁ ମୁକୁଳିବା ପରେ ବିଧାୟକ ସରୋଜ ମେହେରଙ୍କ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି । ପାଟଣାଗଡ ନିର୍ବାଚନ ମଣ୍ଡଳୀ ଅଂଚଳରେ ପିସି କାରବାର ସଂପୂର୍ଣ୍ଣ ବନ୍ଦ ହେବା ନେଇ ରୋକଠୋକ ଶୁଣାଇବା ସହ ଚରମବାଣୀ ଦେଇଛନ୍ତି । ଯେ କୌଣସି କାର୍ଯ୍ୟରେ ବିଭାଗୀୟ ଅଧିକାରୀ ପିସି ମାଗିଲେ ତୁରନ୍ତ ତାଙ୍କୁ ଫୋନ କଲ କରିବାକୁ ଅନୁରୋଧ କରିଛନ୍ତି ସରୋଜ ମେହେର । ତାଙ୍କ ଲକ୍ଷ୍ୟ ପାଟଣାଗଡ଼କୁ ପିସି କାରବାର ମୁକ୍ତ ଅଂଚଳ ଭାବେ ଗଢ଼ି ତୋଳିବା । ହେଲେ ଏଠି ପ୍ରଶ୍ନ ଉଠୁଛି, ଏ ଅଂଚଳରେ ପୂର୍ବରୁ ବ୍ୟାପକ ଭାବେ ପିସି କାରବାର ଚାଲିଥିଲା କି? ଯଦି ଚାଲିଥିବା ସେ ସମୟରେ ସରୋଜ ମେହେର କୁଆଡ଼େ ଥିଲେ? ଏହା ବିରୋଧରେ ସ୍ୱର ଉତ୍ତୋଳନ ନ କରି ଚୁପ୍ ବସିଥିଲେ କାହିଁକି? ଏଭଳି ଅନେକ ଅସମାହିତ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।
ଅନ୍ୟପଟେ ଦେଖିବାକୁ ଗଲେ ପିସି କାରବାର ବନ୍ଦ ହେଲେ ସଂପୃକ୍ତ ଅଂଚଳର ବିକାଶ ହୋଇ ପାରିବ । ହେଲେ ବିକାଶ କାର୍ଯ୍ୟ ଉପରେ ଗୁରୁତ୍ୱ ନ ଦେଇ କ୍ୟାମେରା ଫ୍ରେମରେ କେମିତି ଅଧିକ ଆସିବେ ସେ ଉପରେ ବିଶେଷ ଧ୍ୟାନ ଦେଉଥିବା ଦେଖିବାକୁ ମିଳିଛି । ଏପରିକି ଡ୍ରେନ ସଫା ଲାଗି ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିବା ପରିବର୍ତ୍ତେ ସେ ନିଜେ ନାଳ ସଫା କରିବା ତାଙ୍କର ଅସଲା ଚେହେରା ପଦାରେ ପକାଇ ଦେଇଛି । ଏଥିରୁ ସ୍ପଷ୍ଟ ବାରି ହେଇ ପଡୁଛି ଯେ, ସେ କେବଳ ଲୋକ ଦେଖାଣିଆ ଭାବେ ନାଳ ସଫା କରି ସମସ୍ତଙ୍କ ନଜରରେ ରହିବାକୁ ଚାହୁଁଛନ୍ତି ।

କେବଳ ଏତିକି ନୁହେଁ, ଅଧପନ୍ତରିଆ ବ୍ରିଜକୁ ତରବରିଆ ଭାବେ ଉଦ୍ଘାଟନ କରିବାକୁ ବି ପଛାଇ ନାହାନ୍ତି ବିଧାୟକ ସରୋଜ ମେହେର । ରବିବାର ଦମକିପାଲି ରାସ୍ତା ଉପରେ ଥିବା ମାୟାବତୀ-୧ ପୋଲକୁ ଆନୁଷ୍ଠାନିକ ଭାବେ ସେ ଉଦଘାଟନ କରିଛନ୍ତି । ହେଲେ କାମ ନ ସରୁଣୁ କାହିଁକି ସେ ଏହି ପୋଲକୁ ଉଦଘାଟନ କଲେ? ଏହା ପଛରେ କଣ ରହିଛି ଉର୍ଦ୍ଦେଶ୍ୟ? ପୂର୍ତ୍ତ ବିଭାଗ ପକ୍ଷରୁ ୪ କୋଟି ୮୨ ଲକ୍ଷ ୩୧ ହଜାର ଟଙ୍କାରେ ନିର୍ମିତ ହୋଇଛି ଏହି ପୋଲ । ଏହି କାର୍ଯ୍ୟ ସଂପୂର୍ଣ୍ଣ ହେଲେ ପାଖାପାଖି ୧୧ଟି ପଂଚାୟତର ଲୋକେ ଉପକୃତ ହେବେ । ହେଲେ ପୋଲ କାର୍ଯ୍ୟ ସଂପୂର୍ଣ୍ଣ ନ ହେଉଣୁ କାହିଁକି ତରବରିଆ ଭାବେ ସେ ଏହାର ଉଦଘାଟନ କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏବେ ଆସିବା ଅଂଚଳର ଚାଷ ଆଉ ଚାଷୀର ବ୍ୟଥା କଥାକୁ । ଭାଟିସାଲ ପଡା ଚେକ୍ ଡ୍ୟାମ୍ ଦ୍ୱାରା ୨୫ ହେକ୍ଟର ଚାଷ ଜମିକୁ ଜଳସେଚିତ ହୋଇ ପାରିବ । ଚାଷୀମାନେ ଭଲ ଫସଲ କରି ବେଶ ଦୁଇ ପଇସା ରୋଜଗାର କରି ପାରିବେ । ଏ ଉର୍ଦ୍ଦେଶ୍ୟରେ ସେ ଏହି ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ପ୍ରକଳ୍ପର ଶୁଭ୍ ଦେଇଥିଲେ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ । ଉକ୍ତ ପ୍ରକଳ୍ପର ସମସ୍ତ କାର୍ଯ୍ୟ ସାରି କେବଳ ଉଦଘାଟନ କରିବା ବାକି ଥିଲା । ଏଭଳି ଘ୍ଡ଼ିସନ୍ଧି ମୁହୂର୍ତ୍ତରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥିରେ କେଭିଙ୍କୁ ପରାସ୍ତ କରି ସରୋଜ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏପରିକି ଏମଏଲଏ ହେବା ପରେ ପରେ କୁମ୍ଭାରୀରେ ଦବଂଗିରି ଦେଖାଇ ତାର ପରିଣାମ ମଧ୍ୟ ଭୋଗି ସାରିଛନ୍ତି ସରୋଜ । କିନ୍ତୁ ଏବେ ପାଟଣାଗଡ ଅଂଚଳକୁ କେମିତି ନିଜ କବଜାରେ ରଖିବେ ସେନେଇ ଉଦ୍ୟମ ଚଳାଇଛନ୍ତି । କାରଣ ଜେଇଙ୍କୁ ଉଠବସ୍ କରି ଯେଉଁ ମାନ ମହତ ସବୁ ସାରିଛନ୍ତି, ତାହା କେମିତି ଖୁବ୍ କମ ଦିନରେ ଫେରି ଆସିବ ସେଥିଲାଗି ଅନେକ ଅଭିନବ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି ।
