ଜେଏନୟୁ ପରେ ଆନ୍ଦୋଳନକୁ ଓହ୍ଲାଇଲେ ଆଇଆଇଏମସି ଛାତ୍ର

ଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ହଷ୍ଟେଲ ଫି ବୃଦ୍ଧି ବିରୋଧରେ ହୋଇଥିବା ଆନ୍ଦୋଳନ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଆଇଆଇଏମସିରେ ପହଞ୍ଚିଲା। ଆଇଆଇଏମସି ଛାତ୍ରମାନେ ଫି ବୃଦ୍ଧି ବିରୋଧରେ ଆନ୍ଦୋଳନ କରିଥିଲେ ବି ପ୍ରଶାସନ ସେମାନଙ୍କ ଦାବିକୁ ଶୁଣୁ ନଥିବା ଅଭିଯୋଗ ହୋଇଛି। ଶିକ୍ଷା ଫି ବୃଦ୍ଧି ଓ ହଷ୍ଟେଲରେ ଅସଙ୍ଗତି ତଥା ଖାଇବା ଫିର ବିରୋଧରେ ଆନ୍ଦୋଳନ କରାଯାଇଛି। ତେବେ ଏହା ଏକ ସରକାରୀ ସଂସ୍ଥା ହୋଇଥିବାରୁ ସେ ଦୃଷ୍ଟିରୁ ଫି ବହୁତ ଅଧିକ ବୋଲି ଛାତ୍ରଛାତ୍ରୀ କହିଛନ୍ତି।

ଇଂରାଜୀ ସାମ୍ବାଦିକତା ପାଠ ପଢୁଥିବା ଜଣେ ଛାତ୍ର ଆସ୍ଥା ସବ୍ୟସାଚୀ କହିଛନ୍ତି ଯେ, ୧୦ ମାସ ପାଠ ପଢିବା ପାଇଁ ୯୫,୫୦୦ ଟଙ୍କା ଦେବାକୁ ପଡୁଛି। ହେଲେ ହଷ୍ଟେଲ ଓ ଖାଦ୍ୟ ପାଇଁ ଅଲଗା ଭାବେ ଫି ନିଆ ଯାଉଛି। ସେ ଆହୁରି କହିଛନ୍ତି ଯେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଛାତ୍ରଙ୍କ ଲାଗି ଏତିକି ବଡ଼ ରକମର ଫି ଦେବାକୁ ଅସମର୍ଥ ହେଉଛନ୍ତି। ଏପରିକି ପ୍ରଥମ ସେମିଷ୍ଟର ପରେ ଅନେକ ଛାତ୍ର ପାଠ ପଢା ଅଧାରୁ ଛାଡ଼ି ଚାଲି ଯାଉଛନ୍ତି। ଅନ୍ୟ ଏକ ଛାତ୍ର କହିଛନ୍ତି ଯେ, ରେଡ଼ିଓ ଓ ଟିଭି ସାମ୍ବାଦିକତା ପାଇଁ ଡିପ୍ଲୋମା ପାଠ ପଢ଼ା ଫି ୧,୬୮,୫୦୦ ତାଙ୍କ ଥିବା ବେଳେ ବିଜ୍ଞାପନ ତଥା ଜନସଂପର୍କ ପାଇଁ ୧,୩୧,୫୦୦ ତାଙ୍କ ଫି ରହିଛି। ସେହିପରି ହିନ୍ଦୀ, ଇଂରାଜୀ ସାମ୍ବାଦିକତା ଲାଗି ୯୫,୫୦୦ ଟଙ୍କା ରହିଥିବା ବେଳେ ଉର୍ଦ୍ଦୁ ଲାଗି ୫୫,୫୦୦ ଟଙ୍କା ରହିଛି।

ତେବେ ହଷ୍ଟେଲ ଓ ଖାଇବା ଲାଗି ଫି ଅଲଗା ରହିଛି। ମହିଳାଙ୍କ ଲାଗି ପ୍ରତିମାସ ୬,୫୦୦ ଟଙ୍କା ଥିବା ବେଳେ ଛାତ୍ରଙ୍କ ପାଇଁ ଏହା ୪,୮୦୦ ଟଙ୍କା ରହିଛି। କେବଳ ଏତିକି ନୁହେଁ ସମସ୍ତ ଛାତ୍ରଙ୍କୁ ହଷ୍ଟେଲରେ ଜାଗା ବି ମିଳୁନି। ଏହାର ବିରୋଧରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଛନ୍ତି । ଏହା ପୂର୍ବରୁ ଜେଏନୟୁର ହଷ୍ଟେଲ ଫି ବୃଦ୍ଧି ପ୍ରତିବାଦରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।