ଏମିତି ସାମାଜିକ ଦୂରତା ପାଳନ କରୁଛନ୍ତି ରାଜନେତା!

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ନବନୀତା ବ୍ୟୁରୋ। କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ପାଳନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ସରକାରୀ ସ୍ତରରେ ବ୍ୟାପକ ସତର୍କତା ଓ ସଚେତନତା କରାଯାଉଛି।ନିୟମକୁ କଡାକଡି ଭାବେ ପାଳନ ପାଇଁ ତାଗିତ ବି କରାଯାଉଛି। ହେଲେ ବାଡ଼ ଯଦି ଫସଲ ଖାଏ…
ମହାମାରୀ କରୋନା ପ୍ରକୋପକୁ ଦେଖି କିଛିମାତ୍ରାରେ ଲୋକେ ସଚେତନ ହୋଇଥିବା ବେଳେ କିଛି ଅମାନିଆଙ୍କ ଲାଗି ଏହା ଘୋର ବିପଦ ଆଡ଼କୁ ଟାଣିବା ଆଶଙ୍କା ରହିଛି। ଏପରିକି ଲକ୍ ଡାଉନ୍ କୁ ନ ମାନିବାରୁ ସଟ୍ ଡାଉନ୍ କରିବାକୁ ପଡିଲା। ଏହାସତ୍ତ୍ୱେ ବି ସେହି ଅମାନିଆମାନେ ଏହାକୁ ନ ମାନି ଘରୁ ବାହାରକୁ ଆସୁଥିବା ଦେଖିବାକୁ ମିଳୁଛି। ଫଳରେ ବାଧ୍ୟ ହୋଇ ପୋଲିସ ସେମାନଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ପଠାଇ ଦେଇଛି। ଇଏ ତ ଗଲା ଅମାନିଆଙ୍କ କଥା। କେବଳ ଜନସାଧାରଣ କଣ ରାଜନେତାମାନେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ କଥା ଭୁଲି ଯାଉଛନ୍ତି।


ଏବେ ଆସନ୍ତୁ ନଜର ପକେଇବା କିଛି ରାଜନେତା ମହତ୍ କାର୍ଯ୍ୟ କରିବାକୁ ଯାଇ ସାମାଜିକ ଦୂରତାକୁ ଖୋଲାଖୋଲି ଭାବେ ଉଲଙ୍ଘନ କରିଥିବା ଚିତ୍ରରୁ ସ୍ପଷ୍ଟ ବାରି ହେଉଛି। ଗତ ମଙ୍ଗଳବାର ଖଟିଖିଆ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ନେଇ ଯାଇଥିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ନିଜେ ଗାଡ଼ି ଡ୍ରାଇଭିଂ କରି ରାସନ୍ ସାମଗ୍ରୀ ନେଇ ଲୋକଙ୍କ ନିକଟରେ ପହଞ୍ଚାଇବା ନିଶ୍ଚିତ ଭାବରେ ପ୍ରଶଂସାଯୋଗ୍ୟ। ହେଲେ ମହତ୍ କାର୍ଯ୍ୟ କରିବାକୁ ଯାଇ ମନ୍ତ୍ରୀ ମହାଶୟ ଭୁଲି ଗଲେ ସାମାଜିକ ଦୂରତା କଥା। ଫେସବୁକରେ ପୋଷ୍ଟକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି ଯେ, ମନ୍ତ୍ରୀଙ୍କ ସହ ନିକଟରେ ଥିବା ଲୋକ କେହି ବି ସାମାଜିକ ଦୂରତା ଅବଲମ୍ବନ କରି ନଥିବା ଜଣା ପଡୁଛି। ମନ୍ତ୍ରୀଙ୍କ କାମ ମହାନ୍, କିନ୍ତୁ ଏହି ସାମାନ୍ୟ ଭୂଲ୍ ଅନେକ ଲୋକଙ୍କୁ ବିପଦ ଆଡ଼କୁ ଟାଣି ଆଣିପାରେ।


କେବଳ ମନ୍ତ୍ରୀ ନୁହନ୍ତି, ବରଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ସାମାଜିକ ଦୂରତାକୁ ଗୁରୁତ୍ୱ ଭାବେ ନେଉ ନାହାନ୍ତି। ନିଜ ଫେସଵୁକରେ ପୋଷ୍ଟ ଫଟୋକୁ ଦେଖିଲେ ଜଣା ପଡୁଛି ଯେ, ସେ ଲୋକଙ୍କ ସହ କେତେ ସୋସଲ୍ ଡିଷ୍ଟାନସ୍ ପାଳନ କରୁଛନ୍ତି। ଘଟଣା ଥିଲା ଏହିପରି। କିଛି ଦିନ ତଳେ ବରଗଡ଼ରେ ରନ୍ଧା ଖାଦ୍ୟ ବଣ୍ଟନ କରୁଥିବା ସରସ୍ଵତୀ ଏନକ୍ଲେଭ୍ ୱେଲଫେୟାର ସୋସାଇଟି ସଦସ୍ୟ ନିକଟକୁ ଯାଇଥିଲେ ଦେବେଶ। ଏବଂ ଗରିବ ଲୋକଙ୍କ ମୁହଁରେ ଦାନା ଯୋଗାଉଥିବାରୁ ସେମାନଙ୍କୁ ପ୍ରଶଂସା କରିଥିଲେ ବିଧାୟକ ଦେବେଶ ଆଚାର୍ଯ୍ୟ। ହେଲେ ସେ ଭୁଲି ଯାଇଥିଲେ ଯେ, ସେଠାରେ ଉପସ୍ଥିତ ସଦସ୍ୟଙ୍କ ସହ ତାଙ୍କର ସାମାଜିକ ଦୂରତା କେତେ? ଏକ ମିଟର ଦୂରରେ କେହି ବି ନଥିଲେ। ତେବେ ପ୍ରଶ୍ନ ଉଠୁଛି ଯେ ନେତା ଯଦି ସାମାଜିକ ଦୂରତା ଅବଲମ୍ବନ ନ କରିବେ ତାହେଲେ ଜନସାଧାରଣଙ୍କ ଠାରୁ ଆଉ ବା କଣ ଆଶା କରାଯାଇପାରେ।


ସେହିପରି ପାଟଣାଗଡ ବିଧାୟକ ସରୋଜ ମେହେର ମଧ୍ୟ ସାମାଜିକ ଦୂରତା ପାଳନକୁ ବେଖାତିର କରିଛନ୍ତି। ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ତାଙ୍କ ପ୍ରୟାସ ପ୍ରଶଂସନୀୟ। ତେବେ ଏ ଜଟିଳ ପରିସ୍ଥିତିରେ ସାମାଜିକ ଦୂରତା ଅବଲମ୍ବନ ନ କରି ମହତ୍ କାର୍ଯ୍ୟ କଲେ କି ଲାଭ। ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ଦିଅନ୍ତୁ ବିଭିନ୍ନ ମହଲରୁ ସାବାସୀ ମିଳିବ। କିନ୍ତୁ ସାମାଜିକ ଦୂରତା ଭୁଲି ଏଭଳି ମହତ୍ କାମ କଲେ ଲୋକଙ୍କୁ ଆହୁରି ବିପଦ ଆଡ଼କୁ ଟାଣି ଯେ ନ ଆଣିବ ଏହାର ଗ୍ୟାରେଣ୍ଟି କିଏ ଦେବ!
ଏଠି ନେତା,ମନ୍ତ୍ରୀଙ୍କୁ ପ୍ରଶ୍ନ ସାମାଜିକ ଦୂରତା ଅବଲମ୍ବନ ପାଇଁ ସରକାର ଦେଇଥିବା କଡ଼ା ନିର୍ଦ୍ଦେଶ ରାଜନେତାମାନେ ଯଦି ପାଳନ ନକରିବେ, ତାହେଲେ ଅନ୍ୟ ମାନଙ୍କୁ ପାଳନ କରିବାକୁ କି ଉପଦେଶ ଦେବେ? ନିୟମ ବେଖାତିର କରୁଥିବା ନେତାଙ୍କ କଥାକୁ କେତେ ମାନିବେ ଜନସାଧାରଣ? ତେବେ ମନ୍ତ୍ରୀ ନେତା ଯଦି ସାମାଜିକ ଦୂରତା ନିୟମ ଉଲଂଘନ କରିବେ ତାହେଲେ ଅନ୍ୟମାନଙ୍କ ଠାରୁ କଣ ଆଶା କରାଯାଇପାରେ! ଦେଖାଯାଉ ଏ ରାଜନେତାମାନେ ଆଗକୁ ସାମାଜିକ ଦୂରତା ନିୟମକୁ କିଭଳି ଭାବେ ପାଳନ କରୁଛନ୍ତି।